ଖୁବଶୀଘ୍ର ପୂରଣ ହେବ ସରକାରୀ ପଦବୀ, ୯୨ ହଜାର ପିଲାଙ୍କୁ ମିଳିବ ନିଯୁକ୍ତି 

ଭୁବନେଶ୍ୱର : ଆକ୍ସନ୍‌ ମୁଡ୍‌ରେ  ସରକାର ।  ଖୁବଶୀଘ୍ର ପୂରଣ ହେବ ରାଜ୍ୟର ୭୮,୯୧୯ ସରକାରୀ ପଦବୀ । ପଦବୀ ଗୁଡ଼ିକ ପୂରଣ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ବିଭିନ୍ନ ବିଭାଗକୁ ନିର୍ଦେଶ ଦେଲେ ରାଜ୍ୟ ସରକାର । ରାଜ୍ୟରେ ମୋଟ ୩,୯୯,୬୬୬ ମଞ୍ଜୁରୀ ପ୍ରାପ୍ତ ପଦବୀ ମଧ୍ୟରୁ ୧ ଲକ୍ଷ ୩୨ ହାଜର ୪୫୯ ପଦବୀ ଖାଲି ପଡ଼ିଛି ।  ସେଥିରୁ ୯୨୨୦୩ଟି ପଦବୀକୁ ପୂରଣ ନିମନ୍ତେ କ୍ଷମତାପ୍ରାପ୍ତ କମିଟିର ଅନୁମୋଦନ ମିଳିସାରିଥବାବେଳେ ବାକି ୪୦୨୫୬ଟି ପଦବୀକୁ ଅନୁମୋଦନ ପ୍ରକ୍ରିୟା ସେପ୍ଟେମ୍ବରମାସ ସୁଦ୍ଧା ସାରିବା ପାଇଁ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ୯୨୨୦୩ଟି ପଦବୀକୁ କ୍ଷମତାପ୍ରାପ୍ତ କମିଟି ଅନୁମୋଦନ କରିଛନ୍ତି ସେଥିରୁ ୭୮୯୧୯ଟି ପଦବୀକୁ ପୂରଣ ପାଇଁ ସରକାରଙ୍କ ବିଭିନ୍ନ ନିଯୁକ୍ତି ଏଜେନ୍ସୀକୁ ଚିଠି ଲେଖି ଅବଗତ କରାଯାଇଥିବାବେଳେ ବାକି ଥିବା ୧୩୨୮୪ଟି ପଦବୀ ପୂରଣ ପାଇଁ ଚଳିତମାସ ସୁଦ୍ଧା ନିଯୁକ୍ତି ଏଜେନ୍ସୀକୁ ରିକ୍ୟୁଜିସନ୍ ପଠାଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଡିସେମ୍ବର ସୁଦ୍ଧା ଖାଲି ପଡ଼ିଥିବା ସମସ୍ତ ସରକାରୀ ପଦବୀ ନିମନ୍ତେ ବିଜ୍ଞାପନ ଜାରି କରିବାକୁ ରାଜ୍ୟ ସରକାରଙ୍କ ନିଯୁକ୍ତି ଏଜେନ୍ସୀଗୁଡ଼ିକୁ କୁହାଯାଇଛି । ଏହାସହିତ ଆସନ୍ତା ସେପ୍ଟେମ୍ବର ମାସରେ ରାଜ୍ୟ ସରକାର ନିଯୁକ୍ତି ମେଳା ମାଧ୍ୟମରେ ୧୮୭୮୮ଜଣ କନିଷ୍ଠ ଶିକ୍ଷକ(ସ୍କିମେଟିକ)ଙ୍କୁ ନିଯୁକ୍ତି ପତ୍ର ବଂଟନ କରିବେ ବୋଲି ଜଣାପଡ଼ିଛି । କେବଳ ସେପ୍ଟେମ୍ବର ମାସରେ ୭ଟି ନିଯୁକ୍ତି ମେଳାର ଆୟୋଜନ କରାଯାଇ ମୋଟ ୨୧୯୧୮ଟି ବିଭିନ୍ନ ବର୍ଗର ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବଂଟନ କରାଯିବାକୁ ସରକାର ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି ।

ତେବେ ଯେଉଁ ୪୦୨୫୬ଟି ମୂଳ ପଦବୀକୁ ଏପର୍ଯ୍ୟନ୍ତ କ୍ଷମତାପ୍ରାପ୍ତ କମିଟିଙ୍କ ଅନୁମୋଦନ ମିଳିନାହିଁ ସେଥିରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ସର୍ବାଧିକ ୧୬୭୩୮ଟି ପଦବୀ, ଗୃହ ବିଭାଗର ୬୧୫୦ଟି ପଦବୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣର ୪୬୧୨ଟି ପଦବୀ, କୃଷି ଓ କୃଷକକଲ୍ୟାଣ ବିଭାଗର ୨୦୫୦ଟି, ଉଚ୍ଚଶିକ୍ଷା ବିଭାଗର ୧୬୯୩ଟି ପଦବୀ ରହିଛି ।

 

 

You might also like