ଗୁହାରି କରି କରି କେହି ଶୁଣୁନାହାନ୍ତି: ଜୀବନକୁ ବାଜି ଲଗାଇ ଦେଶୀ ଡଙ୍ଗାରେ ଯାତାୟତ କରୁଛନ୍ତି ଲୋକେ
ଲମତାପୁଟ: ଗୁହାରି କରି କରି ଥକି ଗଲେଣି । ହେଲେ କେହି ଟିକେ ଶୁଣିଲେନି । ତେଣୁ ଜୀବନକୁ ବାଜି ଲଗାଇ ବିପଦପୂର୍ଣ୍ଣ ଭାବେ ଦିନରାତି ଯାତାୟାତ କରୁଛନ୍ତି ଦେଶୀ ଡଙ୍ଗାରେ । ୮ ଟି ଗ୍ରାମର ପ୍ରାୟ ୯ରୁ ୧୦ହଜାର ଲୋକଙ୍କ ଏଇ ଦୁଃଖ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଡ଼ାବୁଗୁଡ଼ା ପଞ୍ଚାୟତରେ ଥିବା ପାତ୍ରପୁଟ ନଦୀ ଘାଟରେ ।
କୋଲାବ ଜଳ ଭଣ୍ଡାର ଆରପାରି ଡ଼ାବୁଗୁଡ଼ା ପଞ୍ଚାୟତ ୮ ଖଣ୍ଡ ଗାଁ । ପାତ୍ରପୁଟ, ପଦାଚେଣ୍ଡା,ମାଳିଚେଣ୍ଡା,ଭିତରଚେଣ୍ଡା, ଖମରା,ଲେଞ୍ଜିଶୁକୁ,ହାଟଶୁକୁ ଓ କୁମାର ଗନ୍ଧାନାର ପ୍ରାୟ ୧୦ହଜାର ରୁ ଅଧିକ ଲୋକେ ବସବାସ କରନ୍ତି । ଏଥିପାଇଁ ଲୋକେ କୋଲାବ ଜଳ ଭଣ୍ଡାର ପାରି ହୋଇ ଯାତାୟାତ କରିଥାନ୍ତି । କାହିଁକି ନା ଜଳ ଭଣ୍ଡାର ଦେଇ ଯିବା ଆସିବା କଲେ ବ୍ଲକ ସଦର ମହକୁମା ଅଳ୍ପ ଦୂର ପଡ଼େ । ତେଣୁ ଦୈନନ୍ଦିନ କାର୍ଯ୍ୟ ପାଇଁ ବ୍ଲକ,ପଞ୍ଚାୟତ ହେଉ କି ଅନ୍ୟାନ୍ୟ ଅଫିସ୍ ହେଲେ ଲାମତାପୁଟ ସଦର ମହକୁମାକୁ ଆସିବାକୁ ପଡ଼ିଥାଏ ।
ଏଣୁ ଲଞ୍ଚ ନଥିବାରୁ ସବୁ ଦିନ ବାଧ୍ୟ ହୋଇ ଏକ ଦେଶୀ ଡଙ୍ଗା ସାହାଯ୍ୟରେ ଅଞ୍ଚଳର ଲୋକେ ବିପଦ ପୂର୍ଣ୍ଣ ଭାବେ ଯାତାୟାତ କରୁଛନ୍ତି । ଜିଲ୍ଲା ତଥା ବ୍ଲକ ପ୍ରଶାସନ ନିକଟକୁ ଦୌଡି ଦୌଡି ହାଲିଆ ତଥାପି ଫଳ ଶୂନ । ଏପଟେ ଗ୍ରାମବାସୀ କହିଛନ୍ତି କି ନିର୍ବାଚନ ସମୟରେ ନେତା ମାନେ ଆସନ୍ତି ଓ ପ୍ରତିଶ୍ରୁତି ଦିଅନ୍ତି ଖୁବ୍ ଶୀଘ୍ର ସମସ୍ୟାର ସମାଧାନ କରାଯିବ କିନ୍ତୁ ନିର୍ବାଚନ ସରିଗଲେ ସମସ୍ତେ ଭୁଲିଯାଆନ୍ତି । ସମସ୍ୟାକୁ ନେଇ ବିଧାୟକ ଜିଲ୍ଲାପାଳଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରାଯାଇଛି କିନ୍ତୁ ଏପର୍ଯ୍ୟନ୍ତ ଲଞ୍ଚ ଟିଏ ଦେଇପାରୁ ନାହିଁ ପ୍ରଶାସନ ।
ଏପଟେ କୋରାପୁଟ ବିଧାୟକ ଏହି ସମସ୍ୟାର ସମାଧାନ ଖୁବ୍ ଶୀଘ୍ର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା କହିଛନ୍ତି କି ଗଣମାଧ୍ୟମ ଜରିଆରେ ସେ ସରକାରଙ୍କୁ ନିବେଦନ କରୁଛନ୍ତି କି ଯଥା ଶୀଘ୍ର ଏହାର ସମାଧାନ ହେଉ ବୋଲି । ଏହାସହ ଲମତାପୁଟ ବିଡ଼ିଓ ମଧ୍ୟ କହିଛନ୍ତି କି ଜିଲ୍ଲା କାର୍ଯ୍ୟାଳୟ ଓ ଜରୁରୀ କାଳୀନ ବିଭାଗକୁ ଜଣାଯାଇଛି, ଖୁବ୍ ଶୀଘ୍ର ସମାଧାନ ହୋଇଯିବ । ତେବେ ଜୀବନକୁ ବାଜି ଲଗାଇ ବିପଦ ପୂର୍ଣ୍ଣ ଭାବେ ଦିନରାତି ଯାତାୟାତ କରୁଛନ୍ତି ଏଠାକାର ଗାଁ ଲୋକେ । ତେବେ ଏହି ଖବର ପ୍ରସାରଣ ପରେ କେବେ ଏହି ସମସ୍ୟାର ସମାଧାନ ହେବ ତାହା ଦେଖିବାକୁ ବାକି ରହିବ ।