ସ୍କୁଲ ଛାଡ଼ି ପଳାଇଲେ ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକଙ୍କୁ ବୁଝାସୁଝା କରି ସ୍ଥିତି ସମ୍ଭାଳିଲା ପୋଲିସ
ଭଦ୍ରକ : ତାଲା ପକାଇଲେ ଅବିଭାବକ। ସ୍କୁଲ ଛାଡ଼ି ପଳାଇଲେ ଶିକ୍ଷକଶିକ୍ଷୟିତ୍ରୀ । ଭଦ୍ରକ ବାସୁଦେବପୁର ବ୍ଲକ ରାତାଙ୍ଗ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପରିଚାଳନା କମିଟି ଗଠନକୁ ବିରୋଧ କରି ସ୍କୁଲରେ ତାଲା ପକାଇଲେ ଅବିଭାବକ। ପରିଚାଳନା କମିଟି ଗଠନ ବନ୍ଧ ରହି ଆସନ୍ତା ଏପ୍ରିଲ ୩୦ ତାରିଖରେ ଆରମ୍ଭ କରାଯିବ ନେଇ ଗତ ୬ ତାରିଖରେ ସରକାର ଘୋଷଣା କରିଥିଲେ ।
ସେବେ ପର୍ଯ୍ୟନ୍ତ ପୂର୍ବ କମିଟି ବଳବତ୍ତର ରହିବ ବୋଲି ଭଦ୍ରକ ଜିଲ୍ଲାପାଳ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚିଠି କରିଥିଲେ । କିନ୍ତୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜିଲ୍ଲାପାଳଙ୍କ ଚିଠିକୁ ଅବମାନନା କରି ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ କରିଛନ୍ତି । ଏନେଇ ଅଭିଭାବକ ବିଦ୍ୟାଳୟରେ ପହଞ୍ଚି ହୋହାଲ୍ଲା କରିଥିଲେ ।
ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳି ସହ ପରିଚାଳନା କମିଟିକୁ ଭଙ୍ଗ କରିବା ଦାବି ନେଇ ସ୍କୁଲରେ ତାଲା ପକାଇଥିଲେ । ବିଦ୍ୟାଳୟରେ ତାଲା ପଡ଼ିବା ପରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସ୍କୁଲ ଛାଡ଼ି ପଳାଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଭାବକଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା ।