ଦ୍ବାଦଶ, ଦଶମ ତଥା ଜେଇ ମେନ ପରୀକ୍ଷାର କୃତୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ କଲେ ସମ୍ବର୍ଦ୍ଧିତ

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦଶମ, ଦ୍ୱାଦଶ ତଥା ଜେଇଇ ମେନ ପରୀକ୍ଷାର କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନର କନଭେନସନ ସେଣ୍ଟରରେ ଅନୁଷ୍ଠିତ ସ୍ୱତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧିତ କରିଛନ୍ତି । ଓଡ଼ିଶାର ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ରାଜ୍ୟର ପ୍ରତି ବ୍ଲକରେ ତଥା ଭୁବନେଶ୍ଵରରେ ଗୋଟିଏ ଆଇକନିକ ଆଦର୍ଶ ସ୍କୁଲ ରହିଛି । ସିବିଏସଇ ଢାଞ୍ଚାରେ ଏହି ସ୍କୁଲରେ ହଷ୍ଟେଲ ସୁବିଧା ସହିତ ପାଠ ପଢ଼ାଯାଉଛି । ଜେଇଇ ମେନ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ମୟୂରଭଞ୍ଜ ଜିଲ୍ଲାର ଝରଗାଁର ଆଦର୍ଶ ସାହୁ, କୋଟପାଡର ଓମ୍‌ ଆର୍ୟାନ ବିଶ୍ଵାଳ, ପିତାପଲ୍ଲୀର ଉତ୍କଳ ପଟ୍ଟନାୟକ, ଶାଳପଡ଼ାର ହେମନ୍ତ ବେହେରା ଆଦିଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି ।

ସେହିପରି ସିବିଏସଇ ଦ୍ୱାଦଶ ପରୀକ୍ଷାରେ ଉଲ୍ଲେଖନୀୟ କୃତିତ୍ୱ ହାସଲ ଶାଳପଡାର ଇଶାନୀ ବିଶୋଇ, ସିଦ୍ଧେଶ୍ଵରର ଏସ୍‌ ଅନୁଭବ ଦୋରା, ସିପଦ ଯଜ୍ଞ ପ୍ରସାଦ ଆଚାରୀ, କରାପଲ୍ଲୀର ଏମ୍‌ ମୋହିତ ରେଡ୍ଡୀ, କୋଟପାଡ଼ର ଓମ୍‌ ଆର୍ୟାନ ବିଶ୍ଵାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସେହିପରି CBSE ଦଶମ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ମୁଷିଗୁଡ଼ାର ସୁଧନ୍ୟା ପତି, ଗରୁଡବସାର ବୈବଶେ୍ଵତା ଆଚାର୍ଯ୍ୟଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟରେ ସେମାନଙ୍କ ଅନୁଭୂତି ସଂପର୍କରେ ପିଲାମାନଙ୍କୁ ପଚାରି ବୁଝିଥିଲେ ଏବଂ ସେମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ପିଲାମାନଙ୍କ ସହ ମତ ବିନିୟମ କରି ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ. ପାଣ୍ଡିଆନ ଆଦର୍ଶ ବିଦ୍ୟାଳୟରେ କିପରି ଆହୁରି ପ୍ରଭାବଶାଳୀ ଶିକ୍ଷାଦାନ କରାଯାଇପାରିବ ସେ ସଂପର୍କରେ ଛାତ୍ରଛାତ୍ରୀଙ୍କ ମତାମତ ଲୋଡିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.