ଯାଜପୁର: ହୀରାପୁର ହୀରାବାଗ ରଘୁନାଥଜୀଉ ମଠରୁ ଚୋରି, ମୂର୍ତ୍ତି ଓ ଅଳଙ୍କାରର ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ

ଗତକାଲି ବିଳମ୍ବ ରାତିରେ କଟିକଟା ପଞ୍ଚାୟତର ହୀରାପୁର ଗାଁରେ ଥିବା ରଘୁନାଥ ଜୀଉ ମଠରୁ ଆଣ୍ଠୁଆ ଗୋପାଳ, ନୃସିଂହ ମୂର୍ତ୍ତି ଓ ରାମ ଲକ୍ଷ୍ମଣ ସୀତାଙ୍କର ମୂର୍ତ୍ତୀ ଚୋରି ହୋଇଯାଇଛି ।

ଯାଜପୁର(କେନ୍ୟୁଜ୍): ଯାଜପୁର ଥାନା ହୀରାପୁର ଗାଁର ହୀରାବାଗ ରଘୁନାଥଜୀଉ ମଠରୁ ମୂଲ୍ୟବାନ ମୂର୍ତ୍ତି ସହିତ ଅଳଙ୍କାର ଚୋରି ଅଭିଯୋଗ । ଏହାର ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହେବ । ଗତକାଲି ବିଳମ୍ବ ରାତିରେ କଟିକଟା ପଞ୍ଚାୟତର ହୀରାପୁର ଗାଁରେ ଥିବା ରଘୁନାଥ ଜୀଉ ମଠରୁ ଆଣ୍ଠୁଆ ଗୋପାଳ, ନୃସିଂହ ମୂର୍ତ୍ତି ଓ ରାମ ଲକ୍ଷ୍ମଣ ସୀତାଙ୍କର ମୂର୍ତ୍ତୀ ଚୋରି ହୋଇଯାଇଛି । ତାଲା ଭାଙ୍ଗି ଲୁଟିନେଇଛନ୍ତି ଦୁର୍ବୃତ୍ତ । ମୂର୍ତ୍ତି ଗୁଡିକ ଅଷ୍ଟଧାତୁ ଓ ପିତ୍ତଳରେ ନିର୍ମିତ । ସେହିପରି ଅଳଙ୍କାର ମଧ୍ୟ ଲୁଟି ନେଇଛନ୍ତି ।

ଏନେଇ ଅଭିଯୋଗ ପରେ ଯାଜପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିଛି । ଏଠାରେ ପ୍ରତିବର୍ଷ ଦୋଳରେ ଭଜନ କୀର୍ତ୍ତନ, ନୃତ୍ୟ, ବାଡ଼ିଖେଳ ସହିତ ଠାକୁର ଗାଁ ପରିକ୍ରମା କରିଥାନ୍ତି । ତୁରନ୍ତ ମୂର୍ତ୍ତି ଗୁଡିକ ଉଦ୍ଧାର କରି ଲୁଟେରାଙ୍କୁ ଧରିବା ସହ ସେମାନଙ୍କ କଠୋର କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ ।