ବସନ୍ତ ଋତୁକୁ ସ୍ବାଗତ କରୁଛି ପଳାସ ଫୁଲ, ମନଲୋଭା ଦୃଶ୍ୟ ଦେଖି ଆକର୍ଷିତ ହେଉଛନ୍ତି ଲୋକେ

ଗୋଟିଏ ପଟେ ବସନ୍ତ ଋତୁକୁ ସ୍ବାଗତ ଜଣାଇବା ପାଇଁ ସଜେଇ ହୋଇ ଜଗି ରହନ୍ତି ଅନେକ ପ୍ରକାର ଫୁଲ । ଚୈତ୍ର ମାସର ଡହ ଡହ ଖରାରେ ବସନ୍ତର ମୃଦୁ ମଳୟ । ସତେ ଯେପରି କୋଇଲିର କୁହୁ କୁହୁ ସ୍ୱରରେ ନାଚି ଉଠୁଛନ୍ତି ଅନେକ ପ୍ରକାର ଫୁଲ । କବି ହେଉ କି ଚିତ୍ରକର ହେଉ ଏହି ଋତୁକୁ ସବୁ ଅନେଇ ବସି ରହନ୍ତି । କବି ଫୁଲକୁ ଦେଖି ଅନେକ କବିତା ଲେଖି ଡାଇରିରେ ସାଇତି ରଖିବା ବେଳେ ଚିତ୍ରକର ତାର ତୂଳୀରେ ଚିତ୍ର ଆଙ୍କି କାନଭାସରେ ସାଇତି ରଖେ । ସେଥି ମଧ୍ୟରେ ମଧୁମାଳତି, ରାଧାଚୁଡ଼ା ହେଉ କି କ୍ରୁଷ୍ଣଚୁଡ଼ାଭଳି ବିଭିନ୍ନ ପ୍ରକାର ଫୁଲ ସମସ୍ତଙ୍କ ମନ ମୋହେ । ଏହି ଫୁଲମାନଙ୍କ ମଧ୍ୟରୁ ଅନ୍ୟତମ ଫୁଲ ହେଉଛି ପଳାଶ ଫୁଲ । ଏହାର ରଙ୍ଗ ନାରଙ୍ଗୀ ହୋଇଥାଏ । ଏହା ସାଧାରଣତଃ ଜଙ୍ଗଲ ମଧ୍ୟରେ ଦେଖା ଯାଇଥାଏ । ଏହି ଫୁଲ ବସନ୍ତ ଋତୁର ମଧ୍ୟ ଭାଗରେ ଓ ଚୈତ୍ର ମାସରେ ଆରମ୍ଭରେ ଫୁଟି ଥାଏ । ଏହି ଫୁଲ ଚୈତ୍ର ମାସ ଆଗମନର ସୂଚନା ମଧ୍ୟ ଦେଇ ଥାଏ ।
ବଣ ଜଙ୍ଗଲ ଘେରା କୋରାପୁଟ ଜିଲ୍ଲା ସୌନ୍ଦର୍ଯ୍ୟର ଗନ୍ତା ଘର । ପ୍ରକୃତିର ବରଦାନ ସଦୃଶ ଏ ଜିଲ୍ଲା । ବର୍ଷକ ଯାକରର ୬ଟି ଋତୁ ରେ ପ୍ରକୃତିର ଆଶୀର୍ବାଦରୁ ସବୁ ସମୟରେ କିଛି ନା କିଛି ମନଲୋଭା ଦୃଶ୍ୟ ଦେଖିବାକୁ ମିଳେ । ସେ ଗାଁ ହେଉ କି ଜଙ୍ଗଲ ହେଉ ସବୁଠାରେ ପଳାଶ ଫୁଲର ସୌନ୍ଦର୍ଯ୍ୟ ସମସ୍ତଙ୍କୁ ଆକର୍ଷିତ କରେ ।
ପଳାଶ ଫୁଲକୁ ନେଇ ପୁରାଣରେ ଅନେକ ଗୁଡ଼ିଏ କିମ୍ବଦନ୍ତୀ ରହିଛି । ସେଥି ମଧ୍ୟରୁ ଏହି ଫୁଲ କୌଣସି ଭୁଲ୍ ନକରି ଦଣ୍ଡ ପାଇଥିବାରୁ ପ୍ରଭୁ ଶିବ ଶଙ୍କରଙ୍କୁ ପ୍ରଶ୍ନ କରି ଗୁହାରି ହୋଇଥିଲେ । ଏଣୁ ଭଗବାନ ଶିବ ଆଶୀର୍ବାଦ କରି କହିଥିଲେ କି ତୁ ମୋର ସବୁଠାରୁ ପ୍ରିୟ ଫୁଲ ହେବୁ । ସେହି ଦିନ ଠାରୁ ପଳାଶ ଫୁଲ ଭଗବାନ ଶିବ ଶଙ୍କରଙ୍କ ପ୍ରିୟ ହୋଇ ରହିଛି । ପଳାଶ ଫୁଲ ଏକ ବାସହହୀନ ଫୁଲ । ଶିବରାତ୍ରି ସମୟରେ ଏହି ଫୁଲ ଫୁଟୁଥିବାରୁ ଭକ୍ତମାନେ ବହୁ ଶ୍ରଦ୍ଧାରେ ଏହି ଫୁଲ ପ୍ରଭୁ ଶିବଙ୍କୁ ଅର୍ପଣ କରଥାନ୍ତି । ଏହି ଫୁଲ ଚୈତ୍ର ମାସରେ ଫୁଟୁ ଥିବାରୁ ଦେବୀମାନଙ୍କୁ ମଧ୍ୟ ଅର୍ପଣ କରାଯାଇଥାଏ ।
ଅନେକ ପ୍ରକାର ଜଂଗଲୀ ଫୁଲ ପ୍ରକୃତିର ଶୋଭା ବଢ଼ାଇବାରେ ସହାୟକ ହୋଇଥାଆନ୍ତି । କିନ୍ତୁ ସତରେ କୋରାପୁଟ ଜିଲ୍ଲା ବସନ୍ତ ଋତୁର ଦୃଶ୍ୟକୁ ବଢ଼ାଇଥାଏ ଏହି ପଳାଶ ଫୁଲ ।