ସ୍ନାନ ପୂର୍ଣ୍ଣିମା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ, ମୁତୟନ ହେବେ ୭୦ ପ୍ଲାଟୁନ ଫୋର୍ସ

ପୁରୀ (କେନ୍ୟୁଜ): ରାତି ପାହିଲେ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ।  ସଜେଇ ହୋଇଛି ସ୍ନାନ ବେଦୀ । ରତ୍ନବେଦୀରୁ କାଲି ସ୍ନାନବେଦୀକୁ ବିଜେ ହେବେ ମହାପ୍ରଭୁ। ୧୦୮ ଗଡୁ ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି । ଏହା ପରେ ହାତୀ ବେଶରେ ଦର୍ଶନ ଦେବେ । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ ଶ୍ରୀକ୍ଷେତ୍ରରେ। ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ, ଭିଡ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସ୍ନାନ ପୂର୍ଣ୍ଣିମା ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ ସହ ଅଭିଜ୍ଞ ଅଧିକାରୀ ମାନେ ମଧ୍ୟ ମୁତୟନ ରହିବେ । ସ୍ନାନ ଯାତ୍ରା ସମୟରେ ପୋଲିସର ଭୂମିକା କିଭଳି ରହିବ ସେ ନେଇ ବରିଷ୍ଠ ପୋଲିସ ଅଧିକାରୀ ମାନେ ରିଜର୍ଭ ପୋଲିସ ଲାଇନ୍ ପଡ଼ିଆରେ ସମସ୍ତ ବ୍ୟବସ୍ଥା ସମ୍ପର୍କରେ ବୁଝାଇଛନ୍ତି । ବୈଠକରେ ଏଡିଜି ଦୟାଲ୍ ଗଙ୍ଗଓ୍ବାର, ଡାଇରେକ୍ଟର ଇଣ୍ଟେଲିଜେନ୍ସର ସୌମେନ୍ଦ୍ର ପ୍ରିୟଦର୍ଶୀ, କେନ୍ଦ୍ରାଞ୍ଚଳ ଆଇଜି ସଞ୍ଜୟ କୁମାର କୌଶଳ , ଏସପି ପିନାକ ମିଶ୍ରଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ତେବେ ଶୃଙ୍ଖଳିତ ଦର୍ଶନ ଲାଗି ମାର୍କେଟ ଛକ ଠାରୁ ସ୍ୱତନ୍ତ୍ର ବ୍ୟାରିକେଡ କରାଯାଇଛି । ବଡ଼ ଦାଣ୍ଡ ପଟୁ ଆସୁଥିବା ଭକ୍ତ ମାର୍କେଟ ଛକରୁ ଆରମ୍ଭ ହେଉଥିବା ବ୍ୟାରିକେଡ୍ ଦେଇ ପ୍ରବେଶ କରିବେ ଭକ୍ତମାନେ ସିଂହଦ୍ବାର ଦେଇ ପ୍ରବେଶ କରିବେ । ଉତ୍ତର, ପଶ୍ଚିମ ଏବଂ ଦକ୍ଷିଣ ଦ୍ବାର ଦେଇ ପ୍ରସ୍ଥାନ କରିବାକୁ ଅନୁମତି ଦିଆଯିବ । ଉତ୍ତର ଦ୍ବାରରୁ ପ୍ରସ୍ଥାନ କରୁଥିବା ଭକ୍ତମାନେ ବଡ଼ ଦାଣ୍ଡ ଦେଇ ଯେକୌଣସି ମାର୍ଗରେ ଯାଇପାରିବେ । ଟିକେଟ ଧାରୀ ଭକ୍ତମାନେ ପହଣ୍ଡି ଦର୍ଶନ ନିମନ୍ତେ ଦକ୍ଷିଣ ଦ୍ବାରରେ ଥିବା ବ୍ୟାରିକେଡ ଦେଇ ପ୍ରବେଶ କରିବେ । ପହଣ୍ଡି ଶେଷ ହେବା ପରେ ଦକ୍ଷିଣ ଦ୍ବାର ଦେଇ ପ୍ରବେଶ ବନ୍ଦ ହୋଇଯିବ । ନୀତି କାନ୍ତି,ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ,ଗହଳି ନିୟନ୍ତ୍ରଣ,ଟ୍ରାଫିକ ସୁପରିଚାଳନା ପାଇଁ ୪ ଜଣ ଏସପି,୧୨ ଜଣ ଅତିରିକ୍ତ ଏସପି ,୩୫ ଜଣ ଇନ୍ସପେକ୍ଟର ନିୟୋଜିତ ରହିବେ । ଆଜି ଶ୍ରୀବିଗ୍ରହଙ୍କ ସେନାପଟା ଲାଗି ନୀତି ପାଇଁ ସକାଳ ୧୧ଟା ଯାଏ ବନ୍ଦ ରହିବ ମହାପ୍ରଭୁଙ୍କ ସାଧାରଣ ଦର୍ଶନ।