ସରସ୍ୱତୀ ପୂଜାରେ ହାଇଡ୍ରାମା: ସ୍କୁଲରେ ପୂଜା ଚାଲିଥିବା ବେଳେ ମୂର୍ତ୍ତି କଚାଡି ଭାଙ୍ଗିଦେଲେ ୨ ଭଉଣୀ

ଢେଙ୍କାନାଳ (କେନ୍ୟୁଜ): ସରସ୍ୱତୀ ପୂଜାରେ ହାଇଡ୍ରାମା । ସ୍କୁଲରେ ପଶି ସରସ୍ୱତୀ ମୂର୍ତ୍ତିକୁ କଚାଡି ଭାଙ୍ଗି ଦେଲେ ଦୁଇ ଭଉଣୀ । ଏଭଳି ଅଘଟଣ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ଅନ୍ତର୍ଗତ କଣ୍ଟାପାଳ ସ୍ଥିତ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ। ଗତକାଲି ସରସ୍ୱତୀ ପୂଜା ଚାଲିଥିବା ବେଳେ କଣ୍ଟାପାଳ ଗାଁର ଦୁଇ ଭଉଣୀ ଉର୍ମିଲା ସାହୁ ଓ ପ୍ରମିଳା ସାହୁ ସ୍କୁଲ ଭିତରେ ପଶି ହୋ-ହଲ୍ଲା କରିବା ସହ ବିଶୃଙ୍ଖଳା କରିଥିଲେ ।

ଖାଲି ସେତିକି ନୁହେଁ ଏଥିସହିତ ବିଦ୍ୟାଳୟ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କର ପ୍ରତିମୂର୍ତ୍ତିକୁ ଭାଙ୍ଗିବା ସହ ବିଦ୍ୟାଳୟର ନାଁକୁ ମଧ୍ୟ ଲିଭାଇ ଦେଲେ । ଉଭୟଙ୍କ ଘର କଣ୍ଟାପାଳ ୨ନଂ କଲୋନୀର ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ ସ୍କୁଲ ତିଆରି ହୋଇଥିବା ଜାଗା ତାଙ୍କ ବାପାଙ୍କ ନାଁରେ ଥିବା ଦାବି କରି ଜମି ଛାଡିବାକୁ କହି ଉତ୍ପାତ କରିଥିଲେ ଦୁଇ ଭଉଣୀ । ଏହାପରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍କୁଲର ବାହାରିଯିବାକୁ କହିଥିଲେ । ଏହା ପରେ ସ୍କୁଲରେ ପୂଜା କରାଯାଉଥିବା ବିଦ୍ୟାଦାତ୍ରୀ ମାଆ ସରସ୍ୱତୀଙ୍କୁ କଚାଡି ଭାଙ୍ଗିଛନ୍ତି । ଦୁଇ ଭଉଣୀଙ୍କର ଏପରି ହାଇଡ୍ରାମା ଦେଖି ଘଟଣାସ୍ଥଳରେ ପୋଲିସ ପହଞ୍ଚିି ୨ ଜଣଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି । ସେପଟେ ଛାତ୍ରଛାତ୍ରୀ ପୁଣି ଏକ ନୂଆ ମୂର୍ତ୍ତି ଆଣି ପୂଜାର୍ଚ୍ଚନା କରିଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.