ସରକାରୀ କାର୍ଯ୍ୟାଳୟରୁ ଗିରଫ ହେଲେ ଜିଲ୍ଲା ଯୋଗାଣ ଅଧିକାରୀ, ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ

ବଲାଙ୍ଗିର : ଭିଜିଲାନ୍ସ ଜାଲରେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ । ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଜି ପ୍ରଭାକର ପାତ୍ରଙ୍କୁ ଗିରଫ କଲା ଭିଜିଲାନ୍ସ । ତୁଷୁରାର ଗଜାନନ ରାଇସ ମିଲ ମାଲିକ ଆଶିଷ ଶର୍ମାଙ୍କ ଠାରୁ ସେ ଟଙ୍କା ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ । ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ମଧ୍ୟ ଜବତ କରାଯାଇଛି । ଅଭିଯୋଗକାରୀଙ୍କ ବକେୟା ବିଲ୍ ଓ ନୂଆ ଅର୍ଡର ପାସ ପାଇଁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ କିଛି ଦିନ ତଳେ ଲକ୍ଷେ ୩୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ । ଆଜି ବାକି ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀଙ୍କ ହାବୁଡ଼ରେ ପଡ଼ିଥିଲେ ।
ଏହାପରେ ତାଙ୍କର ଭୁବନେଶ୍ବର ସୂର୍ଯ୍ୟନଗରରେ ଥିବା ଫ୍ଲାଟ, ବୁଗୁଡ଼ା ବାଲିପଦରରେ ଥିବା ମାର୍କେଟ କଂପ୍ଲେକ୍ସ ଓ ବଲାଙ୍ଗିର ସିଲିକନ ଭ୍ୟାଲିରେ ଭଡ଼ା ଘରେ ରେଡ କରାଯାଇଛି । ବଲାଙ୍ଗିର, ସୋନପୁର ଓ ସମ୍ବଲପୁର ଭିଜିଲାନ୍ସ ଟିମ ଏକ କାଲିନ ୪ଟି ସ୍ଥାନରେ ଚଢ଼ାଉ କରିଛନ୍ତି । ରେଡ ବେଳେ ବଲାଙ୍ଗିରସ୍ଥିତ ଘରୁ ନଗଦ ୪ ଲକ୍ଷ ୩୯ ହଜାର ଟଙ୍କା ଜବତ ହୋଇଛି । ଏନେଇ ସମ୍ବଲପୁର ଭିଜିଲାନ୍ସ ଏକ ମାମଲା ରୁଜୁ କରିଛି ।
ସେହିପରି ଜୁଲାଇ ୧୦ରେ କନ୍ଧମାଳ ଜିଲ୍ଲା କୋଟଗଡ଼ ତହସିଲ ଦୁର୍ଗାପଙ୍ଗା ଆର ଆଇ ଦିଲ୍ଲୀପ ସାହୁ ୫ ହଜାରେ ଟଙ୍କା ଲାଞ୍ଚ ନେଇ ଧରାପଡିଥିଲେ । ଜମି ପଟ୍ଟା କରାଇ ଦେବାକୁ କହି ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିଲେ ।