ସରଳ ହେବ ଟିକା ପଞ୍ଜିକରଣ ପ୍ରକ୍ରିୟା, ଏବେ ଆଉ ସ୍ଲଟ ବୁକିଂ କରିବାକୁ ପଡ଼ିବନି ଚିନ୍ତା

ଭୁବନେଶ୍ୱର (କେନ୍ୟୁଜ) : ସରଳ ହେବ ଟିକା ପଞ୍ଜିକରଣ ପ୍ରକ୍ରିୟା। କୋଭିଡ଼ ଟିକା ନେବା ପାଇଁ ଅନଲାଇନ୍‌ ପଞ୍ଜୀକରଣ, ସ୍ଲଟ ବୁକିଂ ଭଳି ଜଟିଳ ପ୍ରକ୍ରିୟା ଜରୁରୀ ହେବ ନାହିଁ। ଏପରିକି ଦ୍ୱିତୀୟ ଡୋଜ୍‌ ନେବା ପାଇଁ ମଧ୍ୟ ଟିକାଦାନ କେନ୍ଦ୍ରରେ ସହାୟତା ମିଳିବ। ଇଣ୍ଟରନେଟ୍‌, ମୋବାଇଲ ସେବାରୁ ବଞ୍ଚିତ, ଦୁର୍ଗମ ତଥା ବିଚ୍ଛିନ୍ନାଞ୍ଚଳରେ ରହୁଥିବା ଲୋକଙ୍କୁ ନିକଟସ୍ଥ ଟିକାଦାନ କେନ୍ଦ୍ରକୁ ନେଇ କୋଭିଡ଼ ଟିକା ଦେବା ବ୍ୟବସ୍ଥା କରାଯିବ।

ସେହିପରି କୌଣସି ସରକାରୀ ପରିଚୟପତ୍ର ନଥିବା ହିତାଧିକାରୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ବିଦେଶ ଯିବା ପାଇଁ ଚାହୁଁଥିବା କ୍ରୀଡାବିତ୍‌ ତଥା ଛାତ୍ରଛାତ୍ରୀ, ଚାକିରିଆଙ୍କୁ ଅଗ୍ରାଧିକାର ଭିତ୍ତିରେ କୋଭିସିଲ୍ଡ ଟିକା ଦେବା ପାଇଁ ଏସ୍‌ଓପି ଜାରି କରାଯାଇଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିସନରଙ୍କୁ ପତ୍ର ଲେଖିଛନ୍ତି।

କୌଣସି ହିତାଧିକାରୀ ଯେପରି ଟିକା ପାଇବାରୁ ବଞ୍ଚିତ ନହୁଅନ୍ତି ତାହା ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଟୀକାଦାନ କେନ୍ଦ୍ରରେ ଅନସାଇଟ କିମ୍ବା ଓ୍ଵାକ-ଇନ୍‌ ପଞ୍ଜିକରଣ ହୋଇପାରିବ। ଜଣେ ବ୍ୟକ୍ତି ହୁଅନ୍ତୁ ଅବା ଏକାଧିକ ହିତାଧିକାରୀ ଥାନ୍ତୁ, ସମସ୍ତଙ୍କ ଅନସାଇଟ୍‌ ରେଜିଷ୍ଟ୍ରେସନ କରାଯାଇପାରିବ। ସେହିପରି କମ୍‌ନ ସର୍ଭିସ ସେଣ୍ଟର ୧୦୭୫ ହେଲ୍ପଲାଇନ୍‌ ପକ୍ଷରୁ ରେଜିଷ୍ଟ୍ରେସନ ପାଇଁ ସହାୟତା ଦିଆଯିବ।

Leave A Reply

Your email address will not be published.