ପୁରୀ/ ଛତ୍ରପୁର: ଶ୍ରୀମନ୍ଦିର ଦଧିନଉତି ଉପରେ ଚଢିଗଲେ ବୃଦ୍ଧ। ଦେଖଣାହାରୀ ରଖିଗଲେ ଚକିତ । ମନ୍ଦିର ଚାରିଆଡେ ପଡିଗଲା ହୁରି । କିଏ ଚଢି ଯାଇଛି ଦେଉଳ ଉପରେ । ଭାବିଲେ ଯଦି ପାଦ ଖସିଯାଇଥାନ୍ତା ତାହାହେଲେ, କେଡେ ବଡ ଅଘଟଣ ଘଟିଯାଇଥାନ୍ତା…ହେଲେ କିଛି ଅଘଟଣ ନଘଟି ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ଦଧିନଉତି ଉପରେ ଚଢିଥିବା ବୃଦ୍ଧଙ୍କୁ ।
ନୀଳଚକ୍ର ଉପରକୁ ଚଢିଥିବା ଏ ହେଉଛନ୍ତି ଛତ୍ରପୁର ଅଞ୍ଚଳର ବଳରାମ ମହାରଣା । ବୟସ ୭୦ବର୍ଷ । ଘଟଣା ପରେ ଅଟକ ରଖି ଶ୍ରୀ ମନ୍ଦିର ଥାନା ପୋଲିସ ପକ୍ଷରୁ ତାଙ୍କୁ ପଚରାଉଚରା ଜାରି ରଖାଯାଇଛି । ଯାହା କୁହାଯାଉଛି, ବୃଦ୍ଧ ଜଣକ ବେଶ୍ କିଛି ସମୟ ପୂର୍ବରୁ ଶ୍ରୀମନ୍ଦିର ଚାରିପଟେ ଘୂରିବୁଲୁଥିଲେ । ଆଉ ହଠାତ୍ ଦେଖୁ ଦେଖୁ ଦଧି ନଉତି ଉପରେ ଚଢ଼ିଗଲେ । ଯାହାକୁ ଦେଖି ସଭିଏଁ ଚକିତ ଏବଂ ଭୟଭିତ ହେଇପଡିଥିଲେ । ତେବେ ବେଶ କିଛି ସମୟ ବୁଝାସୁଝା କରିବା ପରେ ବୃଦ୍ଧ ଜଣଙ୍କ ତଳକୁ ଓହ୍ଲାଇଥିଲେ ।
ବୟସ୍କ ଏବଂ ବିଚଳିତ ରହିଥିବାରୁ ତାଙ୍କୁ କିଛି ସମୟ ପରେ ପଚରାଉଚରା କରାଯିବ ବୋଲି କହିଛି ପୋଲିସ୍ । ପ୍ରାରମ୍ଭିକ ଭାବରେ ବ୍ୟକ୍ତି ଜଣକ ଛତ୍ରପୁରର ବୋଲି ଦାବି କରିଥିବାବେଳେ କେତେବେଳେ ବାନା ବାନ୍ଧିବା ପାଇଁ ଚଢିଥିବା କହିଛନ୍ତି ତ ପୁଣି କେତେବେଳେ ରାଜା କହିଥିଲେ ଚଢିବା ପାଇଁ ବୋଲି କହିଛନ୍ତି । ତେବେ ତାଙ୍କୁ ପଚରାଉଚରା ପରେ ସବୁକିଛି ସ୍ପଷ୍ଟ ହେବ ।
ଏପଟେ ବାନା ବାନ୍ଧିବା ଘଟଣାରେ ଛତ୍ରପୁର ଅଞ୍ଚଳର ବଳରାମ ମହାରଣାଙ୍କୁ ଅଟକ ରଖିଛି ଶ୍ରୀମନ୍ଦିର ଥାନା ପୋଲିସ୍ । କାହିଁକି ସେ ଏପରି କଲେ ଏବଂ କଣ ତାଙ୍କର ଉଦ୍ଦେଶ୍ୟ ସେନେଇ ମଧ୍ୟ ଖୋଳତାଳ କରାଯାଉଛି । ଏପଟେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଭାସ୍କର ରାଓ ପେଟା ସାହିର ବଳରାମ ମହାରଣା ତାଙ୍କ ବାସ ଭବନରୁ ଗତ ମଙ୍ଗଳବାର ରାତ୍ର ଠାରୁ ଜଗନ୍ନାଥ ଜଗନ୍ନାଥ ହେଉଥିଲେ…. ହାତରେ ପାଣି ବୋତଲ ଓ ଗାମୁଛା ଧରି କୁଆଡେ ଚାଲି ଯାଇଥିଲେ, ପରିବାର ବର୍ଗ ଖୋଜି ଖୋଜି ପାଇନଥିଲେ । ତେବେ ଗତକାଲି ବୁଧବାର ରାତିରେ ନ୍ୟୁଜ୍ ଦେଖିଲା ପରେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିବା ବଳରାମ ମହାରଣାଙ୍କ ସ୍ତ୍ରୀ ସୁକାନ୍ତି ମହାରଣା କହିଛନ୍ତି । ତେବେ ବଳରାମ ଜଣେ ମାନସିକ ବିକୃତ ରୋଗୀ ଅଟନ୍ତି । ଗତ ୧୦ ବର୍ଷ ଧରି ବ୍ରହ୍ମପୁର ଏକ ମେଡ଼ିକାଲରେ ଚିକିତ୍ସା ହେଉଥିବାବେଳେ, ତାଙ୍କର ୨ ଟି ପୁଅ ଓ ୨ ଝିଅ ବୋଲି ସୂଚନା ମିଳିଛି ।
ତେବେ ୭୦ବର୍ଷର ଜଣେ ବୃଦ୍ଧ କିଭଳି ଦଧିନଉତି ଉପରେ ଚଢିଗଲେ, ତାହା ସମସ୍ତଙ୍କୁ ଚକିତ କରିଥିବାବେଳେ, ଏଭଳି ଏକ ଘଟଣା ପରେ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ଏପଟେ ଘଟଣା ପଛରେ ବୃଦ୍ଧଙ୍କର କଣ ଉଦ୍ଦେଶ୍ୟ ରହିଥିଲା ସେନେଇ ଅଧିକ ତଦନ୍ତ କରୁଛି ଶ୍ରୀମନ୍ଦିର ଥାନା ପୋଲିସ୍ ।