ରେଶମ ସହର ବ୍ରହ୍ମପୁର ଏବେ ବେଆଇନ ତଥା ନକଲି ସାମଗ୍ରୀ ପ୍ରସ୍ତୁତିର ହବ୍ ପାଲିଟିଛି । ଲୋକେ ନିତିଦିନିଆ ବ୍ୟବହାର କରୁଥିବା ସାମଗ୍ରୀର ବିଭିନ୍ନ ନକଲି ବ୍ରାଣ୍ଡ କରି କମ ଦାମରେ ବଜାରରେ ବିକ୍ରି କରାଯାଉଥିବା ଦେଖିବାକୁ ମିଳୁଛି । ଏପରିକି ଇଞ୍ଜିନ ଅଏଲ, ନଡ଼ିଆ ତେଲ ଓ ମସଲା ଭଳି ସାମଗ୍ରୀର ନକଲି ପ୍ରସ୍ତୁତି ହେଉଥିବା ବେଳେ ପୋଲିସ ଚଢାଉ କରି ଏହି କାରଖାନା ଗୁଡ଼ିକୁ ସିଲ କରିବା ସହ ପ୍ରସ୍ତୁତକାରୀଙ୍କୁ ଗିରଫ କରୁଛି । ଏବେ ବ୍ରହ୍ମପୁର ସହର ନକଲି ଓ ବେଆଇନ ଗୁଟଖା ପ୍ରସ୍ତୁତିର ପେଣ୍ଠସ୍ଥଳି ପାଲଟିଛି ।
ବେଧଡ଼କ ଭାବେ ଚୋରାରେ ଗୁଟଖା ତିଆରି କରୁଛନ୍ତି ଓ ଖୁଲମଖୁଲା ବଜାରରେ ବିକ୍ରି କରାଯାଉଛି । ତେବେ ପୋଲିସ ପକ୍ଷରୁ ବିଭିନ୍ନ ସମୟରେ ଚଢାଉ ଜାରି ରହିଥିବା ବେଳେ ବହୁ କାରଖାନା ଓ ଗୋଦାମ ଠାବ କରାଯାଇ ସିଲ ମଧ୍ୟ କରାଯାଉଥିବା ନଜିର ରହିଛି । ତଥାପି ଗୋଟିଏ ପରେ ଗୋଟିଏ ବେଆଇନ ଗୁଟଖା ପ୍ରସ୍ତୁତ କାରଖାନାର ସନ୍ଧାନ ମିଳୁଛି ପୋଲିସକୁ । ଗତକାଲି ରାତିରେ ବ୍ରହ୍ମପୁର ସହର ଉପକଣ୍ଠ ବାଉଁଶିଆପଲ୍ଲୀରେ ଏକ ତିନି ମହଲା କୋଠାରେ ଚାଲିଥିବା ବେଆଇନ ଗୁଟଖା କାରଖାନା ଉପରେ ଅତର୍କିତ ଚଢାଉ କରିଥିଲା ପୋଲିସ ।
ଚଢାଉ ପରେ ବହୁ ଯନ୍ତ୍ରପାତିକୁ ଜବତ କରାଯିବା ସହ, ଗୁଟଖା ତିଆରି ସାମଗ୍ରୀ, ପଲିଥିନ୍, ପ୍ୟାକିଙ୍ଗ୍ ମେସିନ, ମିକ୍ସିଂ ମେସିନ ଓ ସୁଗନ୍ଧ ପାଇଁ ବ୍ୟବହାର କେମିକାଲ ଠାବ କରିଛି ପୋଲିସ । କାରଖାନାରେ ଉତ୍ତର ପ୍ରଦେଶର 20ରୁ ଅଧିକ ଯୁବକ କାମ କରୁଥିଲେ । ତେବେ ଏହି କାରାଖାନାରେ ଦୀର୍ଘ 4 ମାସ ହେଲା କାମ କରୁଥିଲେ ବୋଲି ସେମାନେ କହିଥିବା ବେଳେ କେଉଁଠାରେ ଓ କେଉଁଠି ବିକ୍ରୀ ହେଉଥିଲା ସେମାନେ ଜାଣି ନଥିବା କହିଛନ୍ତି । ଦୁଇ ଦିନ ତଳେ ବ୍ରହ୍ମପୁର ସହରର ବଡ଼ ବଜାର ଥାନା ଅଞ୍ଚଳରେ ଏକ ଘରେ ନକଲି ନଡ଼ିଆ ତେଲ ପ୍ରସ୍ତୁତ ହେଉଥିବା କାରାଖାନାକୁ ଠାବ କରିଥିବା ପୋଲିସ ।
ଏହି ଲିଙ୍କରେ ଆଜି ସଦର ଥାନା ଅନ୍ତର୍ଗତ ବାଉଁଶିଆପଲ୍ଲୀରେ ଚାଲିଥିବା ବେଆଇନ ଗୁଟଖା କାରାଖାନା ଚାଲିଥିବା ଖବର ପାଇ ଆଜି ଭୋର 3ଟା ରାତିରେ ସଦର ଥାନା ପୋଲିସ ଓ ଏକ ପ୍ଲାଟୁନ ପୋଲିସ ଫୋର୍ସ ସହ ଅତର୍କିତ ଚଢାଉ କରାଯାଇଥିଲା । ଚଢାଉ ବେଳେ ପୋଲିସ ବିପୁଳ ପରିମାଣର ଗୁଟଖା ଓ ଗୁଟଖା ପ୍ରସ୍ତୁତି ସାମଗ୍ରୀ ଠାବ କରିଥିଲା । ଏହି ଗୁଟଖା ବ୍ରହ୍ମପୁର ସହର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବିକ୍ରୀ ପାଇଁ ଚାଲାଣ ହେଉଥିଲା । ଏହା ସହ ଏହି କାରାଖାନାର ଦୁଇଟି ଗୋଦାମ ଗୃହ ଉପରେ ମଧ୍ୟ ଚଢାଉ କରିଥିଲା ।
ବେଆଇନ ଭାବେ ଏହି ଗୁଟଖାରେ ବିଭିନ୍ନ କେମିକାଲ ମିଶାଇ ପ୍ରସ୍ତୁତ ହେଉଥିବା ବେଳେ ଏହାର ସେବନ କ୍ଷତିକାରକ ବୋଲି ଜଣାପଡିଛି । ସେପଟେ କେତେ ଦିନ ଧରି ଏହି ବେଆଇନ ଗୁଟଖା କାରାଖାନା ଚାଲିଥିଲା, କେଉଁ ମାନଙ୍କର ଏଥିରେ ସଂପୃକ୍ତି ରହିଛି ଏହି ଚେର କେଉଁ ଆଡେ ଲମ୍ୱିଛି ସେ ନେଇ ପୋଲିସ ଅଧିକା ତଦନ୍ତ ଜାରୀ ରଖିଛି । ଏହା ସହ ଜିଏସଟି ଓ ଅବକାରୀ ବିଭାଗର ସହାୟତା ନେଇଛି ପୋଲିସ ।
ସଦର ଥାନା ଅନ୍ତର୍ଗତ ବାଉଁଶିଆପଲ୍ଲୀଠାରେ ଚଢାଉ ହୋଇଥିବା ବେଆଇନ ଗୁଟଖା କାରାଖାନାରେ ପୂର୍ବରୁ ମଧ୍ୟ ବହୁଥର ପୋଲିସ ଚଢାଉ କରି ଏହି ବେଆଇନ ଗୁଟଖା କାରଖାନକୁ ସିଲ କରି ଅନେକଙ୍କୁ ଗିରଫ କରିଛି । କିନ୍ତୁ କିଛି ଦିନ ପରେ ପୁଣି ସେହି ସ୍ଥାନରେ ବେଆଇନ ଭାବେ ଗୁଟଖା ପ୍ରସ୍ତୁତ କରାଯାଉଥିବା କାରଖାନା କାୟା ମେଲାଉଛି । ଏଣୁ ପୋଲିସ ଓ ପ୍ରଶାସନ ସମ୍ପୁର୍ଣ୍ଣ ଭାବେ ଏହି କୋଠାକୁ ସିଲ କରି ବନ୍ଦ କରିବାକୁ ବିଭିନ୍ନ ମହଲରେ ଦାବୀ ହୋଇଛି ।….