ପୋଲସରା: ଆଧୁନିକ ଯୁଗରେ ଆଧୁନିକ ଶୈଳୀରେ ହେଉଛି ଆଧୁନିକ ଫଳର ଚାଷ । ପାରମ୍ପରିକ ଚାଷ ବ୍ୟତୀତ ଯୁବ ପିଢ଼ିର କୃଷକମାନେ ଆଧୁନିକ ଚାଷ ଉପରେ ବିଶେଷ ଗୁରୁତ୍ବ ଦେଉଛନ୍ତି । ଆଉ ସେଥିରୁ ମଧ୍ୟ ଲାଭ କରୁଛନ୍ତି ପ୍ରଚୁର ଅର୍ଥ । ଚାଷୀଙ୍କ ଆୟକୁ ବୃଦ୍ଧି କରୁଥିବା ଡ୍ରାଗନ ଫଳ ଚାଷ ଏବେ ଲୋକପ୍ରିୟ ହେବାରେ ଲାଗିଛି । ତେବେ ଆମେ କହୁଛୁ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକର ଜଣେ ସଫଳ ଯୁବ ଚାଷୀଙ୍କ ଡ୍ରାଗନ ଫଳ ଚାଷ ସମ୍ପର୍କରେ ।
କୃଷି କ୍ଷେତ୍ରରେ ନୂତନ ଚାଷର ନୂତନ ସମ୍ଭାବନା ସୃଷ୍ଟି କରିଛନ୍ତି ଯୁବ ଚାଷୀ ସଂଗ୍ରାମ । ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଅନ୍ତର୍ଗତ ଚିରିକିପଡ଼ାଶାସନ ଗ୍ରାମରେ ନିଜର ବାଡ଼ିରେ ପ୍ରାୟ ଏକ ଭରଣ ଚାଷ ଜମିରେ ପରୀକ୍ଷା ମୂଳକ ଭାବରେ ଆରମ୍ଭ କରିଛନ୍ତି ଡ୍ରାଗନ୍ ଫଳ ଚାଷ । ସୋସିଆଲ ମିଡ଼ିଆ “ୟୁ ଟ୍ୟୁବ୍” ଦେଖି ପ୍ରେରଣା ପାଇଥିଲେ ଯୁବ ଚାଷୀ ସଂଗ୍ରାମ । ଗୋଟିଏ ଚାରାକୁ ଏକ ଶହ ଟଙ୍କା ମୂଲ୍ୟ ଦେଇ ବରପାଲିରୁ ଏକ ଶହ ଚାରା ଆଣି ଚାଷ ଆରମ୍ଭ କରିଥିଲେ ।
ଏହି ଫଳ ଦେଖିବାକୁ ସୁନ୍ଦର ଯେପରି ସୁସ୍ୱାଦୁ ମଧ୍ୟ ସେହିପରି । ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଏହି ଫଳର ଚାହିଦା ସ୍ଥାନୀୟ ପୋଲସରା ଓ ବୁଗୁଡ଼ା ବଜାରରେ ମଧ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଛି । ଯାହାକୁ ନେଇ ଉତ୍ସାହିତ ହେଉଛନ୍ତି ଯୁବ ଚାଷୀ । ଡ୍ରାଗନ୍ ଫଳ ଏକ ଭାରତୀୟ ଫଳ ନୁହେଁ । ଏହା ମୁଖ୍ୟତଃ ବାହାର ଦେଶରେ ଉତ୍ପାଦିତ ହୁଏ । ଭିଏତନାମ, ଥାଇଲ୍ୟାଣ୍ଡ, ମେକ୍ସିକୋ, ଇସ୍ରାଏଲ୍, ଶ୍ରୀଲଙ୍କା, ମାଲେସିଆ ଏବଂ ଇଣ୍ଡୋନେସିଆ ସମେତ ଅନ୍ୟ କିଛି ଦେଶରେ ଏହା ଚାଷ କରାଯାଏ ।
ଡ୍ରାଗନ୍ ଫଳର ସର୍ବାଧିକ ଉତ୍ପାଦନ ଥାଇଲ୍ୟାଣ୍ଡରେ ହୁଏ । ଏହି ଫଳର ଲାଭ ଦେଖି ଭାରତୀୟ ବଜାରରେ ମଧ୍ୟ ଏହାର ଚାହିଦା ବୃଦ୍ଧି ପାଉଛି । ଡ୍ରାଗନ୍ ଫଳ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ବହୁତ ସହାୟକ ହୁଏ । ସରକାରୀ ପ୍ରୋତ୍ସାହନ ମିଳିଲେ ଅନ୍ୟ ଚାଷୀ ମଧ୍ୟ ଏହି ଚାଷ ପାଇଁ ଆଗ୍ରହ ପ୍ରକାଶ କରିବେ ।