ଆଜି ଖଲ୍ଲିକୋଟ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ହେବ ଶେଷକୃତ୍ୟ, ଅପରାହ୍ଣ ଯାଏ ଶେଷ ଦର୍ଶନ କରିବେ ଆତ୍ମୀୟ ସ୍ବଜନ
ଅଲବିଦା ରାଜମାତା । ଅନ୍ତିମ ଯାତ୍ରାରେ ଖଲ୍ଲିକୋଟ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓ । ଆଜି ଖଲ୍ଲିକୋଟ ରାଜପରିବାରର ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ କରାଯିବ। ଅପରାହ୍ଣ ଯାଏ ତାଙ୍କର ଶେଷ ଦର୍ଶନ କରିପାରିବେ ଆତ୍ମୀୟ ସ୍ବଜନ, ବିଶିଷ୍ଟ ବ୍ୟକ୍ତି ଓ ସ୍ଥାନୀୟ ଲୋକ ।

ବ୍ରହ୍ମପୁର (କେନ୍ୟୁଜ): ଅଲବିଦା ରାଜମାତା । ଅନ୍ତିମ ଯାତ୍ରାରେ ଖଲ୍ଲିକୋଟ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓ । ଆଜି ଖଲ୍ଲିକୋଟ ରାଜପରିବାରର ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ କରାଯିବ । ଅପରାହ୍ଣ ଯାଏ ତାଙ୍କର ଶେଷ ଦର୍ଶନ କରିପାରିବେ ଆତ୍ମୀୟ ସ୍ବଜନ, ବିଶିଷ୍ଟ ବ୍ୟକ୍ତି ଓ ସ୍ଥାନୀୟ ଲୋକ ।
ଗତକାଲି ଚେନ୍ନାଇରୁ ପାର୍ଥିବ ଶରୀରକୁ ବିମାନ ଯୋଗେ ଭୁବନେଶ୍ବର ଅଣାଯାଇଥିଲା । ସେଠାରୁ ମର ଶରୀରକୁ ନିଆଯାଇଥିଲା ଶଙ୍ଖ ଭବନ । ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଦଳୀୟ ବିଧାୟକ, ନେତା ଓ କର୍ମୀ ଶେଷ ଦର୍ଶନ କରିବା ସହ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହାପରେ ପାର୍ଥିବ ଶରୀରକୁ ନିଆଯାଇଥିଲା ବିଧାନସଭା । ସେଠାରେ ବାଚସ୍ପତି ପ୍ରମିଳା ମଲ୍ଲିକ, କିଛି ମନ୍ତ୍ରୀ ଓ ବିଧାୟକ ସୁଜ୍ଞାନ କୁମାରୀ ଦେଓଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ବିଧାନସଭାରୁ ଖଲ୍ଲିକୋଟ ଅଭିମୁଖେ ନିଆଯାଇଥିଲା ମରଶରୀର। ଶୁକ୍ରବାର ଦିନ ଚେନ୍ନାଇ ହସ୍ପିଟାଲରେ ୮୭ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ଭି. ସୁଜ୍ଞାନ କୁମାରୀ ଦେଓ । ତାଙ୍କ ବିୟୋଗରେ ରାଜ୍ୟ ରାଜନୀତିରେ ବିରାଟ ଶୂନ୍ୟତା ସୃଷ୍ଟି ହୋଇଛି । ସେ ବିଧାୟିକା ଭାବେ ୧୦ ଥର ନିର୍ବାଚିତ ହୋଇଛନ୍ତି । ୮ ଥର ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ ଓ ୨ ଥର କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ବିଜୁ ପଟ୍ଟନାୟକଙ୍କ ସମୟରୁ ସେ ରାଜନୀତିରେ ଯୋଗ ଦେଇଥିଲେ । ଗଞ୍ଜାମ ରାଜନୀତିରେ ଜଣେ ସମ୍ମାନୀୟ ବ୍ୟକ୍ତିତ୍ବ । କେବଳ ଜଣେ ବିଧାୟିକା ଭାବେ ନୁହେଁ, ଜଣେ ସମାଜସେବୀ ଭାବରେ ତାଙ୍କର ସ୍ବତନ୍ତ୍ର ପରିଚୟ ଥିଲା । ୧୦ ଥରର ବିଧାୟିକା ଥିଲେ ବି କେବେ ମନ୍ତ୍ରୀ ପଦ ପାଇଁ ସୁଜ୍ଞାନଙ୍କ ମୋହ ନଥିଲା।