ଜୁଲାଇ ୧୪ରେ ଖୋଲିବ ରତ୍ନଭଣ୍ଡାର : ଜଷ୍ଟିସ ବିଶ୍ବନାଥ ରଥ

ପୁରୀ : ୧୪ରେ ଖୋଲିବ ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର । ଏନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ବସିଥିବା ତଦାରଖ କମିଟି ବୈଠକ ପରେ ଏନେଇ ସୂଚନା ଦିଆଯାଇଛି । ସରକାରଙ୍କ ଅନୁମତି ମିଳିବା ପରେ ଖୋଲାଯିବ ରତ୍ନଭଣ୍ଡାର । ଚାବିରେ ଖୋଲୁ ବା ନଖୋଲୁ ଖୋଲାଯିବ ରତ୍ନ ଭଣ୍ଡାର । ୧୪ରେ ଚାବି ଆଣିବା ପାଇଁ ଜିଲ୍ଲାପାଳଙ୍କୁ କୁହାଯାଇଛି । ଏ ନେଇ ଏସଓପି ପ୍ରସ୍ତୁତ କରାଯାଉଥିବା କହିଛନ୍ତି ଜଷ୍ଟିସ ବିଶ୍ବନାଥ ରଥ । ରତ୍ନଭଣ୍ଡାର ଗଣତି ପାଇଁ ବିକଳ୍ପ ସ୍ଥାନ ନିର୍ଦ୍ଧାରିତ ହୋଇଛି । ଏଥିନିମନ୍ତେ ପ୍ରଥମେ ଠାକୁରଙ୍କ ଗହଣା ଚିହ୍ନି ପାରିବା ସହ ତାହାର ଗୁଣବତ୍ତା ପରଖି ପାରୁଥିବା ବଣିଆଙ୍କୁ ଚୟନ କରାଯିବ ବୋଲି କହିଛନ୍ତି ଜଷ୍ଟିସ୍ ରଥ।
ଅନ୍ୟପଟେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରତ୍ନଭଣ୍ଡାର ଖୋଲି ଏହାର କାମ ହେଲେ, ଭକ୍ତଙ୍କ ଦର୍ଶନରେ କୌଣସି ବାଧା ଯେପରି ସୃଷ୍ଟି ହେବନି, ସେନେଇ ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି । ଭକ୍ତମାନେ ସାମାନ୍ୟ ଦୂରରୁ ରହି ଦର୍ଶନ କରିପାରିବେ । ଏଥିସହ ରତ୍ନଭଣ୍ଡାର ଖୋଲିବା ନେଇ ଭକ୍ତଙ୍କ ସହଯୋଗ ଲୋଡିଛନ୍ତି ତଦାରଖ କମିଟିର ଅଧ୍ୟକ୍ଷ ବିଶ୍ୱନାଥ ରଥ ।
ରତ୍ନଭଣ୍ଡାର ଖୋଲାଯିବା ନେଇ ଯାଞ୍ଚ କମିଟି ପକ୍ଷରୁ ୧୪ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ ଏଥିନିମନ୍ତେ ସରକାରଙ୍କ ଅନୁମୋଦନକୁ ଅପେକ୍ଷା କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କ ତରଫରୁ କୌଣସି ସୂଚନା ଆସି ନ ଥିବା ବେଳେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତିର ଡିଜିଟାଲ ରେଫରେନ୍ସ ଡକ୍ୟୁମେଣ୍ଟ କରାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଭବିଷ୍ୟତରେ ଗଣତିମଣତି ସମୟରେ ଏହା ଖୁବ୍ କାମରେ ଆସିବ ବୋଲି ସେ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଆଜି ରତ୍ନଭଣ୍ଡାର କମିଟିର ବୈଠକ ବସିଥିଲା । ଏହି ବୈଠକ ଶେଷ ହେବା ପରେ ଏପରି ସୂଚନା ଦିଆଯାଇଛି । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟର ପୂର୍ବତନ ବିଚାରପତି ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରଥମ ବୈଠକ ଶନିବାର ହୋଇଥିଲା। ବୈଠକରେ ରତ୍ନଭଣ୍ଡାର ଖୋଲିବା ନେଇ ୧୬ ଜଣିଆ କମିଟି ବିସ୍ତୃତ ଆଲୋଚନା କରିଥିଲେ।