ଦୃଢ ଇଚ୍ଛାଶକ୍ତି ଏବଂ କଠିନ ପରିଶ୍ରମ ଜଣେ ବ୍ୟକ୍ତିଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିଥାଏ । କିଛି କରିବାର ଇଚ୍ଛାଶକ୍ତି ଆଜି ଦୁଇ ମହିଳାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଛି । ଏମିତି ଦୁଇଜଣ ଜଣ ପରିଶ୍ରମୀ ମହିଳା ହେଲେ କିରଣବାଳା ମହାପାତ୍ର ଏବଂ ଊଷାରଣୀ ସାହୁ । ତେବେ ଆସନ୍ତୁ ଜାଣିବା ଏହି ଦୁଇ ମହୀୟସୀ ମହିଳାଙ୍କ ସଂଘର୍ଷର କାହାଣୀ….।
ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ କେନ୍ଦ୍ରାପଟୀ ଗ୍ରାମର କିରଣବାଳା ମହାପାତ୍ର ଶିକ୍ଷାଗତ ଯୋଗ୍ୟତା +୨ ପାସ । ବିବାହ କରିବାପରେ ଆର୍ଥିକ ଅନାଟନ କିରଣବାଳାଙ୍କ ପାଇଁ ସମସ୍ୟା ହୋଇ ଠିଆହେଲା । ସ୍ୱାମୀ ଜଣେ ଗାଡି ଚାଳକ ତେଣୁ ସେତିକିରେ ପରିବାର ଚଳିବା ବହୁତ କଷ୍ଟ । ଏଭଳି ପରିସ୍ଥିତିରେ ଗାଁର ମହିଳା ମହାସଂଘର ସାହାଯ୍ୟରେ ସି. ଆର. ପି ଭାବେ କାର୍ଯ୍ୟକରିବା ଆରମ୍ଭ କଲେ । ସେ ସମୟରେ ଗୋଟିଏ ମହିଳା ଗୋଷ୍ଠୀର ଖାତା କାମ କଲେ ମାତ୍ର କୋଡିଏ ଟଙ୍କା ମିଳୁଥିଲା । ମାସକୁ ପ୍ରାୟ ପଚିଶିଟି ମହିଳା ଗୋଷ୍ଠୀଙ୍କ ଖାତା କାମ କରି ଯାହା ରୋଜଗାର କରୁଥିଲେ ସେଥିରେ ପରିବାର କଷ୍ଟେ ମଷ୍ଟେ ଚଳିଯାଏ, ଯାହାକି ଯଥେଷ୍ଟ ନୁହେଁ । ସେଥିପାଇଁ ନିଜେ ଆତ୍ମନିର୍ଭରଶୀଳ ହେବାପାଇଁ ଅଧିକ କିଛି କରିବାପାଇଁ ଉଦ୍ୟମ ଆରମ୍ଭ କଲେ କିରଣବାଳା ।
ପ୍ରଥମେ ଗୋଟିଏ ସିଲେଇ ମେସିନ କିଣି ଛାତ୍ରଛାତ୍ରୀ ମାନଙ୍କ ଡ୍ରେସ ତିଆରି କରି କିଛି ଟଙ୍କା ରୋଜଗାର କଲେ । ସେଥିରେ ବି ତାଙ୍କ ମନ ମାନିଲାନି ଏହାପରେ ମହିଳା ମହାସଂଘରୁ ଋଣ ଆଣି କୁକୁଡ଼ା ଫାର୍ମ କରି ଭଲ ଦି ପଇସା ରୋଜଗାର କଲେ । ତାପରେ ଘରେ ଛୋଟ ଧାନକଳ ଆଉ ଅଟ୍ଟା ପେଶା କଳ ବସାଇଲେ । ତାପରେ କଟକରୁ ଚା’ ପତି ଆଣି ତାକୁ ଛୋଟ ଛୋଟ ପ୍ୟାକିଂ କରି ବିକ୍ରି କରିବା ଆରମ୍ଭ କଲେ । ଆର୍ଥିକ ଅନାଟନରେ ପଡି ଦୃଢ ଇଚ୍ଛା ଶକ୍ତି କିପରି ଆତ୍ମନିର୍ଭରଶୀଳତା ପାଇଁ ବାଟ ଫିଟାଇ ଦିଏ କିରଣବାଳା ମହାପାତ୍ରଙ୍କ ଠାରୁ ଜଣାପଡେ । ରୋଜଗାର ପାଇଁ ଜଣେ ମହିଳା ଏକାଧିକ କାର୍ଯ୍ୟ କରି ଆତ୍ମନିର୍ଭରଶୀଳ ହୋଇଛନ୍ତି । ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲକ୍ଷପତି ଦିଦିର ପ୍ରମାଣପତ୍ର ପାଇଛନ୍ତି ।
ସେହିପରି ଆଉ ଜଣେ ସଫଳ ମହିଳା ହେଲେ ଅସ୍ତରଙ୍ଗ ବ୍ଲକର ବିଜିପୁର ଗ୍ରାମର ଊଷାରାଣୀ ସାହୁ । ଶିକ୍ଷାଗତ ଯୋଗ୍ୟତା +୩ । ଶାଶୁ ଘରକୁ ଆସିବା ପରେ ଆର୍ଥିକ ଅନାଟନରେ ପଡି ପିଲାଙ୍କ ପାଠପଢା ଠିକ ଭାବେ କରିପାରୁନଥିଲେ । କିରଣବାଳାଙ୍କ ପରି ଉସାରାଣୀ ସି. ଆର.ପି ଭାବେ ବିଭିନ୍ନ ମହିଳା ଗୋଷ୍ଠୀଙ୍କ ଖାତା କାମ କରି ଯାହା ଟଙ୍କା ମିଳେ ପରିବାର ଚାଲେ । ଅଭାବ ଅନାଟନର କଷାଘାତ ତାଙ୍କୁ କିଛି କରିବା ପାଇଁ ବାଧ୍ୟ କରିଥିଲା । ନିଜେ ଜଣେ ମହିଳା ହୋଇ ସାମାଜିକ ଲୋକକଥାକୁ ଖାତିର ନକରି ଆତ୍ମନିର୍ଭରଶୀଳ ହେବାପାଇଁ ମହିଳା ମହାସଂଘରୁ ଋଣ ଆଣି ଏକ କ୍ଷୀର ଷ୍ଟୋର କଲେ । ଏହି ଷ୍ଟୋରର ସମସ୍ତ କାର୍ଯ୍ୟ ସେ ନିଜେ ହିଁ କରନ୍ତି ।
ଏହା ବ୍ୟତୀତ ମାଛ ଚାଷ, ପରିବା ଚାଷ ସହ ଦୁଇଟି ଗାଈ ରଖି ତାଙ୍କର ସେବା କରିଥିଲେ । ତାହାସହ ଗାଁ ମହିଳା ଗୋଷ୍ଠୀର ମିଟିଂ କରି ମହିଳାମାନେ ଘର କଣରେ ନ ରହି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ଆତ୍ମନିର୍ଭରଶୀଳତା ହେବାସହ କିପରି ଆଗକୁ ବଢିବେ ସେ ସମ୍ପର୍କରେ ଗ୍ରାମୀଣ ମହିଳାମାନଙ୍କୁ ବୁଝାଉଛନ୍ତି । କିଛି କରିବାର ଇଚ୍ଛା ଶକ୍ତି ଥିଲେ ଅନେକ ଅସାଧ୍ୟ କାର୍ଯ୍ୟକୁ କିପରି ସାଧନ କରି ଆର୍ଥିକ ଅନାଟନକୁ ପଛକୁ ପକାଇ ଦୁଇ ପଇସା ରୋଜଗାର କରିହେବ ତାହା କରି ଦେଖାଇଛନ୍ତି ଊଷାରାଣୀ । ତେଣୁ ଆଜି ସେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଲକ୍ଷପତି ଦିଦି ସମ୍ମାନର ଅଧିକାରିଣୀ ହୋଇପାରିଛନ୍ତି ।
କିରଣବାଳା ଆଉ ଊଷାରାଣୀଙ୍କ ଏକାଗ୍ରତା ଏବଂ ଇଚ୍ଛାଶକ୍ତି ଯୋଗୁଁ ସେମାନେ ଆଜି ଆର୍ଥିକ ଅନାଟନରୁ ମୁକୁଳି ସମାଜରେ ପୁରୁଷଙ୍କ ସହ ସମକକ୍ଷ ହୋଇପାରିଛନ୍ତି ଏବଂ ନିଜେ ଆତ୍ମନିର୍ଭରଶୀଳ ହୋଇ ପରିବାରକୁ ଆର୍ଥିକ ସ୍ବଚ୍ଛଳ କରିପାରିଛନ୍ତି । ଯାହା ଅନ୍ୟ ମହିଳାମାନଙ୍କ ପାଇଁ ଖୁବ ପ୍ରେରଣାଦାୟୀ ନିଶ୍ଚୟ ।