ବାଲେଶ୍ଵର : ମଧ୍ୟାହ୍ନ ଭୋଜନରେ ଖାଦ୍ୟ ପରିମାଣ କମ୍ ଓ ଆଳୁ କମ୍ ପଡୁଥିବାରୁ ଖାଦ୍ୟ ନ ଖାଇ ବିସ୍କୁଟ ଖାଇ ଫେରିଗଲେ ଛାତ୍ରଛାତ୍ରୀ । ବାଲେଶ୍ଵର ରେମୁଣା ବ୍ଲକ ଶ୍ରୀଜଙ୍ଗ ବଞ୍ଚାନିଧି ସ୍କୁଲ୍ ଆଗରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏପରିକି ସ୍କୁଲ ଆଗରେ ଖାଦ୍ୟକୁ ଫିଙ୍ଗା ଯାଇଥିବା ଦେଖିବାକୁ ମିଳିଥିଲା । ପିଲାଙ୍କୁ ବିସ୍କୁଟ ପ୍ୟାକେଟ ଦେଇ ସ୍କୁଲକୁ ଛୁଟି କରି ଦେବା ପରେ ଅଭିଭାବକ ମାନେ ନିମ୍ନମାନର ଖାଦ୍ୟ ଦେଉଥିବାର ଅଭିଯୋଗ କରିଛନ୍ତି ।
ଅନ୍ୟପଟେ ପିଲା ଫେରି ଯିବା ପରେ ତିଆରି ହୋଇଥିବା ଖାଦ୍ୟକୁ ଗେଟ୍ ସମ୍ମୁଖରେ ଧରି ବସି ରହିଲେ ଦାୟିତ୍ୱରେ ଥିବା ଏସଏଚଜି ମହିଳା। ଅଭିଭାବକ ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରୁଥିବା ବେଳେ ଦାୟିତ୍ୱରେ ଥିବା ଏସ ଏଚ ଜି ମହିଳା କହିଛନ୍ତି ଯେ ଖାଦ୍ୟ ସଠିକ୍ ପରିମାଣରେ ଦିଆଯାଉଛି । ତଥାପି ଏସ ଏମ ସି କମିଟି ଓ ଅଭିଭାବକ ମିଛରେ ଅଭିଯୋଗ କରୁଛନ୍ତି । ଏହି ଘଟଣାକୁ ନେଇ ଅଭିଭାବକ ଓ ଦାୟିତ୍ୱରେ ଥିବା ଏସ ଏଚ ଜି ମହିଳାଙ୍କ ମଧ୍ୟରେ ଯୁକ୍ତି ବଢିଲା ପରେ ଖାଦ୍ୟକୁ ଗେଟ୍ ଆଗରେ ଫୋପାଡି ଦିଆଯାଇଥିଲା ।