ନବରଙ୍ଗପୁର : ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଘଟଣାକୁ ବିତିଲା ୭ ଦିନ । ଦୋଷୀକୁ ଚିହ୍ନଟ କରିବାରେ ବିଫଳ ହେଇଛି ପୋଲିସ । ପ୍ରତିବାଦରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ସଦର ବ୍ଲକରେ ୬ ଘଣ୍ଟିଆ ବନ୍ଦ ପାଳନ କରିଛି ଜୟ ତେନ୍ତୁଳିଖୁଣ୍ଟି ଗ୍ରୁପ । ଘଟଣାରେ ଦୋଷୀଙ୍କୁ ତୁରନ୍ତ ଗିରଫ ସହ ସମ୍ପୃକ୍ତ ପରିବାରକୁ କ୍ଷତିପୂରଣ ବାବଦରେ ୨୦ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବା ଓ ମୃତଦେହ ବ୍ୟବଛେଦ ବିବରଣୀ ସାର୍ବଜନୀନ କରିବା ପ୍ରତିବାଦ କରିଛି ।
ଜୟ ତେନ୍ତୁଳିଖୁଣ୍ଟି ସଂଗଠନ ଓ ତେନ୍ତୁଳିଖୁଣ୍ଟି ଗ୍ରାମବାସୀ ପକ୍ଷରୁ ତେନ୍ତୁଳିଖୁଣ୍ଟିରେ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ପାଳନ ସକାଳ ୮ ଘଣ୍ଟାଠାରୁ ଅପରାହ୍ନ ୨ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ ।ତେନ୍ତୁଳିଖୁଣ୍ଟି ମୁଖ୍ୟାଳୟର ଜରୁରୀ ସେବା ଯୋଗାଉଥିବା ଅନୁଷ୍ଠାନ ବ୍ୟତୀତ ଅନ୍ୟ ସମସ୍ତ ବ୍ୟବସାୟିକ ଅନୁଷ୍ଠାନ,ସମସ୍ତ ଦୋକାନ ବଜାର ବନ୍ଦ ରହିଛି ।
ସୁଚନା ଅନୁସାରେ ପ୍ରଶାସନର ଲିଖିତ ପ୍ରତିଶ୍ରୁତି ପରେ ଉଠିଥିଲା ନାବାଳିକାର ମୃତଦେହ । ଦିନ ପ୍ରାୟ ଗୋଟାଏରୁ ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ଥାନା ପାତ୍ରପୁଟ ଫାଣ୍ଡି ଅଞ୍ଚଳରୁ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀ ନିଖୋଜ ହୋଇଥିଲେ । ସଂଧ୍ୟା ସମୟରେ ତାଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ ଉଦ୍ଧାର ହୋଇଥିଲା । ପରିବାର ଲୋକେ ଓ ଗ୍ରାମବାସୀ ଝିଅକୁ ଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ ।