ଚୋରି କରିବାର ୧୦ ଘଣ୍ଟା ଭିତରେ ଚୋରକୁ ଗିରଫ କଲା ପୋଲିସ, ଫେଲ୍ ହେଲା ସବୁ ପ୍ଲାନ୍
ରାୟଗଡ ପୋଲିସ ଏକ ଚୋରି ମାମଲାର ତଦନ୍ତ କରି ୧୦ ଘଣ୍ଟା ଭିତରେ ଦୁଇ ଜଣ ଚୋରଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୮ ଗ୍ରାମ ଓଜନର ସୁନା ଓ ୮୪ ଗ୍ରାମ ଓଜନର ରୁପା ଅଳଙ୍କାର ସମେତ ୫ଟି ମୋବାଇଲ ଫୋନ ଜବତ କରିଛି।

ରାୟଗଡ(କେନ୍ୟୁଜ୍): ଚୋରମାନେ ଚୋରି କରିବା ପାଇଁ ସବୁ ପ୍ରକାର ଉପାୟକୁ ଆପଣାନ୍ତି । କେମିତି ଚୋରି କରି ଫେରାର ମାରିବେ ସେଥିପାଇଁ ବଢ଼ିଆ ପ୍ଲାନ ବି କରନ୍ତି । କିନ୍ତୁ ଚୋର ଯେତେ ଚାଲାକ ହେଲେ ବି ଦିନେ ଦିନେ ପୋଲିସ ହାତରେ ଧରାପଡ଼େ । ସମାନ ଭାବେ ଦୁଇ ଜଣ ଚୋର ସକାଳେ ଚୋରି କରିଥିଲେ କିନ୍ତୁ ସନ୍ଧ୍ୟା ସୁଦ୍ଧା ଗହଣା ସହ ଏମାନଙ୍କୁ ଗିରଫ କରିଛି ପୋଲିସ। ଏଭଳି ସଫଳତା ପାଇଛି ରାୟଗଡ ପୋଲିସ। ରାୟଗଡ ପୋଲିସ ଏକ ଚୋରି ମାମଲାର ତଦନ୍ତ କରି ୧୦ ଘଣ୍ଟା ଭିତରେ ଦୁଇ ଜଣ ଚୋରଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୮ ଗ୍ରାମ ଓଜନର ସୁନା ଓ ୮୪ ଗ୍ରାମ ଓଜନର ରୁପା ଅଳଙ୍କାର ସମେତ ୫ଟି ମୋବାଇଲ ଫୋନ ଜବତ କରିଛି। ଗିରଫ ଦୁଇ ଜଣ ମଧ୍ୟରେ ଜଣେ ନାବାଳକ ରହିଥିବା ସୂଚନା ମିଳିଛି । ଅନ୍ୟ ଜଣେ ରାୟଗଡ଼ା ସହରର ସୁଣ୍ଡି ବୁଲୁ ଓରଫ ବୁଲଡ ବୋଲି ଜଣାପଡ଼ିଛି । ଜବତ ସୁନା ଓ ରୁପା ଅଳଙ୍କାର ମୂଲ୍ୟ ଦେଢ ଲକ୍ଷ ଟଙ୍କା ହେବ।
ସୂଚନା ଅନୁଯାୟୀ ସହରର ଗୋଦାବରୀଶ ନଗରର ସନ୍ତୋଷ ଗୌଡ ଓ ତାଙ୍କ ପରିବାର ଭୋର ସମୟରେ ଘରେ ଶୋଇଥିବା ବେଳେ ଏ ଚୋରଦଳ ଘରେ ପଶି ଚୋରି କରିଥିଲେ। ଘରେ ଥିବା ସୁନା ଓ ରୂପା ଅଳଙ୍କାର ସମେତ ଦୁଇଟି ମୋବାଇଲ ଫୋନ ଚୋରି କରିଥିଲେ। ପରିବାର ଲୋକେ ଘରେ ଚୋରି ହୋଇଥିବା ଜାଣିବା ପରେ ପୋଲିସକୁ ସୂଚନା ଦେଇଥିଲେ । ଘଟଣା ବିଷୟରେ ଜାଣିବା ପରେ ପୋଲିସ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ସହିତ ୧୦ ଘଣ୍ଟା ଭିତରେ ଦୁଇ ଜଣ ଚୋରଙ୍କୁ ଧରିବା ସହ ସେମାନଙ୍କ ନିକଟରୁ ଚୋରି ସାମଗ୍ରୀକୁ ଜବତ କରିଛି । ଏହା ସହିତ ଚୋରଙ୍କ ନିକଟରୁ ପୂର୍ବରୁ ଚୋରି ହୋଇଥିବା ଆଉ ତିନିଟି ମୋବାଇଲ ଫୋନ ମଧ୍ୟ ଜବତ ହୋଇଛି । ଏହାପରେ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅନ୍ୟ ପକ୍ଷେ ରାୟଗଡ ପୋଲିସ ଜବତ ସୁନା ଓ ରୁପା ଅଳଙ୍କାର ସନ୍ତୋଷ ଗୌଡ ଓ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି । ଏନେଇ ସୂଚନା ଦେଇଛନ୍ତି ଏସଡିପିଓ ରଶ୍ମି ରଞ୍ଜନ ସେନାପତି ଏବଂ ଆଇଆଇସି କେ. କେ. ବି. କେ କହଁର।
ଏଠାରେ କହି ରଖିବାକୁ ଚାହିଁବୁ ଚୋରଙ୍କ ହାବୁଡ଼ରୁ ବଞ୍ଚିବା ପାଇଁ ଯଥେଷ୍ଟ ସତର୍କ ରୁହନ୍ତୁ । ଯଦି ଆପଣ ଗାଁ ଗହଳିରେ ରହୁଛନ୍ତି ତେବେ ସନ୍ଧ୍ୟା ହେଲେ କବାଟ ବନ୍ଦ କରି ରୁହନ୍ତୁ । ଘରେ କେହି ପଶିବା ସନ୍ଦେହ ହେଲେ ତୁରନ୍ତ ଫୋନ କରି ପୋଲିସକୁ ସୂଚନା ଦିଅନ୍ତୁ । ଏଭଳି କରି ଆପଣ ନିଜ ଜିନିଷର ଯତ୍ନ ନେଇ ପାରିବେ ।