ଯାଜପୁର: ବଢୁଛି କିଡନୀ ଆକ୍ରାନ୍ତଙ୍କ ସଂଖ୍ୟା । ଜଣେ କି ଦୁଇ ଜଣ ନୁହେଁ, ଗୋଟିଏ ଗାଁର ୭ଜଣରୁ ଅଧିକ ଯୁବକ, ବୃଦ୍ଧ, ବୃଦ୍ଧା ଏହି କିଡନୀ ରୋଗରେ ଆକ୍ରାନ୍ତ । ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଧାନମଣ୍ଡଳକୁ ଲାଗି ରହିଛି ସଂଜୟନଗର ଗାଁ । ଏହି ଗାଁରେ ଅନେକ ଆଦିବାସୀ ପରିବାର ବସବାସ କରନ୍ତି । ଏହି ଗାଁରେ ଦୂଷିତ ପାଣି ପିଇ ଅନେକ ଲୋକେ କିଡନୀ ରୋଗରେ ଆକ୍ରାନ୍ତ ହୋଇଥିବା ଆଶଙ୍କା କରାଯାଉଛି । ଗାଁର ଅଧିକାଂଶ ଲୋକେ ଦିନ ମଜୁରିଆ ତେଣୁ ଯାହା ରୋଜଗାର କରି ଆଣନ୍ତି ତାହା ଚିକିତ୍ସା ଖର୍ଚ୍ଚରେ ସରିଯାଉଛି ।
ତେଣୁ ଏପଟେ ପରିବାର ଚଳିବା ମଧ୍ୟ କଷ୍ଟକର ହୋଇପଡିଲାଣି । ଉପଯୁକ୍ତ ଚିକିତ୍ସା ଅଭାବରୁ ଏହି ପରିବାର ଏବେ ଦୁଃଖ କଷ୍ଟରେ ରହୁଥିବା ଦେଖିବାକୁ ମିଳିଛି । ସେହିପରି ଏହି ଗାଁରେ ପୂର୍ବରୁ ଅନେକ ଏହି ରୋଗର ଶିକାର ହୋଇ ମୃତ୍ୟୁମୁଖରେ ପଡିଥିବା ଅଭିଯୋଗ ହୋଇଛି । ଯଦିଓ ଏହି ଗ୍ରାମରେ ନଳକୂପ ରହିଛି, କିନ୍ତୁ ତାହା ଉପରେ ୫୦ରୁ ଉର୍ଦ୍ଧ ପରିବାର ନିର୍ଭର କରୁଛନ୍ତି । କିନ୍ତୁ ଏହି ନଳକୂପ ପାଣି ପିଇବା ପାଇଁ ଅନୁପଯୁକ୍ତ । ତେବେ ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ନଥିବାରୁ ଏମାନେ ଏହି ନଳକୂପ ପାଣି ପାଇବାକୁ ବାଧ୍ୟ ହେଉଛନ୍ତି ।
ଯଦି ପ୍ରଶାସନ ପକ୍ଷରୁ ଉପଯୁକ୍ତ ପାନୀୟ ଜଳର ବ୍ୟବସ୍ଥା କରାଯାଆନ୍ତା ତେବେ ଅବଶିଷ୍ଟ ଜୀବନ ବଞ୍ଚିଯାଆନ୍ତା ବୋଲି କହିଛନ୍ତି ଗ୍ରାମବାସୀ । ଅନ୍ୟପକ୍ଷରେ ଏହି ଗ୍ରାମରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଖବର ପାଇ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଏକ ଟିମ ଗାଁରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ଏଥିସହ ଏହାର କାରଣ ଖୋଜିବା ସହ ଆକ୍ରାନ୍ତଙ୍କ ସହ ଆଲୋଚନା କରିଛନ୍ତି । ଏନେଇ ଏକ ରିପୋର୍ଟ ପ୍ରଦାନ କରାଯିବ ବୋଲି ମଧ୍ୟ ସୁପରଭାଇଜର କହିଛନ୍ତି ।
ଗାଁରେ ଦିନକୁ ଦିନ କିଡନୀ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । କିଡ୍ନୀ ରୋଗରେ କଷ୍ଟ ଯନ୍ତ୍ରଣା ପାଉଥିବା ବେଳେ ଅନେକ ବ୍ୟକ୍ତି ଉପଯୁକ୍ତ ଚିକିତ୍ସା ପାଇ ପାରୁନାହାନ୍ତି । ତେବେ ଦୂଷିତ ପାଣି ପାଇଁ କିଡନୀ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଆଶଙ୍କା କରାଯାଉଛି । ଏବେ ସରକାର ଠିକ ସମୟରେ ଉପଯୁକ୍ତ ପଦକ୍ଷେପ ନେଲେ ଏହାକୁ ରୋକା ଯାଇ ପାରିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।