ସବୁ ଡାକ୍ତରଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ସହ ଜାଲ ଚିକିତ୍ସକ ଠାବ କରିବାକୁ ଓଡିଶା ହାଇକୋର୍ଟ କଡ଼ା ନିର୍ଦ୍ଦେଶ

କଟକ(କେନ୍ୟୁଜ୍): ରାଜ୍ୟରେ କାର୍ଯ୍ୟରତ ସବୁ ଡାକ୍ତରଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ସହ ଜାଲ ଚିକିତ୍ସକ ଠାବ କରିବାକୁ ଓଡିଶା ହାଇକୋର୍ଟ କଡା ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ଉପାନ୍ତ ଅଞ୍ଚଳରେ ଜାଲ ଡାକ୍ତରମାନେ ରୋଗୀ ଚିକିତ୍ସା କରୁଛନ୍ତି। ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ନଥିବା ଲୋକ ଚିକିତ୍ସା କରୁଥିବାରୁ ସାଧାରଣ ଲୋକଙ୍କ ଜୀବନ ବିପଦରେ ପଡୁଛି। ଏଭଳି ପ୍ରସଙ୍ଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିବା ସହିତ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଡାକ୍ତରୀ ପେସାରେ ଥିବା ବ୍ୟକ୍ତିଙ୍କ ଯାଞ୍ଚ ସଂପୂର୍ଣ୍ଣ କରିବାକୁ ସରକାରଙ୍କୁ କହିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୨୨ ଡିସେମ୍ବର ୨୧ର ନିର୍ଦ୍ଦେଶ ପାଳନ କରି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦାଖଲ କରିଥିବା ସତ୍ୟପାଠକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ଡାକ୍ତରଙ୍କ ସାର୍ଟିଫିକେଟର ଯାଞ୍ଚ ପାଇଁ ସବୁ ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମଓ)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସରକାର ଦର୍ଶାଇଥିଲେ। କିନ୍ତୁ ଏ ନେଇ ସତ୍ୟପାଠରେ କିଛି ବି ସମୟ ନିର୍ଘଣ୍ଟ ସଂପର୍କିତ ସୂଚନା ଦିଆଯାଇ ନଥିଲା। ଏଭଳି ସତ୍ୟପାଠକୁ ନେଇ ହାଇକୋର୍ଟ ଅସନ୍ତୋଷବ୍ୟକ୍ତ କରିବା ସହିତ ଫେବୃଆରି ୨୦ ସୁଦ୍ଧା ସାନି ଅତିରିକ୍ତ ସତ୍ୟପାଠ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯାଞ୍ଚ ପ୍ରକ୍ରିୟା ଶେଷ କରିବା ସଂକ୍ରାନ୍ତରେ ସମୟ ନିର୍ଘଣ୍ଟ କଣ ରହିବ; ସେ ନେଇ ସତ୍ୟପାଠରେ ସ୍ପଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଜି ମାମଲାର ଶୁଣାଣି ସମୟରେ ଆମିକସ୍ କ୍ୟୁରୀ ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ର ଦର୍ଶାଇଥିଲେ ଯେ ମାଲକାନଗିରି, ରାୟଗଡ଼ା, ଗଞ୍ଜାମ, ମୟୂରଭଞ୍ଜରେ ଜାଲ ଡାକ୍ତର ରୋଗୀ ଚିକିତ୍ସା କରୁଥିବା ଘଟଣା ସମ୍ମୁଖକୁ ଆସିଛି। ଏଭଳି ସ୍ଥିତିରେ ରାଜ୍ୟର ସବୁ ଡାକ୍ତରଙ୍କ ତଥ୍ୟ ଅନ୍ ଲାଇନରେ ମିଳିଲେ ଲୋକମାନେ ଡାକ୍ତରଙ୍କ ସଂକ୍ରାନ୍ତରେ ଜାଣି ପାରନ୍ତେ ବୋଲି ସେ ଦର୍ଶାଇଥିଲେ। ଏହି ପ୍ରସଙ୍ଗରେ ପଦକ୍ଷେପ ଗ୍ରହଣ କରିବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ଶୁଣାଣି ସମୟରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଏସ.ପଣ୍ଡିତ ଅଭାସୀ ବ୍ୟବସ୍ଥାରେ ଉପସ୍ଥିତ ଥିଲେ। ରାଜ୍ୟରେ ରୋଗୀ ଚିକିତ୍ସା କରୁଥିବା ଡାକ୍ତରଙ୍କ ମଧ୍ୟରୁ ୫୧ ପ୍ରତିଶତଙ୍କ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ନଥିବା ଜଣା ପଡିଥିଲା। ଏ ନେଇ ବିଶ୍ବବ୍ୟାଙ୍କ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ଏହି ପ୍ରସଙ୍ଗରେ ଯାଞ୍ଚ କରିବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ୨୦୨୨ ଡିସେମ୍ବର ୨୧ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏ ନେଇ ସତ୍ୟପାଠ ଦାଖଲ ପାଇଁ ସ୍ବାସ୍ଥ୍ୟ ବିଭାଗକୁ ହାଇକୋର୍ଟ କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.