ଖୋର୍ଦ୍ଧା : ଟାଙ୍ଗି ବ୍ଲକ ଶିକ୍ଷା ର୍ସକଲ ସରକାରୀ ପ୍ରାଥମିକ ବିଦ୍ୟାଳୟ ତେନ୍ତୁଳିଆପଡାରେ ଦେଖା ଦେଇଛି ଏକ ଅଭାବନୀୟ ଘଟଣା। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀ ମାନଙ୍କୁ କରିଛନ୍ତି ଦୁର୍ବ୍ୟବହାର । ଖବର ପାଇ ଅଭିଭାବକ ମାନେ ବିଦ୍ୟାଳୟରେ ପହଞ୍ଚି ଶିକ୍ଷୟତ୍ରୀଙ୍କୁ ଅନ୍ୟତ୍ର ବଦଳି ପାଇଁ ଦାବି ଉଠାଇଛନ୍ତି । ସୂଚନାରୁ ଜଣାପଡିଛି ଦୁଇଦିନ ତଳେ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ପାଠ ପଢିବାକୁ ଆସିଥିଲେ।
ସେହି ସମୟରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ହର୍ଷମଣୀ ପରିଡା ବିଦ୍ୟାଳୟରେ ଉପସ୍ଥିତ ଥିଲେ ଏବଂ ବିଦ୍ୟାଳୟ ର ୧୦୦୦ଟଙ୍କା ଅନ୍ୟମନସ୍କ ହୋଇ କେଉଁଠାରେ ରଖିଦେଇଥିଲେ । ପ୍ରଧାନ ଶିକ୍ଷୟତ୍ରୀ ଟଙ୍କା ଚୋରି ହୋଇଥିବା ସନ୍ଦେହ କରିଥିଲେ ଛାତ୍ରଛାତ୍ରୀ ମାନଙ୍କ ଉପରେ । ବିଦ୍ୟାଳୟ ୪ଟା ସମୟରେ ଛୁଟି ହେବା ପରେ ୫ଟା ପର୍ଯ୍ୟନ୍ତ ପ୍ରଧାନ ଶିକ୍ଷୟତ୍ରୀ ବିଦ୍ୟାଳୟର ମୂଖ୍ୟ ଫାଟକରେ ତାଲା ପକାଇ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟରେ ଅଟକ ରଖି ଖେଳ ପଡିଆରେ ଚେକ କରିଥିଲେ।
ପରର୍ବତ୍ତୀ ସମୟରେ ଛାତ୍ରଛାତ୍ରୀ ମାନେ ଘରକୁ ଯାଇ ସେମାନଙ୍କ ଅଭିଭାବକ ମାନଙ୍କୁ ପ୍ରଧାନ ଶିକ୍ଷୟତ୍ରୀଙ୍କ କାରନାମା ସମ୍ପର୍କରେ କହିଥିଲେ । ପରଦିନ ବିଦ୍ୟାଳୟ ଖୋଲିବା ପରେ ସମସ୍ତ ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ମାନେ ପହଞ୍ଚି ସଂପୃକ୍ତ ପ୍ରଧାନଶିକ୍ଷୟତ୍ରୀଙ୍କୁ ପଚାରିଥିଲେ ସେ ନିଜର ଭୁଲ ସ୍ୱୀକାର କରିନଥିଲେ ଓଲଟି ଧମକ ଚମକ ଦେଇଥିଲେ ବୋଲି ଅଭିଭାବକ ମାନେ ଅଭିଯୋଗ କରିଛନ୍ତି । ଖବର ପାଇ ଟାଙ୍ଗି ଶିକ୍ଷା ସର୍କଲ ଅତିରିକ୍ତ ଶିକ୍ଷାଅଧିକାରୀ ବିଦ୍ୟାଳୟରେ ପହଞ୍ଚି ଅଭିଭାବକ ମାନଙ୍କ ସହିତ ଆଲୋଚନା କରି ପ୍ରଧାନଶିକ୍ଷୟତ୍ରୀଙ୍କୁ ଅନ୍ୟତ୍ର ବଦଳି କରିବାକୁ ପ୍ରତିଶ୍ରୁତି ପରେ ଧାରଣା ହଟିଥିଲା ।