ଅଫିସର ବେଶରେ ଆସିଲେ, ସଫେଇ ଆଳରେ ଲୁଟି ନେଲେ ମହିଳାଙ୍କ ସୁନା ଚେନ

ଉଦଳା: ଅଫିସର ବେଶରେ ଆସିଲେ । ବଡ଼ ବାବୁଙ୍କ ଭଳି ଦାମୀ ପୋଷାକ ପିନ୍ଧି ଘରକୁ ପଶିଲେ । ହେଲେ ସେଠାରେ ଦେଖାଇଥିଲେ ନିଜର ଅସଲ ଚେହେରା ଆଉ କଲେ ଲୁଟପାଟ । ଘରେ ପଶି ଏକଦମ ଫିଲ୍ମ ଷ୍ଟାଇଲରେ ଲୁଟିନେଲେ ସୁନା ଅଳଙ୍କାର । ପ୍ରଥମେ ଅଫିସର ବେଶରେ ଆସି ଘର ଲୋକଙ୍କୁ ଡାକିଲେ । ଏକ କମ୍ପାନୀରୁ ଆସିଛନ୍ତି କହି ପ୍ରଥମେ ପିତ୍ତଳ ସାମଗ୍ରୀ ପରେ ରୂପା ଓ ସୁନା ଗହଣା ସଫା କରିଲେ । ଆଉ ସଫେଇ ଆଳରେ ଲୁଟି ନେଇଗଲେ ମହିଳାଙ୍କ ସୁନା ଚେନ ।
ହଁ ଆଜ୍ଞା ଉଦଳା କପ୍ତିପଦା ଥାନା ତଳିଆ ଗ୍ରାମରେ ଘଟିଛି ଏଭଳି ଘଟଣା । ହେଲେ ଏହି ଭଣ୍ଡ ଅଫିସରଙ୍କ ସବୁ କଳା କାରନାମା ସିସିଟିଭିରେ କଏଦ ହୋଇଛି ତାହା ହୁଏତ ସେମାନେ ଜାଣିନଥିଲେ । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା କ’ଣ । ଗ୍ରାମର ମିନତୀ ବେହେରାଙ୍କ ପରିବାର ଲୋକେ ଘରେ ଥିବା ବେଳେ ଦୁଇ ଜଣ ଲୁଟେରା ଅଫିସର ବେଶରେ ଆସି ଘରେ ପହଞ୍ଚିଥିଲେ । କମ୍ପାନୀରୁ ଆସିଛନ୍ତି କହି ଘରର ପିତ୍ତଳ ସାମଗ୍ରୀ ସଫା କରିଥିଲେ । ପରେ ସଫା କରିବା ପାଇଁ ରୂପା ଅଳଙ୍କାର ମାଗିଥିଲେ ।
ରୂପା ଅଳଙ୍କାର ସଫା କରି ଦେଖେଇବା ପରେ ପରିବାର ଲୋକଙ୍କ ବିଶ୍ୱାସ ଜିତିଥିଲେ । ତାପରେ ସୁନାଗହଣା ସଫା କରିବାକୁ ମାଗିଥିଲେ ଏବଂ ମିନତୀ ପିନ୍ଧିଥିବା ୩ ଲକ୍ଷରୁ ଅଧିକ ଟଙ୍କାର ହାରକୁ ଲୁଟେରାମାନେ ତାଙ୍କ ବେକରୁ ଖୋଲି ସଫା କରିବା ପାଇଁ କିଛି ପାଉଡରରେ ରଖିଥିଲେ । ଏହାପରେ ଏକ ଖୋଳରେ ପୁରାଇ କିଛି ସମୟ ପରେ ଖୋଲିବାକୁ କହି ଚାଲିଯାଇଥିଲେ । ହେଲେ ପରିବାର ଲୋକେ ଲୁଟେରାମାନେ ଘରୁ ବାହାରିବା ପରେ ଖୋଳ ଖୋଲି ଦେଖିବାରୁ ସେଥିରେ ସୁନା ଚେନ ନଥିଲା ।
ଯାହାପରେ ସେମାନେ ଲୁଟର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ହେଲେ ପରିବାର ଲୋକେ ଜାଣିଲା ବେଳକୁ ଦୁଇ ଲୁଟେରା ଚାଲିଯାଇଥିଲେ । ତେବେ ଲୁଟେରାଙ୍କ ଉପରେ ସନ୍ଦେହ ହେବାରୁ ମିନତୀଙ୍କ ବୋହୁ ତାଙ୍କୁ ପଚାରିବାରୁ ଫେରି ଯାଉଥିବା ଲୁଟେରାଙ୍କ ମଧ୍ୟରୁ ଜଣେ ଆସି ତାଙ୍କୁ ଗାଳିଗୁଲଜ ମଧ୍ୟ କରିଥିଲା । ତେବେ ଏନେଇ ଅଭିଯୋଗ ପରେ କପ୍ତିପଦା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଖୁବ ଶୀଘ୍ର ସିସିଟିଭି ଆଧାରରେ ଏହି ଲୁଟେରାଙ୍କୁ ଧରିବାକୁ ଚେଷ୍ଟା ଚଳାଇଛନ୍ତି ପୋଲିସ ।
Also read: ଏଟିଏମ କାର୍ଡରୁ ୯୫ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ, ଥାନାରେ ଅଭିଯୋଗ