୫୦ ବର୍ଷର ଅତୁଟ ବନ୍ଧୁତ୍ୱର କଥା…

ପାଟଣାଗଡ଼ : ବନ୍ଧୁ । ସବୁଠୁ ଭିନ୍ନ ଏ ସମ୍ପର୍କ । ଏଥିରେ ନା ଥାଏ କୌଣସି ବାଛ ବିଚାର, ନା ଥାଏ ବୟସର କଟକଣା । ସେ ଯୁବକ ହେଉ କି ବୃଦ୍ଧ ସମସ୍ତଙ୍କ ପାଖରେ ରହିଥାଏ ବନ୍ଧୁତ୍ୱର ମହତ୍ତ୍ୱ । ବନ୍ଧୁତା ହେଉଛି ସେହି ସୁନ୍ଦର ଅନୁଭବ ଯାହା ସମୟର ଗତି ସହିତ ଆହୁରି ନୀବିଡ ହୋଇଯାଏ । ତେବେ ଜଣେ ଭଲ ଏବଂ ପ୍ରକୃତ ସାଙ୍ଗ ସହିତ ଆମେ ଆମ ହୃଦୟରେ ସବୁକିଛି ବାଣ୍ଟିପାରିଥାଉ ।

ତେବେ ରକ୍ତର ସମ୍ପର୍କ ଠାରୁ ବି ବେଶ ଗଭୀର ବନ୍ଧୁତା । ରାଗ,ରୁଷା, ଅଭିମାନ ସବୁ କିଛିଥାଏ । ହେଲେ ଭାବ ବିନିମୟ ପାଇଁ ଟିକିଏ ଅବସର ଖୋଜନ୍ତି ଏମାନେ । ତେଣୁ କରି ତ ୧୯୮୧ ମସିହାରୁ ଆଜି ଯାଏ ଏମାନେ ପାଳନ କରି ଆସୁଛନ୍ତି ବନ୍ଧୁ ମିଳନ । ଏ ହେଉଛି ଦୀର୍ଘ ୫୦ ବର୍ଷ ପରେ ମଧ୍ୟ ୧୯୭୪ ମସିହା ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ରମାଇ ହାଇସ୍କୁଲ ମାଟ୍ରିକ ବ୍ୟାଚ୍ ର ବନ୍ଧୁମାନଙ୍କ ମଧ୍ୟରେ ଥିବା ଅତୁଟ ବନ୍ଧୁତ୍ୱର କଥା ।

ସମସ୍ତେ ପ୍ରାୟ ବୟସର ଅପରାହ୍ନରେ ପହଞ୍ଚିଥିଲେ ବି ପରସ୍ପରକୁ ବର୍ଷରେ ଗୋଟିଏ ଦିନ ଭେଟି ଭାବର ଆଦାନପ୍ରଦାନ କରିଥାନ୍ତି ଏମାନେ । ଆଜି ନୁହେଁ ଦୀର୍ଘ ୫୦ ବର୍ଷ ଧରି ଏମାନେ ଏଭଳି ଭାବେ କରିଆସୁଛନ୍ତି ବନ୍ଧୁମିଳନ କାର୍ଯ୍ୟକ୍ରମ । ଚଳିତ ବର୍ଷ ରମାଇ ହାଇସ୍କୁଲ ୧୯୭୪ ବ୍ୟାଚର ଏହି ସମସ୍ତ ବନ୍ଧୁମାନେ ପାଟଣାଗଡ଼ ରାମପୁରସ୍ଥିତ ଭୁଲିଆ ସମାଜ ଧର୍ମଶାଳାରେ ଆୟୋଜନ କରିଥିଲେ ୫୦ ବର୍ଷ ପୂର୍ତ୍ତି ବନ୍ଧୁମିଳନ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମ କରି ଅନ୍ୟମାନଙ୍କ ପାଇଁ ଏହି ବନ୍ଧୁମାନେ ଏବଂ ସେମାନଙ୍କ ପତି ପିତ୍ନୀ ମାନେ ଏଥିରେ ସାମିଲ୍ ହୋଇ ନିଜର ପିଲାଦିନର ସ୍ମୃତିକୁ ମନେ ପକାଇଥିଲେ ।

ବେଳେ ବେଳେ ସମୟ ଓ ପରିସ୍ଥିତି ପଡି ବନ୍ଧୁତା ବିଭିନ୍ନ କାରଣରୁ ଶେଷ ହୋଇଯାଏ । କେତେବେଳେ ସାଙ୍ଗମାନେ ପରସ୍ପରଠାରୁ ଦୂରେଇ ଯାଆନ୍ତି ତ କେତେବେଳେ ଦୂରତା ହେତୁ ପରସ୍ପରକୁ ଭୁଲିଯିବାକୁ ବାଧ୍ୟ ହୁଅନ୍ତି । କିନ୍ତୁ ଯିଏ ବନ୍ଧୁତ୍ୱର ପ୍ରକୃତ ଅର୍ଥକୁ ବୁଝିଛି, ସେହିଁ ଜାଣିଛି ବନ୍ଧୁତାର ମାନେ । ଯାହାର ଜ୍ଵଳନ୍ତ ଉଦାହରଣ ଏମାନେ ।