ଗଞ୍ଜାମ: ଲଗାଣ ବର୍ଷା ରେ ଭାଙ୍ଗିଯାଇଛି ଅସ୍ଥାୟୀ ରାସ୍ତା, ଆଉ ବିପଦ ଜନକ ଅବସ୍ଥାରେ ଯାତାୟାତ କରୁଛନ୍ତି ଲୋକ ମାନେ । ଏହି ଦୃଶ୍ୟ କୌଣସି ଉପାନ୍ତ ଅଞ୍ଚଳର ନୁହେଁ ଆଜ୍ଞା ଏ ଖୋଦ ଗଞ୍ଜାମ ଜିଲ୍ଲା ସାନ ଖେମୁଣ୍ଡି ବ୍ଲକ ମୌଳାଭଂଣଜାର ଯିବା ରାସ୍ତାର ଦୃଶ୍ୟ । କିଏ ହାତକୁ ହାତ ଛନ୍ଦି ଯାଉଛି, ଆଉ କିଏ ପାଦ ଚିପି ଚିପି ପାର ହେଉଛି ରାସ୍ତାରେ । ଆଉ କିଏ ସାଇକେଲ ମୁଣ୍ଡକୁ ଟେକି ଯାତାୟାତ କରୁଛନ୍ତି । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ମୌଳାଭଣଞ୍ଜାରୁ ଖୁଲୁଡ଼ି, ନୂଆଗଡ଼ ଗାଁ କୁ ଯାତାୟାତ ପାଇଁ କରାଯାଇଥିବା ଅସ୍ଥାୟୀ ରାସ୍ତା ଗତକାଲି ର ଲଗାଣ ବର୍ଷାରେ ଧୋଇ ହୋଇଯାଇଛି ।
ଯାହା ଫଳରେ ଏହି ଦୁଇ ଗାଁ ଜନ ସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୂର୍ବରୁ ଏହି ରାସ୍ତା ରେ ଛୋଟିଆ ବ୍ରିଜ ଥିଲା । କିନ୍ତୁ ସରକାର ଏଠାରେ ଏକ ବଡ଼ ଧରଣର ବ୍ରିଜ କରିବାକୁ ଅର୍ଥ ମଞ୍ଜୁର କରିଥିଲେ ୨୦୨୪ ମାର୍ଚ୍ଚ ମାସରେ । କିନ୍ତୁ କାମ ଆରମ୍ଭ ନ ହେଉଣୁ ପୁରୁଣା ବ୍ରିଜ ଭାଙ୍ଗିଦେବା ଫଳରେ ସୃଷ୍ଟି ହୋଇଛି ଅସୁବିଧା । ଖୋଲଡି ଗାଁ ର ମହିଳା ମାନେ କୁହନ୍ତି, ଆମ୍ଭର ପ୍ରତିଦିନର ରାସ୍ତା, ଏମିତି ବହୁତ ଥର ମାଟି ରାସ୍ତା କରୁଛନ୍ତି ବର୍ଷା ହେଲେ ଭାଙ୍ଗି ଯାଉଛି । ଏହି ରାସ୍ତା ଦେଇ ଖୋଲଡି, ନୂଆଗଡ଼ ଗାଁ ର ପାଖାପାଖି ୩୦୦୦ ଲୋକ ଯାତାୟାତ କରିଥାନ୍ତି ।
ସ୍କୁଲ, ମେଡିକାଲ, ସଉଦା କିଣିବା ପାଇଁ ରାସ୍ତା ଦେଇ ଯାଉଥିବା ବେଳେ ଗାଁ କୁ ଯେଉଁ ମାନେ ମଧ୍ୟ ଆସନ୍ତି ସେମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୁରୁଣା ଛୋଟିଆ ବ୍ରିଜକୁ ଭାଙ୍ଗି ନୂଆ ବ୍ରିଜ କରିବା ପାଇଁ ରାଜ୍ୟ ସରକାର ୩ କୋଟିରୁ ଉର୍ଦ୍ଧ ଟଙ୍କା ମଞ୍ଜୁର କରିବା ପରେ ଗତ ମାର୍ଚ୍ଚ ମାସରେ ଗ୍ରାମ୍ୟ ଉର୍ନ୍ନୟନ ବିଭାଗ ପକ୍ଷରୁ ଏକ ବୋର୍ଡ ମଧ୍ୟ ଲଗାଯାଇଥିଲା । କିନ୍ତୁ କାମ ଆରମ୍ଭ ହୋଇ ନ ଥିବା ବେଳେ ପୁରୁଣାକୁ ଭାଙ୍ଗି ଦେବା ଘଟଣାକୁ ନିନ୍ଦା କରିଛନ୍ତି ଅଞ୍ଚଳ ବାସୀ ଏବଂ ଯେଉଁ ବୋର୍ଡଟି ଲଗାଯାଇଥିଲା ଓ ସେଥିରେ ସୂଚନା ବି ରହିଥିଲା ଯେ ବ୍ରିଜ୍ ନିର୍ମାଣ କାର୍ଯ୍ୟ କେବେ ହେବ ।
ହେଲେ ତାକୁ ମଧ୍ୟ ଉପାଡି ଫୋପାଡ଼ି ଦିଆଯାଇଥିବା ବେଳେ କାମ ଆରମ୍ଭ ହୋଇନାହିଁ । ସ୍ଥାନୀୟ ବାସିନ୍ଦା କହିଛନ୍ତି ଏମିତି ମାଟିରେ ଅସ୍ଥାୟୀ ରାସ୍ତା ତିଆରି କରାଯାଉଛି ଏବଂ ବର୍ଷା ହେଲେ ଭାସି ଯାଉଛି…