ଚାଷୀଙ୍କ ହିତ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିବେ ନୂଆ ନକ୍ସା; BSKY ଢାଞ୍ଚାରେ ଆସିପାରେ ଫସଲ କ୍ଷତିଭରଣା ନୀତି

ଭୁବନେଶ୍ୱର (କେନ୍ୟୁଜ): ଚାଷୀଙ୍କ ପାଇଁ ‘ନବୀନ’ ନକ୍ସା । ଚାଷୀଙ୍କ ହିତ ପାଇଁ ନୂଆ ପଦକ୍ଷେପ ନେବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଢାଞ୍ଚାରେ ଆସିପାରେ ଫସଲ କ୍ଷତି ଭରଣା ନୀତି । ଫସଲ ବୀମାରେ କ୍ଷତିପୂରଣ ଅର୍ଥ ପାଇବାକୁ ଦହଗଞ୍ଜ ହେଉଥିବା ଚାଷୀଙ୍କୁ ଆଶ୍ୱସ୍ତି ଦେବା ପାଇଁ ଖୁବଶୀଘ୍ର ଫସଲ କ୍ଷତି ଭରଣା ପାଇଁ ନିଜସ୍ୱ ପାଣ୍ଠି ସୃଷ୍ଟି କରିବେ ସରକାର । ଚଳିତବର୍ଷ ରାଜ୍ୟ ବଜେଟରେ ନିଜସ୍ୱ ନୂଆ ଫସଲ କ୍ଷତି ଭରଣା ନୀତି ପ୍ରଣୟନ କରିପାରନ୍ତି ରାଜ୍ୟ ସରକାର ।

୨୦୨୩-୨୪ ଆର୍ଥିକ ବର୍ଷ ବଜେଟରେ ଏନେଇ ବ୍ୟୟବରାଦ ହୋଇପାରେ । ୧୦ ପ୍ରତିଶତରୁ ଅଧିକ କ୍ଷତି ହୋଇଥିବା ପଞ୍ଜୀକୃତ ଚାଷୀଙ୍କୁ ଏହି ଯୋଜନା ଅଧୀନରେ କ୍ଷତିଭରଣା ଦିଆଯିବ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଫସଲ କ୍ଷତିର ବୀମା ରାଶି ପାଇବାକୁ ରାଜ୍ୟର ଚାଷୀ ବହୁ ହଇରାଣ ହେଉଛନ୍ତି । ଏଭଳି ଅସୁବିଧା ଯେଭଳି ନହେବ ସେଥିପାଇଁ ରାଜ୍ୟ ସରକାର ନିଜସ୍ୱ ଯୋଜନା ଆଣିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ଜଣାପଡିଛି ।

ଏହି ଯୋଜନାରେ BSKY ପରି ଇନସ୍ୟୁରାନ୍ସ ବ୍ୟବସ୍ଥାରେ ପଞ୍ଜୀକୃତ ଚାଷୀ ନିଜର କ୍ଷତିପୂରଣ ପାଇପାରିବେ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ୩୩ ପ୍ରତିଶତ ଫସଲ କ୍ଷତିରେ ଚାଷୀଙ୍କୁ କ୍ଷତିପୂରଣ ମିଳୁଛି । ରାଜ୍ୟ ସରକାରଙ୍କ ନୂଆ ନୀତି ଆସିଲେ ୧୦ ପ୍ରତିଶତରୁ ଅଧିକ ଫସଲ କ୍ଷତି ହୋଇଥିବା ଚାଷୀଙ୍କୁ ବି ମିଳିବ କ୍ଷତିପୂରଣ । ଏଥିପାଇଁ ପଞ୍ଚାୟତଓ୍ଵାରୀ ଜଳସେଚିତ ଓ ଅଣଜଳସେଚିତ ଜମି ପାଇଁ ଏକର ପିଛା କ୍ଷତିଭରଣା ରାଶି ନିର୍ଦ୍ଧାରିତ କରାଯିବ । ଧାନ ବ୍ୟତୀତ ଅନ୍ୟ ଫସଲ ପାଇଁ ଭିନ୍ନ ଭିନ୍ନ କ୍ଷତିଭରଣା ଅର୍ଥ ଧାର୍ଯ୍ୟ କରିବାକୁ ଯୋଜନା ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.