ବାତ୍ୟା ପାଇଁ ଲୋକେ ଭୟଭୀତ। କିଏ ଚାଷ କ୍ଷତିକୁ ନେଇ ଆଶଙ୍କା କରୁଛି ତ ଆଉ କିଏ କଚ୍ଚା ଘରେ ରହିବା ପାଇଁ ଭୟ କରୁଛି । ତେବେ ବାତ୍ୟା ଯୋଗୁ ଏବେ ପାଗ ମେଘୁଆ ରହିଥିବାରୁ ଲୋକ ମାନଙ୍କର ଭୟ ଆହୁରି ଦିଗୁଣିତ ହୋଇଛି ।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ ମୟୁରଭଞ୍ଜରେ ଏହାର ପ୍ରଭାବ ଅନୁମାନ କରାଯାଇ ଥିବାବେଳେ ସମସ୍ତଙ୍କ ମନରେ ଛନକା ଦେଖା ଦେଇଛି । ବିଶେଷ କରି କଚ୍ଚା ଘରେ ବସବାସ କରୁଥିବା ଲୋକମାନେ ବାତ୍ୟା ପାଇଁ ଏବେ ଚିନ୍ତା କରି ମୁଣ୍ଡରେ ହାତ ଦେଇ ବସିଛନ୍ତି । ବାତ୍ୟାର ପ୍ରଭାବ ପଡିଲେ ନିଜେ କେମିତି ସୁରକ୍ଷିତ ରହିବେ ଓ ଗୃହ ପାଳିତ ପଶୁମାନଙ୍କୁ କିପରି ସୁରକ୍ଷା ଦେବେ ସେନେଇ ଚିନ୍ତା ଘାରିଛି । ବାତ୍ୟା ଭୟରେ କିଛି ଲୋକ ସୁରକ୍ଷା ସ୍ଥାନ ଖୋଜିବାକୁ ବସିଲେଣି ।
ମୟୁରଭଞ୍ଜ ଜିଲ୍ଲା ଉଦଳା ଏନଏସିର ୧୧ ନମ୍ବର ୱାର୍ଡର ତେଲିସାହି ଗାଁରେ ୬୦ରୁ ଉର୍ଦ୍ଧ୍ବ ପରିବାର ବସବାସ କରନ୍ତି । ହେଲେ ଏମାନଙ୍କ ପାଇଁ ଆବାସ ଯୋଜନା ହୋଇଛି ସାତ ସପନ । ଗାଁର ସବୁ ଚାଳ ଛପର ଘର । ତେବେ ଏହି କଚ୍ଚା ଘରେ ଜୀବନ ଯାପନ କରୁଥିବା ପରିବାରକୁ ଏବେ ଘାରିଛି ବାତ୍ୟା ଦାନାର ଭୟ । କେମିତି ନିଜ ଜୀବନକୁ ସୁରକ୍ଷିତ ରଖିବେ ସେଥିପାଇଁ ଚିନ୍ତାରେ ରହିଛନ୍ତି ।
ଦୀର୍ଘ ଦିନ ରୁ ସରକାରଙ୍କ ଯୋଜନାରେ ଛାତ ଘର ପାଇଁ ଆବେଦନ କରିଥିଲେ ମଧ୍ୟ ଗାଁର ୬୦ ପରିବାର ଏବେ ଭଙ୍ଗା କୁଡ଼ିଆରେ ଜୀବନ ବିତାଉଛନ୍ତି । ତେବେ ଏହି ଗାଁର ଲୋକମାନେ କିପରି ବାତ୍ୟା ପ୍ରଭାବରେ ସୁରକ୍ଷିତ ରହିବେ ସେଥିପାଇଁ ପ୍ରଶାସନ ନିଶ୍ଚିତ ଭାବେ ଦୃଷ୍ଟି ଦେବା ଆବଶ୍ୟକ ।