ଏଣିକି ଶ୍ରୀମନ୍ଦିରରେ ସ୍ମାର୍ଟ ଫୋନ୍‌ ବ୍ଯବହାର ନିଷିଦ୍ଧ, ଜାନୁଆରୀରୁ ଲାଗୁ ହେବ କଟକଣା

ପୁରୀ (କେନ୍ୟୁଜ): ଏଣିକି ଶ୍ରୀମନ୍ଦିର ଭିତରେ ସ୍ମାର୍ଟ ଫୋନ୍‌ ବ୍ଯବହାର ନିଷିଦ୍ଧ ହେବ। ଆସନ୍ତା ଜାନୁଆରୀ ୧ରୁ ଏହି କଟକଣା ଲାଗୁ କରାଯିବା ନେଇ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ଭିତର ଓ ପରିସର ଫଟୋ ବାରମ୍ବାର ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଆଜି ଛତିଶା ନିଯୋଗ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। କେବଳ ଜରୁରୀ ନୀତି ର୍ନିଘଣ୍ଟ ସୂଚନା ଦେବା ପାଇଁ ଶ୍ରୀମନ୍ଦିର କମାଣ୍ଡର ସ୍ମାର୍ଟ ଫୋନ୍‌ ବ୍ଯବହାର କରି ପାରିବେ। ଅନ୍ଯାନ୍ଯ ଅଧିକୃତ ଶ୍ରୀମନ୍ଦିରର ଅଧିକାରୀ ଓ ସେବାୟତ ମାନେ ସାଧାରଣ କିପ୍ଯାଡ ଥିବା ମୋବାଇଲ ବ୍ଯବହାର କରି ପାରିବେ।

ପୂର୍ବରୁ ଭକ୍ତ ମାନେ ଶ୍ରୀମନ୍ଦିରକୁ ମୋବାଇଲ ନେବା ଉପରେ ସମ୍ପୁର୍ଣ୍ଣ କଟକଣା ରହିଛି। କେବଳ ଅଧିକାରୀ ଓ ଅଧିକୃତ ସେବାୟତ ମାନେ ଶ୍ରୀମନ୍ଦିର ଭିତରେ ସ୍ମାର୍ଟ ଫୋନ ବ୍ଯବହାର କରୁଥିଲେ। ଆଜି ଛତିଶା ନିଯୋଗ ବୈଠକରେ ଏନେଇ ବିଚାର ବିମର୍ଶ କରାଯିବା ପରେ ଏଭଳି କଟକଣା ନେଇ ସହମତି ପ୍ରକାଶ ପାଇଛି। ଆସନ୍ତା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି କଟକଣାକୁ ଅନୁମୋଦନ କରାଯିବ। ସମ୍ଭବତଃ ଆସନ୍ତା ନୂଆବର୍ଷରୁ ଏହି କଟକଣା ଲାଗୁ କରାଯିବ। ସେହିପରି ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ଯନ୍ତ ହେବାକୁ ଥିବା ପହିଲି ଭୋଗ ନୀତି ର୍ନିଘଣ୍ଟକୁ ଆଜି ଛତିଶା ନିଯୋଗ ବୈଠକରେ ଅନୁମୋଦନ କରାଯାଇଛି।

ଆସନ୍ତା ୧୬ ତାରିଖରୁ ଜାନୁଆରୀ ୧୩ ପର୍ଯ୍ଯନ୍ତ ହେବାକୁ ଥିବା ପହିଲି ଭୋଗ ନୀତିରେ ରାତ୍ର ୨ଟାରୁ ଦ୍ଵାର ଫିଟା କରାଯାଇ ୬ଟା ସୁଦ୍ଧା ପହିଲି ଭୋଗ ନୀତି ସମ୍ପାଦନା ହେବ। ଏହାଛଡା ଆସନ୍ତା ଜାନୁଆରୀ ୬ରେ ମହାପ୍ରଭୁଙ୍କ ପୌଷ ପୂର୍ଣ୍ଣିମା ତିଥିରେ ମହାପ୍ରଭୁଙ୍କ ଅନୁଷ୍ଠିତ ହେବାକୁ ଥିବା ଦେବାଭିଷେକ ନୀତି ନୀର୍ଘଣ୍ଟ ମଧ୍ୟ ଅନୁମୋଦିତ ହୋଇଛି। ସେହିପରି ସେବାୟତଙ୍କ ଜମିଜମା ସଂପର୍କିତ ସମସ୍ଯା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ଯାଳୟରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ବୀର ବିକ୍ରମ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଳ ସିଂ, ପରିଚାଳନା କମିଟି ସେବାୟତ ସଦସ୍ଯ, ଛତିଶା ନିଯୋଗର ସମସ୍ତ ସଦସ୍ଯମାନେ ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.