ଯୁଆଡେ ଦେଖିବ ସିଆଡେ ଖାଲି ପୁଳା ପୁଳା ପାଉଁଶ, ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ

ରାତିରେ ସମସ୍ତେ ଘରେ ଶୋଇଥିଲେ ହଠାତ ପଶିଆସିଲା ପାଉଁଶ ଗୁଣ୍ଡ । ଲୋକେ କୁଆଡେ ଯିବେ କ’ଣ କରିବେ ଚିନ୍ତା କରିପାରିଲେଣି । ଯୁଆଡେ ଦେଖିବ ସିଆଡେ ଖାଲି ପୁଳା ପୁଳା ପାଉଁଶ । ଗାଁର ରାସ୍ତା ଘାଟ ଠାରୁ ଆରମ୍ଭ କରି ରୋଷେଇ ଘର ପର୍ଯ୍ୟନ୍ତ ଚାରିଆଡ଼ ପାଉଁଶ ଗୁଣ୍ଡ ଭରପୁର ହୋଇଯାଇଛି । ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏ ଘଟଣା ସମ୍ପୂର୍ଣ୍ଣ ସତ । ତେବେ ଏଭଳି ଘଟଣା ଆଉ କେଉଁଠି ନୁହେଁ ବରଂ ଆମ ଓଡ଼ିଶାରେ ଘଟିଛି ।

ଆଠଗଡ଼ ଗୁରୁଡ଼ିଝାଟିଆ ଓରନ୍ଦା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଗାଁ ସାରା ଖାଲି ପାଉଁଶ ହିଁ ପାଉଁଶ । ଯେଉଁଥିପାଇଁ ଏବେ ଗାଁ ଲୋକଙ୍କ ବଞ୍ଚିବା କଷ୍ଟସାଧ୍ୟ ହୋଇଯାଇଛି । ରୋଷେଇ ଘରେ ପାଉଁଶ ପଶିବା କାରଣରୁ ଲୋକେ ରୋଷେଇ ବି କରିପାରୁନାହାନ୍ତି । ଏନେଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗାଁ ଲୋକେ । ତେବେ ନିକଟରେ ଥିବା 55 ନମ୍ୱର୍ ଜାତୀୟ ରାଜପଥ ଉପରେ ନିର୍ମାଣ ଧିନ ଓଭୋର୍ ବ୍ରିଜର ଗାଡୱାଲ ଭାଙ୍ଗି ଯିବାରୁ ଏଭଳି ହୋଇଥିବା ଜଣାପଡିଛି ।

ଜାତୀୟ ରାଜପଥ କଡରେ ହୋଇଛି ପାଉଁଶ ପାହାଡ଼ । ଯେଉଁଥିପାଇଁ ରାସ୍ତାରେ ଯାତାୟାତ କରିବା ଏବେ ମୁସ୍କିଲ ହୋଇଯାଇଛି । ଅତ୍ୟଧିକ ପାଉଁଶ ହୋଇଯାଇଥିବାରୁ ରାସ୍ତାରେ ଯିବା ଆସିବା ସମୟରେ ଲୋକେ ଅଣନିଶ୍ୱାସୀ ହୋଇପଡୁଛନ୍ତି । ଏନେଇ 55 ନମ୍ବର ଜାତୀୟ ରାଜପଥରେ ଯାତାୟତ କରୁଥିବା ଯାତ୍ରୀ ଏବଂ ଓରନ୍ଦା ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅତ୍ୟଧିକ ବର୍ଷା ପାଇଁ ଓଭର ବ୍ରିଜର ଗାଡୱାଲ ଭାଙ୍ଗିଯିବା କାରଣରୁ ପାଉଁଶ ଗୁଣ୍ଡ ବୋହି ଆସି ଏଭଳି ହୋଇଥିବା କୁହାଯାଇଛି ।

ଅନ୍ୟପଟେ କାର୍ଯ୍ୟରତ ଠିକା ସଂସ୍ଥାର ମନ୍ଥର କାର୍ଯ୍ୟ ଓ ମନମୁଖୀ ଶାସନ ପାଇଁ ଏଭଳି ଅସୁବିଧାର ସମ୍ମୁଖୀନ ହେଉଥିବା ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଅଭିଯୋଗ ହେଉଛି । ରାସ୍ତା ତିଆରି ପାଇଁ ଅତି ନିମ୍ନ ମାନର କାର୍ଯ୍ୟ ହେଉଥିବାରୁ ଏଭଳି ହେଇଛି ବୋଲି କହିଛନ୍ତି ଗ୍ରାମବାସୀ । ଏଠାରେ ରାସ୍ତା ତିଆରି ପାଇଁ ବ୍ୟବହାର ହେଉଛି ପାଉଁଶ । ଏଭଳି ଅନେକ ଅଭିଯୋଗ କରିଛନ୍ତି ଗ୍ରାମବାସୀ ଏବଂ ସ୍ଥାନୀୟ ଲୋକେ । ତେବେ ତୁରନ୍ତ ଏହାର କୌଣସି ସମାଧାନ କରିବା ପାଇଁ ସାଧାରଣରେ ଦାବି ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like