ସାଟେଲାଇଟ୍ ସର୍ଭେ ଧରାଇଲା ସବୁ ଜାଲିଆତି: ପ୍ରଥମରେ ବରଗଡ, ତାପଛକୁ କେନ୍ଦୁଝର
ସାଟେଲାଇଟ୍ ସର୍ଭେରେ ଯେଉଁ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି, ତାହା ହେଲା- ରାଜ୍ୟରେ ବରଗଡ଼ ଜିଲ୍ଲାରେ ଏଭଳି ନକଲି ପ୍ଲଟ୍ ସଂଖ୍ୟା ସର୍ବାଧିକ । ତା ପଛରେ ରହିଛି କେନ୍ଦୁଝର ।
କେନ୍ଦୁଝର(କେନ୍ୟୁଜ୍): ଜମି ନକଲି। ଚାଷ ବି ନକଲି । କିଛି ସ୍ଥାନରେ କୋଠାଘର ଥିବା ଜମି, ପୋଖରୀ ତଥା ରେଳୱେ ଲାଇନ କଡ଼ ଜମିକୁ ମଧ୍ୟ ଚାଷ ଜମି ଦର୍ଶାଯାଇ ହୋଇଛି ପଞ୍ଜିକରଣ । ଏସବୁ ଜମିର କାଗଜ ପତ୍ରକୁ ବ୍ୟବହାର କରାଯାଇ ଧାନବିକ୍ରି କରିବାକୁ ଚାଲିଥିଲା ଯୋଜନା । ଯାହା ଉପରୁ ପରଦା ଉଠାଇଛନ୍ତି ସରକାରଙ୍କ କୃଷି ବିଭାଗ। ସାଟେଲାଇଟ୍ ସର୍ଭେରେ ଯେଉଁ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି, ତାହା ହେଲା- ରାଜ୍ୟରେ ବରଗଡ଼ ଜିଲ୍ଲାରେ ଏଭଳି ନକଲି ପ୍ଲଟ୍ ସଂଖ୍ୟା ସର୍ବାଧିକ । ତା ପଛରେ ରହିଛି କେନ୍ଦୁଝର ।
ରାଜ୍ୟ ସରକାର ଯେ କୌଣସି ମୁହୂର୍ତ୍ତରେ ମଣ୍ଡି ଖୋଲିବେ। ଚାଷୀଙ୍କ ଠାରୁ ଧାନ କିଣା ଆରମ୍ଭ ହେବ। ଧାନ କିଣା ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବା ଲାଗି ରାଜ୍ୟ ସରକାର ଢେର୍ ଆଗରୁ ଧାନଚାଷ ହୋଇଥିବା ଜମିର ସବିଶେଷ ତଥ୍ୟ ମାଗିଥିଲେ। ଏଥିରେ ଚାଷୀମାନଙ୍କୁ ଧାନବିକ୍ରି କରିବାପାଇଁ ନାମ ପଞ୍ଜୀକରଣ କରିବା ବାଧ୍ୟତାମୂଳକ କରାଯାଇଥିଲା। ଏବଂ ସେତେବେଳେ ମଧ୍ୟ ତାର ଯାଞ୍ଚ ହୋଇଥିଲା ।
ପ୍ରାଥମିକ ଯାଞ୍ଚରେ ୫୩୬୪ ଜାଲ୍ ଚାଷୀ ଚିହ୍ନଟ ହୋଇଥିଲେ । ଏହା ପରେ ଦ୍ବିତୀୟ ପର୍ଯ୍ୟାୟରେ ସାଟେଲାଇଟ୍ ସର୍ଭେ ଆରମ୍ଭ ହୋଇଛି । ଏଥିରୁ ଜଣାପଡ଼ିଛି ଯେ ଚାଷୀମାନେ ଧାନବିକ୍ରି କରିବା ପାଇଁ ପଞ୍ଜୀକରଣ କରିବାବେଳେ ଯେଉଁ ଜମିଜମା ସମ୍ପର୍କିତ ତଥ୍ୟ ଦେଇଥିଲେ ସେଥିରେ ବି ଅନେକ ନକଲି ରହିଛି । ଅର୍ଥାତ୍ ଅନେକ ଜାଲ୍ ପ୍ଲଟ୍ ଦେଇ ଏହାକୁ ଚାଷ ଜମି ବୋଲି ଉଲ୍ଲେଖ କରିଛନ୍ତି ଓ ଏଥିରେ ଧାନ ଚାଷ ହୋଇଥିବା ଦର୍ଶାଇଛନ୍ତି । ଏସବୁ ସାଟେଲାଇଟ୍ ସର୍ଭେରେ ଧରାପଡ଼ିଯାଇଛି ।
ଏଯାଏ ମିଳିଥିବା ରିପୋର୍ଟ ମଧ୍ୟରେ ତାଲିକାର ଉପରେ ରହିଛି ବରଗଡ଼। ଏଠାରେ ମୋଟ୍ ୮୭ ହଜାର ୬୧୫ଟି ନକଲି ପ୍ଲଟ୍ ଥିବା ସର୍ଭେରୁ ଜଣାପଡ଼ିଛି । ଏହା ପଛକୁ ରହିଛି କେନ୍ଦୁଝର । ଏଠାରେ ୮୧ ହଜାର ୩୫୭ଟି ପ୍ଲଟ୍ରେ ଧାନଚାଷ ହୋଇନଥିବା ଜଣାପଡ଼ିଛି, ଅଥଚ ଏହି ଜମି ଦେଖାଇ ଧାନ ବିକ୍ରି କରିବାକୁ ଷଡ଼୍ଯନ୍ତ୍ର ହୋଇଥିଲା । ରାଜ୍ୟ ସରକାର ସାଟେଲାଇଟ୍ ସର୍ଭେ ମାଧ୍ୟମରେ ଏସମ୍ପର୍କରେ ଜାଣିବା ପରେ ଏବେ କ୍ଷେତ୍ର ପରିଦର୍ଶନ ଚାଲିଛି ।
ଚଳିତ ବର୍ଷ କେନ୍ଦୁଝର ଜିଲ୍ଲାରେ ମୋଟ୍ ୬୦ ହଜାର ୯୪୧ଜଣ ଚାଷୀ ଧାନବିକ୍ରି କରିବାକୁ ନାମ ପଞ୍ଜୀକରଣ କରିଥିଲେ । ଗତବର୍ଷ ଏହି ସଂଖ୍ୟା ୬୪ ହଜାର ୨୦୨ ଥିଲା । ଏବେ ସାଟେଲାଇଟ୍ ସର୍ଭେ ପରେ ୮୧ ହଜାର ୩୫୭ଟି ପ୍ଲଟ୍ରେ ଧାନଚାଷ ହୋଇନଥିବା ଜଣାପଡ଼ିବା ପରେ କେନ୍ଦ୍ର ସମବାୟ ନିବନ୍ଧକ ୧୮୩ଟି ଟିମ ଗଠନ କରି ଏହାର ଯାଞ୍ଚ କାମ ଆରମ୍ଭ କରିଛନ୍ତ ।
ପ୍ରାରମ୍ଭିକ ତଦନ୍ତରେ ୬୭୬୧ ଟି ପ୍ଲଟ ମଧ୍ୟରୁ ୧୯୭୫ ଟି ପ୍ଲଟରେ ଧାନ ଅଛି ଓ ଅନ୍ୟ ୪୭୮୬ଟି ପ୍ଲଟ ରାସ୍ତା , ପୋଖରୀ , ବନ୍ଧ ‘ ଏ ପରିକି ରେଲୱେ ଲାଇନ କଡ ଜମି କୁ ମଧ୍ୟ ଛାଡ଼ି ନାହାନ୍ତି ନ କଲି ଚାଷୀ ‘ ଚଳିତ ୨୫ ତାରିଖ ସୁଧା ଏହି ଯାଞ୍ଚକାମ ସାରି ସରକାରଙ୍କୁ ରିପୋଟ ଦେବେ ବୋଲି କହିଛନ୍ତି କେନ୍ଦୁଝର ମଣ୍ଡଳ ସମବାୟ ସମିତିର ନିବନ୍ଧକ ।
ସାଟେଲାଇଟ୍ ସର୍ଭେ ଧରାଇଦେଲା ସବୁ ଜାଲିଆତି । ଏଠାରେ ସବୁ ନକଲି ଜମିରେ ଚାଲିଛି ନକଲିଚାଷ। ତେବେ ସବୁଠୁ ଆଗରେ ବରଗଡ଼ ଥିବାବେଳେ ଦୁଇ ନମ୍ବରରେ କେନ୍ଦୁଝର । ଏହା ଧରାପଡିବା ପରେ ସରକାର କି ପଦକ୍ଷପ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।