ଭୁଲିଗଲା ରକ୍ତ ସମ୍ପର୍କ : ସମ୍ପତ୍ତି ପାଇଁ ବାପାକୁ ଛୁରୀ ଭୁସି ହତ୍ୟା କଲା ପୁଅ
ଭୁବନେଶ୍ୱର : ରାଜଧାନୀରେ ବୀଭତ୍ସ ହତ୍ୟା । ପୁଅ ପାଲଟିଲା ପିଶାଚ । ବାପାକୁ ଛୁରୀ ଭୁସି ହତ୍ୟା କଲା । ଭୁବନେଶ୍ବର ମଞ୍ଚେଶ୍ବର ଥାନା ରଙ୍ଗମାଟିଆ ଅଞ୍ଚଳରେ ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ବାପା ଓ ପୁଅଙ୍କ ମଧ୍ୟରେ ସମ୍ପତ୍ତିକୁ ନେଇ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲା । ଗୁରୁତ୍ବପୂର୍ଣ୍ଣ କଥା ହେଲା, ହତ୍ୟାକାରୀ ପୁଅ ଜଣକ ଗୋଟିଏ ଲ’ କଲେଜର ପ୍ରଫେସର ଅଟନ୍ତି । ଏପରିକି ସେ ଜଣେ ଓକିଲ ବୋଲି ମଧ୍ୟ ସୂଚନା ମିଳୁଛି । ହେଲେ ଆଇନର ରକ୍ଷାକାରୀ ହେଇ, ସେ ନିଜେ ଆଇନକୁ ହାତକୁ ନେଇଛନ୍ତି ।
ମିଳିଥିବା ସୂଚନା ମୁତାବକ, ଭୋର ସମୟରେ ଏହି ଅଘଟଣ ଘଟିଛି । ଆଉ ସାମାନ୍ୟ ବଚସାରୁ ବାପାଙ୍କୁ ଛୁରୀ ଭୁସି ହତ୍ୟା କରିଛି ପୁଅ । ତେବେ ଛୁରୀ ଭୁସିବା ପରେ ହସ୍ପିଟାଲ ନେବା ବାଟରେ ବାପାଙ୍କ ମୃତ୍ୟୁ ହେଇଥିବା ନେଇ କୁହାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟାରେ ବ୍ୟବହୃତ ଛୁରୀ ଜବତ କରିବା ସହ ଘଟଣାର ତଦନ୍ତ କରୁଛି । ମୋବାଇଲ ଯାଞ୍ଚରୁ ମିଳିଛି ହତ୍ୟା ନେଇ ତଥ୍ୟ । ପୁଅ ବାପାକୁ ହତ୍ୟା କରିଥିବା ସ୍ବୀକାର କରିଥିବା ସୂଚନା ଦେଇଛନ୍ତି ଡିସିପି ।