ଗରିବ ଘରେ ଖୁସିର ଲହରୀ : ନିଟ୍‌ ପରୀକ୍ଷା ଦେଇ ମେଡିକାଲ ପାଇଲେ ଚାଷୀ ପୁଅ, ଜମି ବିକି ପାଠ ପଢ଼ାଇ ଥିଲେ ବାପା

ରେଢାଖୋଲ (କେନ୍ୟୁଜ): ଚାଷୀ ପୁଅ ନିଟ୍‌ ପରୀକ୍ଷା ଦେଇ ପ୍ରଥମ ସୁଯୋଗରେ ହିଁ ପାଇଲେ ମେଡିକାଲ । ଏପରିକି ପୁଅ ପଢା ପାଇଁ ଚାଷ ଜମିକୁ ବିକ୍ରି କରିଦେଇଥିଲେ ଗରିବ ବାପା ମା । ବାପା ଚାଷ କରୁଥିବା ବେଳେ ମାଆ ଘର ପିଣ୍ଡାରେ ବସି ବିଡି ଭିଡନ୍ତି । ଆଉ ଏବେ ସଫଳତା ପୁଅ ହାତରେ । କାରଣ ନିଟ୍‌ ପରୀକ୍ଷା ଦେଇ ପ୍ରଥମ ସୁଯୋଗରେ ମେଡିକାଲ ପାଇଛି ପୁଅ । ଆଉ ପୁଅର ଏହି ସଫଳତାରେ ବେଶ୍‌ ଖୁସି ପରିବାର । ଆମେ କହୁଛୁ ରେଢାଖୋଲର ଚାଷୀ ପୁଅ ବିଜନ କୁମାର ସାହୁଙ୍କ ସ୍ବପ୍ନ ବିଷୟରେ।

ମା ମୁ ବଡହେଲେ ଡାକ୍ତର ହେବି ଛୋଟବେଳୁ ମା ପଣତକାନିରେ ରହି ପାଠପଢିବା ବେଳେ ଏମିତି କିଛି ବାପା ମାଙ୍କୁ କହୁଥିଲେ । ଆଉ ଏବେ ସତକୁ ସତ ସଫଳତା ପୁଅ ହାତରେ । ରେଢାଖୋଲ ଏନଏସି ,୧ନମ୍ବର ୱାର୍ଡ , କେଳାକଟା ଗାଁର ବାପା ବଟକିଶୋର ସାହୁ ଓ ମା ନଲିନୀ ସାହୁଙ୍କ ପୁଅ ବିଜନ କୁମାର ଏବେ ମେଡିକାଲ ପଢିବା ପାଇଁ କୃତକାର୍ଯ୍ୟ ହାସଲ କରିଛନ୍ତି ।

ବାପା ଜଣେ ଗରିବ ଚାଷୀ ,ମା ବିଡି ମୋଡାଳି ଏଥିରେ ଯେତିକି ଟଙ୍କା ରୋଜଗାର କରନ୍ତି, ସେତିକିରେ ଆଜିକା ସମୟରେ ପରିବାର ଚଳିବା କଷ୍ଟ । ହେଲେ ବି ସେ ହାର ମାନିନଥିଲେ । ବରଂ ପୁଅର ପଢାପାଇଁ ସବୁ ସୁବିଧା କରିବାକୁ ଅଣ୍ଟା ଭିଡିଥିଲେ । ପରିବାରର ଆର୍ଥିକ ସ୍ଥିତି ଏତେଟା ସୁଧାର ନଥିବାରୁ ବିନା ଟ୍ୟୁସନରେ ଯୁକ୍ତ ଦୁଇ ପଢି ସାରିବା ପରେ ମାତ୍ର ଗୋଟିଏ ଥର ସର୍ବ ଭାରତୀୟ ସ୍ତରରେ ମେଡିକାଲରେ ୩୮୮୮ ରାଙ୍କ ରଖି ନିଜର ସ୍ୱପ୍ନକୁ ସାକାର କରିଛନ୍ତି ବିଜନ । ଏହାକୁ ନେଇ ସବୁଆଡୁ ମିଳୁଛି ତାଙ୍କୁ ପ୍ରଶଂସା,ସମ୍ବର୍ଦ୍ଦନା । ବାପା ମାଙ୍କ ପରିଶ୍ରମ ଶିକ୍ଷକଙ୍କ ପରାମର୍ଶ ମୋର କଠିନ ପରିଶ୍ରମ ପାଇଁ ଆଜି ଏ ସଫଳତା ବୋଲି ବିଜନ କୁମାର କହିଛନ୍ତି।

ସେପଟେ ପୁଅ ଡାକ୍ତର ହେବାକୁ ଦେଖୁଥିବା ସ୍ୱପ୍ନକୁ ପୂରଣ କରିବାରେ କାଳେ ଅସଫଳ ହୋଇଯିବେ ବାପା-ମାଆ, ସେଥିପାଇଁ ରାସ୍ତା କଡରେ ଥିବା ଜମିକୁ ବି ଶେଷରେ ବିକ୍ରି କରିଦେଲେ । ଜମି ବିକ୍ରି କରିବା ପରେ ତାଙ୍କୁ କଷ୍ଟ ତ ଲାଗିଥିଲା ହେଲେ ପୁଅ ପାଇଁ ସେ ଯେଉଁ ନିଷ୍ପତ୍ତି ନେଇଥିଲେ, ତାହା ସଠିକ୍‌ ଥିଲା ବୋଲି କହିଛନ୍ତି ବିଜନଙ୍କ ବାପା କହିଥିବା ବେଳେ ଗୋଟିଏ ସୁଯୋଗରେ ହିଁ ଏ ସଫଳତା ପୁଅ ଆଣିଛି ୟାଠୁ ବଳି ଖୁସି କଣ ହୋଇପାରେ ବୋଲି ମା କହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.