୩ ମାସ ଧରି ଚାଲିବ କିଟ୍‌ ରୌପ୍ୟ ଜୟନ୍ତୀ ସମାରୋହ; ପ୍ରତିଷ୍ଠା ଦିବସରେ ହେବ ଉଦ୍‌ଯାପନ

କିଟ୍‌ର ୨୫ ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ସମାରୋହ ଉଦ୍‌ଘାଟିତ ହୋଇଯାଇଛି। କିଟ୍ କ୍ରିକେଟ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଉଦ୍‌ଘାଟନୀ ସମାରୋହରେ କିଟ୍, କିସ୍ ଏବଂ କିମ୍ସର ୭୫ ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ କର୍ମଚାରୀ ଯୋଗ ଦେଇଥିଲେ। ଏହା ଦୀର୍ଘ ୩ ମାସ ଧରି ଚାଲିବାକୁ ଥିବାବେଳେ ୨୦୨୩ ଫେବୃୟାରୀ ୨୩ ତାରିଖ କିଟ୍‌ ପ୍ରତିଷ୍ଠା ଦିବସରେ ଉଦ୍‌ଯାପିତ ହେବ। ଏହି ତିନି ମାସ ମଧ୍ୟରେ ବିଭିନ୍ନ କ୍ଷେତ୍ରରୁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଡକାଯାଇ ରୌପ୍ୟ ଜୟନ୍ତୀ ପାଳନ କରାଯିବ। ଏହି ସମୟ ମଧ୍ୟରେ କିଟ୍ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବ।

ରୌପ୍ୟ ଜୟନ୍ତୀ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, କିଟ୍, କିସ୍ ଓ ଏହାର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ସହ ଜଡ଼ିତ ସମସ୍ତ ବ୍ୟକ୍ତି ବିଶେଷଙ୍କୁ କୃତଜ୍ଞତା ଜଣାଇବା। କାର୍ଯ୍ୟକ୍ରମରେ ଭାରତୀୟ ରଗ୍‌ବୀ ଫୁଟବଲ୍ ସଂଘ ସଭାପତି ରାହୁଲ ବୋଷ, ଅଲିମ୍ପିଆନ୍ ତଥା କିଟ୍ ଛାତ୍ରୀ ଦୂତି ଚାନ୍ଦ, କିଟ୍ ଓ କିସ୍ ସଭାପତି ଶାଶ୍ୱତୀ ବଳ, ଉପସଭାପତି ଉମାପଦ ବୋଷ, ସମ୍ପାଦକ ଆର.ଏନ୍ ଦାଶ, କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ, କିଟ୍ ବିଶ୍ୱବିଦ୍ୟାଳୟ କୁଳାଧିପତି ଅଶୋକ କୁମାର ପରିଜା, ଉପକୁଳାଧିପତି ପଦ୍ମଶ୍ରୀ ଡ. ସୁବ୍ରତ ଆଚାର୍ଯ୍ୟ, କୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ, ଉପକୁଳପତି ପ୍ରଫେସର ଶରଣଜିତ ସିଂହ ଓ ଡ. ସିବିକେ ମହାନ୍ତି, କିସ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ କୁମାର ବେହେରା, କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ଡ. ସାମନ୍ତ ରୌପ୍ୟ ଜୟନ୍ତୀ ସମ୍ପର୍କରେ ସୂଚନା ଦେଇ କହିଥିଲେ, ୧୯୯୨ରେ କିଟ୍ ଏକ ଅନୁଷ୍ଠାନ ଭାବେ ପଞ୍ଜୀକୃତ ହୋଇ ଆଇଟିଆଇ ଆରମ୍ଭ ହୋଇଥିଲା। ୧୯୯୭ରେ କିଟ୍‌ରେ ବିଭିନ୍ନ ସ୍ନାତକ ଏବଂ ଅନ୍ୟାନ୍ୟ ଗ୍ରାଜୁଏଟ୍ ଓ ଅଣ୍ଡର-ଗ୍ରାଜୁଏଟ୍ ପାଠ୍ୟକ୍ରମ ଆରମ୍ଭ କରାଯାଇଥିବାରୁ ୧୯୯୭କୁ ମୂଳ ବର୍ଷ ଭାବେ ଗଣନା କରାଯାଇ ଚଳିତ ବର୍ଷ ରୌପ୍ୟ ଜୟନ୍ତୀ ଉତ୍ସବ ପାଳନ କରାଯାଉଛି। କିଟ୍ ସହ ଦୀର୍ଘ ୨୫ରୁ ଊର୍ଦ୍ଧ୍ୱ ସମୟ ଧରି ଯେଉଁମାନେ ଜଡ଼ିତ ରହି ଆସିଛନ୍ତି, ସେମାନଙ୍କୁ ଡ. ସାମନ୍ତ କୃତଜ୍ଞତା ଜଣାଇଥିଲେ। କିଟ୍ ୨୫ ବର୍ଷ ମଧ୍ୟରେ ଶିକ୍ଷା ବ୍ୟତୀତ ଅନ୍ୟାନ୍ୟ କ୍ଷେତ୍ରରେ ଅନେକ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ମାଇଲଖୁଣ୍ଟ ସୃଷ୍ଟି କରିପାରିଛି ବୋଲି ଡ. ସାମନ୍ତ କହିଥିଲେ। ଶେଷରେ କିଟ୍ ବିଶ୍ୱବିଦ୍ୟାଳୟର କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ କିଟ୍‌ରେ୨୫ ବର୍ଷ ଧରି ଚାକିରି କରିଥିବା କର୍ମଚାରୀମାନେ କିଟ୍‌ରେ ସେମାନଙ୍କ ଅଭିଜ୍ଞତା ନେଇ ବକ୍ତବ୍ୟ ରଖିଥିଲେ। ପରେ ଆତସବାଜୀ, ଲାଇଟ୍ ଓ ସାଉଣ୍ଡ ଶୋ’, କିଟ୍ ଛାତ୍ରଛାତ୍ରୀଙ୍କ ଦ୍ୱାରା ଲିଖିତ ଏକ ପୁସ୍ତିକା ଉନ୍ମୋଚନ ସହିତ କିଟ୍ ଓ କିସ୍ ପିଲାମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍‌) ହେଉଛି ମାନ୍ୟତାପ୍ରାପ୍ତ ଏକ ଘରୋଇ ବିଶ୍ୱବିଦ୍ୟାଳୟ। ଏହା କିଟ୍‌ ବିଶ୍ୱବିଦ୍ୟାଳୟ ନାମରେ ପରିଚିତ। କିଟ୍‌ ମୁଖ୍ୟତଃ ଉଚ୍ଚଶିକ୍ଷା ଏବଂ ଇଞ୍ଜିନିୟରିଂ ଓ ବିଜ୍ଞାନ କ୍ଷେତ୍ରରେ ଗବେଷଣା ଉପରେ ଗୁରୁତ୍ୱ ଦେଇଥାଏ। ଏହା ବିଜ୍ଞାନ ଓ ଇଞ୍ଜିନିୟରିଂ, ମେଡିକାଲ ସାଇନ୍ସ, ମ୍ୟାନେଜମେଣ୍ଟ, ଆଇନ, ଫିଲ୍ମ ଓ ମିଡିଆ, ହ୍ୟୁମାନିଟିଜ୍‌ ଏବଂ ଯୋଗ ଓ ଖେଳରେ ୩୪ ୟୁଜି (ଅଣ୍ଡରଗ୍ରାଜୁଏଟ୍‌), ୩୨ ସ୍ନାତକୋତ୍ତର, ୧୦ ଇଣ୍ଟିଗ୍ରେଟେଡ୍‌, ୧୧ ପିଏଚ୍‌ଡି ଏବଂ ୭ ପୋଷ୍ଟଡକ୍ଟୋରାଲ ଗବେଷଣା ପାଠ୍ୟକ୍ରମ ପ୍ରଦାନ କରୁଛି।

୨୦୦୪ରେ କିଟ୍‌ ଭାରତ ସରକାରଙ୍କ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ ରୂପେ ଘୋଷିତ ହୋଇଥିଲା। ୨୦୧୪ରେ କିଟ୍‌କୁ ଭାରତ ସରକାରଙ୍କ ତରଫରୁ A ବର୍ଗର ମାନତ୍ୟ ଦିଆଯାଇଥିଲା। ୨୦୧୯ରେ କିଟ୍‌ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ‘ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଏମିନେନ୍ସ’ ଭାବେ ପରିଚୟ ଲାଭ କରିଥିଲା। ଏହି ଅନୁଷ୍ଠାନ ପ୍ରତିବର୍ଷ ସମ୍ମାନଜନକ ଏବଂ ଅଭାବୀ ଛାତ୍ରଛାତ୍ରୀମାନଙ୍କୁ ଛାତ୍ରବୃତ୍ତି ପ୍ରଦାନ କରି ଆସୁଛି। ସେଥି ମଧ୍ୟରୁ ପ୍ରଦ୍ୟୁମ୍ନ ବଳ ମେମୋରିଆଲ ସ୍କଲାରଶିପ୍‌ ଅନ୍ୟତମ। ଏହି ଛାତ୍ରବୃତ୍ତି ଅଧୀନରେ ଛାତ୍ରମାନଙ୍କୁ ଅତିରିକ୍ତ ଖର୍ଚ୍ଚ ସହିତ ସମ୍ପୂର୍ଣ୍ଣ ମାଗଣା ଶିକ୍ଷା ପ୍ରଦାନ କରାଯାଇଥାଏ।

ଅନ୍ତର୍ଜାତୀୟ ସ୍ତରରେ କିଟ୍‌ ‘ଟାଇମ୍ସ ହାଇୟର ଏଜୁକେସନ ଓ୍ଵାର୍ଲ୍ଡ ବିଶ୍ୱବିଦ୍ୟାଳୟ ର‍୍ୟାଙ୍କିଙ୍ଗ୍‌’ରେ ୮୦୧-୧୦୦୦ ବ୍ୟାଣ୍ଡରେ ସ୍ଥାନିତ ହୋଇଥିଲା। ୨୦୧୯ର QS ୟୁନିର୍ଭସିଟି ର‍୍ୟାଙ୍କିଙ୍ଗ୍‌ସ ବ୍ରିକ୍ସ ୟୁନିର୍ଭସିଟି ର‍୍ୟାଙ୍କିଙ୍ଗ୍‌ସରେ ଏହା ୨୯୧-୩୦୦ ବ୍ୟାଣ୍ଡରେ ରହିଥିଲା। କିଟ୍‌ ବିଶ୍ୱବିଦ୍ୟାଳୟ ୨୦୨୦ରେ ‘The Awards Asia’ ଜିତିଥିଲା, ଯାହାକୁ ଟାଇମ୍ସ ହାଇୟର ଏଜୁକେସନ ଦ୍ୱାରା ଘୋଷଣା କରାଯାଇଥିଲା। କିଟ୍‌ ଏହାର ଛାତ୍ର, ରିସର୍ଚ୍ଚ ସ୍କଲାର୍ସ, ଅଧ୍ୟାପକ ଏବଂ ଅନେକ କର୍ମଚାରୀଙ୍କୁ କ୍ୟାମ୍ପସ୍‌ରେ ଆବାସିକ ସୁବିଧା ଯୋଗାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.