ଥମିବାର ନା ନେଉନାହିଁ ଆନ୍ଥ୍ରାକ୍ସ ରୋଗ, ରୋଗୀଙ୍କୁ ଘାରୁଛି ଚିନ୍ତା

କୋରାପୁଟ(କେନ୍ୟୁଜ): କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ବ୍ୟାପିବାରେ ଲାଗିଛି ବିରଳ ରୋଗ ଆନ୍ଥ୍ରାକ୍ସ । ଶୁକ୍ରବାର ଦିନ ଲକ୍ଷ୍ମୀପୁର ବ୍ଲକର ଓଡ଼ିଆପେଣ୍ଠ ପଞ୍ଚାୟତର ଖାଲକୋଣା ଗ୍ରାମରେ ଦୁଇ ଜଣ ଆନ୍ଥ୍ରାକ୍ସ ରୋଗୀ ଚିହ୍ନଟ ହୋଇଥିବା ବେଳେ ପୂର୍ବରୁ ତିନି ଚାରି ଜଣ ସୁସ୍ଥ ହୋଇଥିବାର ସୂଚନା ମିଳିଛି ।

ଖାଲୋକଣା ଗ୍ରାମରେ ଆନ୍ଥ୍ରାକ୍ସ ରୋଗରେ ପୀଡିତ ହୋଇଥିବା ଦୁଇଜଣ ରୋଗୀ ,ଲକ୍ଷ୍ମୀପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଏହି ଦୁଇ ଜଣ ଗୋଟିଏ ପରିବାରର ବୋଲି ସୂଚନା ରହିଛି । ମୋନଜ କୁଲେସିକା ଓ ସାନ୍ଧା କୁଲେସିକା ନାମକ ଦୁଇ ଜଣ ଏହି ରୋଗରେ ପିଡ଼ିତ ହୋଇ ଯନ୍ତ୍ରଣା ଭୋଗୁଛନ୍ତି । ଦୁଇଜଣଙ୍କ ହାତରେ ଆନ୍ଥ୍ରାକ୍ସ ରୋଗର ଲକ୍ଷଣ ଦେଖା ଦେଇଛି । ଦୁଇ ଜଣଙ୍କୁ ଲକ୍ଷ୍ମୀପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଏବଂ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ କୋରାପୁଟ ଜିଲ୍ଲା ମେଡିକାଲକୁ ପଠାଯାଇଛି । କିଛି ଦିନ ତଳେ କୁଟୀଙ୍ଗା ଗ୍ରାମରେ ଦେଖା ଦେଇଥିଲା ଏହି ରୋଗ । ପରେ ରାଜ୍ୟସ୍ତରୀୟ ଓ ଜିଲା ସ୍ତରୀୟ ଟିମ ଘଟଣାସ୍ଥଳକୁ ଯାଇ ଗାଈ ଓ ଛେଳିଙ୍କୁ ଟୀକା ଦେଇଥିଲେ । କିନ୍ତୁ ବର୍ତ୍ତମାନ ଖାଲକୋଣା ଗ୍ରାମର ଆଦିବାସୀ ସାହିରେ ଆନ୍ଥ୍ରାକ୍ସ ରୋଗ ବ୍ୟାପିବାରେ ଲାଗିଛି।

ଖବର ପାଇ ଲକ୍ଷ୍ମୀପୁର ଭ୍ରlମ୍ୟମାଣ ଟିମର ସମ୍ପ୍ରସାରଣ ଅଧିକାରିଣୀ, ଡାକ୍ତର, ଏମଏଚଏୟୁ ଏଏନଏମ କର୍ମୀ,ଫାର୍ମାସିଷ୍ଟ , ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ, ଏଏନଏମ କର୍ମୀ, ଆଶା କର୍ମୀ ଏବଂ ଅଙ୍ଗନବାଡି କର୍ମୀ ମିଳିତଭାବେ ଖାଲକୋଣା ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଏହି ରୋଗରେ ଗ୍ରାମର ପାଞ୍ଚ ଛଅ ଜଣ ପୀଡିତ ହୋଇ ଥିଲେ। କିନ୍ତୁ ବର୍ତ୍ତମାନ ସମସ୍ତେ ସୁସ୍ଥ ହୋଇଯାଇଛନ୍ତି ବୋଲି ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମୋହନ ଖିଲ କହିଛନ୍ତି । ଏବଂ ଲୋକଙ୍କୁ ମଲା ଗାଈଗୋରୁ ଛେଳି ମେଣ୍ଡା ମାଂସ ନ ଖାଇବାକୁ ପରାମର୍ଶ ଦେଇଥିଲେ ।

ତେବେ ଆନ୍ଥ୍ରାକ୍ସ ପୀଡିତ ମୋନଜ କୁଲେସିକା ତିନି ମାସ ତଳେ ମାଂସ ଖାଇଥିଲୁ ବୋଲି କହିଥିଲେ । ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗୀୟ କର୍ମଚାରୀ ଘଟଣାର ତଦନ୍ତ ଚଳାଇଛନ୍ତି । କିପରି ଏହି ରୋଗକୁ ରୋକାଯାଇ ପାରିବ ଏଥିପ୍ରତି ଜିଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବୀ କରିଛନ୍ତି। ଅନ୍ୟପଟେ ଆନ୍ଥ୍ରାକ୍ସ ରୋଗ ଚିହ୍ନଟ ପରେ ପ୍ରାଣୀ ଚିକିତ୍ସାଳୟ ବିଭାଗୀୟର ଚାରୋଟି ଟିମର କର୍ମଚାରୀ ଖାଲକୋଣା, କୋରଗୁଡା, କୋଈଝାଙ୍କର, ଚିଲିଶଙ୍କା ଏହି ଚାରଟି ଗ୍ରାମରେ ପହଞ୍ଚି ଏକ ହଜାରରୁ ଅଧିକ ଗାଈ,ଛେଳି ମାନଙ୍କୁ ଟୀକା କରଣ କରାଇଛନ୍ତି ।
ସୂଚନା ଅନୁଯାୟୀ ଆନ୍ଥ୍ରାକ୍ସ ଏକ ଗମ୍ଭୀର ସଂକ୍ରାମକ ରୋଗ ଅଟେ ଯାହାକି ବେସିଲସ ଆନ୍ଥ୍ରୋସୀସ ନାମକ ଏକ ବ୍ୟାକ୍ଟେରିଆ ଦ୍ୱାରା ବ୍ୟାପିଥାଏ । ତେବେ ଏହା ଏକ ଦୁର୍ଲଭ ରୋଗ ଅଟେ କିନ୍ତୁ ସଂକ୍ରମିତ ପଶୁଙ୍କ ସଂସ୍ପର୍ଶରେ ଆସିବା ଦ୍ୱାରା ଏହା ମଣିଷକୁ ମଧ୍ୟ ସଂକ୍ରମିତ ହୋଇଥାଏ । ତେଣୁ ଆପଣ ମୃତ ପଶୁ ପକ୍ଷୀଙ୍କ ମାଂସ ଖାଇବା ଠାରୁ ଦୂରେଇ ରୁହନ୍ତୁ । ନଚେତ ଏଭଳି ରୋଗ ବ୍ୟାପିବାକୁ ଅଧିକ ସମୟ ଲାଗିବ ନାହିଁ ।