ଭୁବନେଶ୍ୱର : ବଢୁଛି ଦର, ଗୋଦାମ ଖାଲି । ୩ ଦିନରେ ଖାଲି ହୋଇଯିବ ଗୋଦାମ । ଦିନକୁ ଦିନ ଉତ୍କଟ ହେଉଛି ଆଳୁ ସମସ୍ୟା । ଓଡିଶା ଆସିଥିବା ଆଳୁ ଟ୍ରକ୍ ଫେରାଇ ନେଇଛି ପଶ୍ଚିମବଙ୍ଗ । ମନ୍ତ୍ରୀଙ୍କ ଚେତାବନୀ ସତ୍ବେ ଖୁଚୁରା ବଜାରରେ ଆଳୁ ୭୦ ଟଙ୍କାରୁ କମୁନାହିଁ ।
ବଜାରରେ ଆଳୁର ମୂଲ୍ୟ ବୃଦ୍ଧି ସହ ଆଳୁ ବଜାରରୁ ଉଭାନ ହେବାରେ ଲାଗିଛି । ପ୍ରତ୍ୟେକ ଦିନ ୫ ହଜାର ଟନ ଆଳୁର ଆବଶ୍ୟକତା ପଡୁଥିବା ବେଳେ ଏବେ ଯଥେଷ୍ଠ ଆଳୁ ଗୋଦାମରେ ମହଜୁଦ ନାହିଁ । ଗତକାଲି ମାତ୍ର ୪୦ଟି ଆଳୁ ଗାଡି ଓଡିଶାକୁ ଆସିଛି । ଭୁବନେଶ୍ବରକୁ ୫ଟି ଆଳୁ ଗାଡ଼ି ଆସିଛି । ପୂର୍ବରୁ ରାଜ୍ୟକୁ ଦିନକରେ ୧୭୦ ଗାଡି ଆଳୁ ଆସୁଥିଲା । ଜୁଲାଇ ୨୧ରୁ ପଶ୍ଚିମବଙ୍ଗରୁ ଆଉ ସ୍ୱାଭାବିକ ଭାବେ ଆଳୁ ନାହିଁ ।
ସେପଟେ ନାଫେଡ ଜରିଆରେ ଉତ୍ତର ପ୍ରଦେଶରୁ ଆସିବ ଆଳୁ । ଖାଉଟିମାନଙ୍କୁ ୩୦ ଟଙ୍କା ଆଳୁ ଯୋଗାଇଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାଦ୍ବାରା ଖାଉଟିଙ୍କୁ ସୁଲଭ ଦରରେ ଆଳୁ ଯୋଗାଇଦିଆଯିବ । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୩ ଶହ ମେଟ୍ରିକ ଟନ ଆଳୁ ପାଇଁ ନାଫେଡ ମାଧ୍ୟମରେ ଅର୍ଡର ପ୍ରଦାନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଏହା ଭୁବନେଶ୍ବର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁରର ସରକାରୀ ଖୁଚୁରା ଦେକାନରେ ଉପଲବ୍ଧ ହେବ । ଏ ନେଇ ଆବଶ୍ୟକୀୟ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ କଟକରେ ହୋଲସେଲ ଗୋଦାମରୁ ୪୫ କେଜି ଆଳୁ ପ୍ୟାକେଟକୁ ୧୭୦୦ ଶହ ରୁ୧୮୦୦ ଟଙ୍କାରେ କିଣୁଛନ୍ତି ଖୁଚୁରା ବ୍ୟବସାୟୀ ।