କୋଲକାତାର ନନ୍ଦନ ପ୍ରେକ୍ଷାଳୟରେ ସପ୍ତମ ସାଉଥ ଏସିଆନ ସର୍ଟ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେଲା “ଦ ସି ଆଣ୍ଡ ସେଭେନ୍ ଭିଲେଜେସ୍”

ଚାରିଆଡ଼େ ପ୍ରଶଂସା ସାଉଁଟୁଛି ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆଙ୍କ “ଦ ସି ଆଣ୍ଡ ସେଭେନ୍ ଭିଲେଜେସ୍” ପ୍ରାମାଣିକ ଚଳଚ୍ଚିତ୍ର । ଦର୍ଶକମାନେ ଏହି ଚଳଚ୍ଚିତ୍ରକୁ ମନ ଭରି ଉପଭୋଗ କରୁଛନ୍ତି । ତେବେ କୋଲକାତାର ନନ୍ଦନ ପ୍ରେକ୍ଷାଳୟରେ ସପ୍ତମ ସାଉଥ ଏସିଆନ ସର୍ଟ ଫିଲ୍ମ ଫେଷ୍ଟିଭାଲ ଅନୁଷ୍ଠିତ ହୋଇଛି । ଏହି ଚଳଚ୍ଚିତ୍ର ଉତ୍ସବରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆଙ୍କ ନିର୍ଦ୍ଦେଶିତ ଏବଂ କିଟ୍ ଓ କିସ୍ ର ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କ ନିବେଦିତ ଓ କାଦମ୍ବିନୀ ସମ୍ପାଦକ ଡ.ଇତି ସାମନ୍ତଙ୍କ ପ୍ରଯୋଜିତ “ଦ ସି ଆଣ୍ଡ ସେଭେନ୍ ଭିଲେଜେସ୍” ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଛି । ଯାହାକି ଦର୍ଶକ ମାନଙ୍କ ମନରେ ବିଶେଷ ରେଖାପାତ କରିଛି । ସାତଭାୟାର କଥା ବ୍ୟଥା, ଅତୀତ ଓ ବର୍ତ୍ତମାନ ଏହି ଚଳଚ୍ଚିତ୍ରରେ ଜୀବନ୍ତ ହୋଇଉଠିଛି । ପରିବେଶ ପରିବର୍ତ୍ତନର ରୂପ ଛନ୍ଦ ମଧ୍ୟ ପରିପ୍ରକାଶ ପାଇଛି ଏହି ଚଳଚ୍ଚିତ୍ରରେ । ଏହି ଚଳଚ୍ଚିତ୍ର ଉତ୍ସବରେ ମୋଟ ୧୧୬ ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହେବାର ସୁଯୋଗ ପାଇଛି । ସେଥି ମଧ୍ୟରେ ନିର୍ଦ୍ଦେଶକ ହିମାଂଶୁ ଖଟୁଆଙ୍କ ଓଡ଼ିଆ ଚଳଚ୍ଚିତ୍ର ଦ ସି ଆଣ୍ଡ ସେଭେନ୍ ଭିଲେଜେସ୍ ଅନ୍ୟତମ।
ଉଚ୍ଚ ପ୍ରଶଂସିତ ହେଉଛି ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆଙ୍କ ‘ଦ ସି ଆଣ୍ଡ ସେଭେନ ଭିଲେଜେସ’ । ଜଳବାୟୁ ପରିବର୍ତ୍ତନ ଏବଂ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲା ରାଜନଗର ତହସିଲ ଅନ୍ତର୍ଗତ ସାତଭାୟା ଉପରେ ଏହାର ପ୍ରଭାବ ତଥ୍ୟ କୁ ନେଇ ଏହି ଡକ୍ୟୁମେଣ୍ଟାରୀ କରାଯାଇଛି । ଏହି ଚଳଚ୍ଚିତ୍ରରେ ସାତଭାୟା ଗାଁର ବାସିନ୍ଦାଙ୍କ ଜୀବନ ଏବଂ ସଂଘର୍ଷ ଚିତ୍ରିତ ହୋଇଛି ।
ପୂର୍ବରୁ କେରଳରେ ଅନୁଷ୍ଠିତ ୧୫ତମ ଅନ୍ତର୍ଜାତୀୟ ଡକ୍ୟୁମେଣ୍ଟାରୀ ଏବଂ କ୍ଷୁଦ୍ର ଚଳଚ୍ଚିତ୍ର ଊତ୍ସବ (ଆଇଡିଏସଏଫଏଫକେ)ରେ ଏହା ପ୍ରଦର୍ଶିତ ହୋଇଥିଲା। ସେହିପରି ଇଣ୍ଡିଆନ ପାନୋରାମା ୨୦୨୩, ୫୪ତମ ଭାରତୀୟ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ(ଆଇଏଫଏଫଆଇ) ପାଇଁ ଅଣ-ଫିଚର ବର୍ଗରେ ‘ଦ ସି ଆଣ୍ଡ ସେଭେନ ଭିଲେଜେସ’କୁ ଚୟନ କରାଯାଇଥିଲା ।
ସୂଚନା ଥାଉ କି ଏକ ସମୟରେ ସାତଭାୟା ସାତୋଟି ଗାଁର ଏକ ମିଳିତ ଅଞ୍ଚଳ ଥିଲା। ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରଭାବିତ ହୋଇଥିବା ଏହି ଅଞ୍ଚଳର ପାଞ୍ଚଟି ଗାଁ ସମୟ ସହିତ ସମୁଦ୍ର ଗର୍ଭରେ ଲୀନ ହୋଇ ଯାଇଛି । ଏହା ଉପରେ ଗବେଷଣା କରି ହିମାଂଶୁ ଖଟୁଆ ‘ଦ ସି ଆଣ୍ଡ ସେଭେନ ଭିଲେଜେସ’ ଚଳଚ୍ଚିତ୍ରଟି ନିର୍ମାଣ କରିଛନ୍ତି ।