ଆଜିଠୁ ୧୬ ତାରିଖ ପର୍ଯ୍ୟନ୍ତ ଅଧିକାରୀଙ୍କୁ ମୁଖ୍ୟାଳୟ ଛାଡ଼ିବାକୁ ମନା, ସାଧାରଣ ପ୍ରଶାସନ ବିଭାଗ ପକ୍ଷ ନିର୍ଦ୍ଦେଶ ଜାରି
ଭୁବନେଶ୍ୱର: ତିନି ଦିନ ମୁଖ୍ୟାଳୟ ଛାଡ଼ିବେନି ଅଧିକାରୀ । ଆଜିଠୁ ୧୬ ତାରିଖ ପର୍ଯ୍ୟନ୍ତ ମୁଖ୍ୟାଳୟ ଛାଡ଼ିବାକୁ ମନା । ସମସ୍ତ ବିଭାଗକୁ ଏହି ନିର୍ଦ୍ଦେଶ ଜାରି ହୋଇଛି । ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଏବଂ କମିଶନର ତଥା ସଚିବମାନଙ୍କୁ ଏ ନେଇ ଚିଠି ଲେଖାଯାଇଛି । ଆଜିଠାରୁ ୩ ଦିନ ସରକାରୀ ଛୁଟି ରହିଛି । ଆବଶ୍ୟକ ହେଲେ ଅଧିକାରୀମାନଙ୍କୁ ତୁରନ୍ତ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ କୁହାଯିବ । ତେଣୁ ଏହି ସମୟରେ ମୁଖ୍ୟାଳୟ ନଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି ଚିଠି ଲେଖାଯାଇଛି ।
ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଘାସିରାମ ମୁର୍ମୁ ସମସ୍ତ ବିଭାଗର ସଚିବ ଓ ବିଭାଗୀୟ ମୁଖ୍ୟଙ୍କୁ ଚିଠି ଲେଖି ସରକାରୀ ଅଫିସରମାନଙ୍କର ହେଡକ୍ୱାର୍ଟରରେ ଅନୁପସ୍ଥିତ ରହିବା ଉପରେ କଟକଣା ଜାରି କରିଛନ୍ତି । ସରକାରୀ ଛୁଟିଦିନ ଅର୍ଥାତ୍ ସେପ୍ଟେମ୍ବର ୧୪ରୁ ୧୬ତାରିଖ ପର୍ଯ୍ୟନ୍ତ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି କୌଣସି ସରକାରୀ ଅଫିସରଙ୍କୁ ହେଡକ୍ୱାର୍ଟର ଛାଡ଼ିବାକୁ ଅନୁମତି ଦିଆଯାଇପାରିବ ନାହିଁ । ଏନେଇ ଆବଶ୍ୟକ ନିର୍ଦ୍ଦେଶନାମା ସମସ୍ତ ଅଫିସରମାନଙ୍କୁ ଜାରି କରିବା ପାଇଁ ସାଧାରଣ ପ୍ରଶାସନ ବିଭାଗ ପରାମର୍ଶ ଦେଇଛି ।
ସୂଚନା ଅନୁସାରେ , ଆଜି ସେପ୍ଟେମ୍ବର ୧୪ତାରିଖ ମାସର ଦ୍ୱିତୀୟ ଶନିବାର, ୧୫ତାରିଖ ରବିବାର ଓ ୧୬ତାରିଖ ମହମ୍ମଦଙ୍କ ଜୟନ୍ତୀ ଯୋଗୁ ସରକାରୀ ଛୁଟି ଅଛି ।