ପୂଜା କହିଲେ ଯେମିତି ଆମେ କେବଳ ଦଶହରାକୁ ହିଁ ବୁଝୁ । ଆଉ ସବୁ ଖୁସି ଆନନ୍ଦ ଏବଂ ଉତ୍ସବ ଏଇ ଦୁର୍ଗାପୂଜାରେ ହିଁ ଉଠାଇବାକୁ ଚେଷ୍ଟା କରୁ । ମା ଦୁର୍ଗତି ନାଶିନୀଙ୍କ ଆଶୀର୍ବାଦ ନେବା ସହ ପୂଜାର ମଜା ଉଠାଇଥାନ୍ତି ସମସ୍ତେ । ହେଲେ ଏଇ ପୂଜା କିଛି ଲୋକଙ୍କ ପାଇଁ ମଜା ଆଣୁଥିବା ବେଳେ ଆଉ କିଛି ଲୋକଙ୍କ ପାଇଁ ଜୀବିକାର ମାଧମ ସାଜେ । ବିଭିନ୍ନ ସ୍ଥାନରେ ମଣ୍ଡପରେ ମା’ଙ୍କର ପୂଜାର୍ଚ୍ଚନା ହୋଇଥାଏ । ମାଙ୍କ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଛୁଟି ଆସନ୍ତି ଭକ୍ତ ଓ ଶ୍ରଦ୍ଧାଳୁ । ସେହିଭଳି ଝାରସୁଗୁଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଙ୍କ ଦର୍ଶନ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ ।
ଏହି ପୂଜାରେ କିଛି ଲୋକ ନିଜ ପେଟ ପାଟଣା ପାଇଁ ବିଭିନ୍ନ ପ୍ରକାର ଦୋକାନ ବଜାର ଲଗାଇଥାନ୍ତ । ଏଥିମଧ୍ୟରେ ଆମ ନଜର ପଡ଼ିଥିଲା ବେଲପାହାଡ଼ ଷ୍ଟେସନ ଠାରେ ହେଉଥିବା ଦୁର୍ଗାପୂଜାରେ । ମଣ୍ଡପ ନିକଟରେ ବସି ଗୀତ ଗାଉଥିବା ଏକ ଦମ୍ପତିଙ୍କ ଉପରେ । ମାଙ୍କ ଦର୍ଶନ କରି ଫେରିବା ସମୟରେ ଦୁଇ ସ୍ବାମୀ, ସ୍ତ୍ରୀ ଢୋଲକ ଓ ହାରମୋନିୟମ ଧରି ଗୀତ ଗାଇ ଲୋକଙ୍କ ମନୋରଞ୍ଜନ କରୁଥିଲେ । ମା’ଙ୍କ ନିକଟକୁ ଆସୁଥିବା ଶ୍ରଦ୍ଧାଳୁମାନେ ଯିଏ ଯାହା ଦିଅନ୍ତି ସେଥିରେ ଦିନଟିଏ ଚଳିଯାଏ ଏମାନଙ୍କର ।
ଏହି ଦମ୍ପତିଙ୍କ ସହ ଆମେ କଥା ହେଲୁ । ସେମାନେ ଆମ ରାଜର ନଥିଲେ । ଉତ୍ତର ପ୍ରଦେଶ ଫୈଜାପୁରର ତାରାବାନୋ ଓ ତାଙ୍କ ସ୍ବାମୀ ଗୁଲାମ । ତାଙ୍କ କହିବାନୁସାରେ ଯେକୌଣସି ସ୍ଥାନରେ ଲୋକଙ୍କ ଭିଡ଼ ଜମେ ସେଠାରେ ଏକ ଧଳା ଚାଦର ପକାଇ ଦିଅନ୍ତି । ସ୍ତ୍ରୀ ତାରାବାନୋ ହାତରେ ଢୋଲକ ଓ ସ୍ବାମୀ ଗୁଲାମ ହାରମୋନିୟମ ଧରି ନିଜ କଳା ଦ୍ଵାରା ଲୋକଙ୍କୁ ମନୋରଞ୍ଜନ କରିଥାନ୍ତି । ଏଥିରେ ଖୁସି ହୋଇ ଲୋକେ ଯାହା ଦିଅନ୍ତି ସେଥିରୁ ସ୍ବାମୀ, ସ୍ତ୍ରୀଙ୍କ ଗୁଜୁରାଣ ମେଣ୍ଟି ଯାଏ ।
ଛୋଟ ବେଳୁ ହିଁ ତାରାଙ୍କୁ ଢୋଲକୀ ବେଜେଇବାର ବହୁତ ଇଛା ଥିଲା । ଧୀରେ ଧୀରେ ଶିଖି ବାହାରେ ଲୋକଙ୍କ ମନୋରଞ୍ଜନ କରିବା ଆରମ୍ଭ କରିଥିଲେ । ତାରା ଓ ଗୁଲାମ ମୁସଲମାନ ଧର୍ମାବଲମ୍ବୀ । ତଥାପି ମା’ଙ୍କ ପୂଜା ମଣ୍ଡପ ସମ୍ମୁଖରେ ବସି ଭଜନ ଗାଇବା ସହ ଲୋକଙ୍କ ମନୋରଞ୍ଜନ କରିଥାନ୍ତି । କଥାରେ ଅଛି ପରା ପେଟ ପୋଷ ନାହିଁ ଦୋଷ । ଯିଏ ନିଷ୍ଠା ଆଉ ସଚ୍ଚୋଟ ଭାବରେ କାମ କରିବ ଆଉ ନିଜ କାମକୁ ଭଲ ପାଇବ ତାର କିଛି ଦୁଃଖ ରହିବ ନାହିଁ । ସତରେ ଖୁବ ପ୍ରେରଣାଦାୟୀ ଏହି ଦମ୍ପତିଙ୍କ କାହାଣୀ । ଦର୍ଶକ ବନ୍ଧୁ, ଜୀବନ ଜୀବିକା କଥା ଉଠିଲେ ସାମ୍ନାକୁ ଆସେ ଅନେକ ପ୍ରସଙ୍ଗ ।
କିଏ କେମିତି ଜୀବନ ଜିଉଛି ଓ ଜୀବିକା ନିର୍ବାହ କରି ପେଟ ପୋଷୁଛି ପ୍ରତିଦିନ ଆମ ନଜରକୁ ଆସେ କେତେ କେତେ ଦୃଶ୍ୟ । କିନ୍ତୁ ବେଳେ ବେଳେ ଏମିତି କିଛି କଥା ଆମ ସାମନାକୁ ଆସେ ଯାହା ଆମ ଆଖି ଖୋଲିଦିଏ । ସେମାନଙ୍କ ଆଗରେ ଆମେ ନିଜକୁ ନ୍ୟୂନ ଭାବୁ । ଆଉ ମନକୁ ଆସେ,ସତରେ ସଂସାରେ ଏମତି ଲୋକ ବି ଅଛନ୍ତି ? ଯିଏ ପରିବାର ପାଇଁ ନିଜକୁ ତିଳ ତିଳ ଜାଳି ଦୁଇ ଓଳି ଦୁଇ ମୁଠା ଦାନା ଯୋଗାଡ଼ କରନ୍ତି । କେଇ ମୁଠା ଦାନା ପାଇଁ ସେମାନଙ୍କୁ କେତେ ଯେ କଷ୍ଟ ଦୁଃଖ ଯନ୍ତ୍ରଣାର ସାମନା କରିବାକୁ ପଡ଼େ ତାର ହିସାବ ସେମାନେ ନିଜେ ବି ରଖି ପାରନ୍ତି ନାହିଁ ।
ହେଲେ ଏତେ ତ୍ୟାଗ କରି ବି କେବେ ସେମାନଙ୍କ ମୁହଁରେ ଦୁଃଖ ଅବସାଦ ଦେଖିବାକୁ ମିଳେନି । ଆଉ ଏଇମାନେ ହେଉଛନ୍ତି ଅସଲ ସଂଗ୍ରାମୀ । ଏମାନଙ୍କ ଆବଶ୍ୟକତା କମ୍ ତେଣୁ ଦୁଃଖ ଭିତରେ ସୁଖ ଖୋଜନ୍ତି । ଆଉ ହସି ହସି ପରିସ୍ଥିତିର ସାମନା କରନ୍ତି । ହେଲେ ଏମାନଙ୍କ ଜୀବନ ଧାରାକୁ ଆମେ କେହି ଅନୁସରଣ କରନ୍ତି ନାହିଁ । କାରଣ ଆମକୁ ଦୁଃଖର ସାମନା କରିବାକୁ ଡର ଲାଗେ । ତେଣୁ ଆମେ ହେଉଛୁ ଭୀରୁ ଓ ସେମାନେ ଜୀବନ ସଂଗ୍ରାମର ଅସଲ ଯୋଦ୍ଧା …