ବିପଦସଂଙ୍କୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି ଗ୍ରାମବାସୀ, ରାସ୍ତାରେ ଧାନ ତଳି ରୋଇ କରିଲେ ପ୍ରତିବାଦ

କଟକ ସାଲେପୁର ବ୍ଳକ୍ ପଦ୍ମପୁରରୁ ଆଠମାଣିଆ ଗାଁକୁ ସଂଯୋଗ କରୁଥିବା ରାସ୍ତାର ଦୂରବସ୍ଥା । ଆଠମାଣିଆ ଗାଁର ଜୀବନରେଖା କୁହାଯାଉଥିବା ଦେଢ଼ କିଲୋମିଟର ବ୍ୟାପୀ ଏହି ରାସ୍ତା ଦେଇ ନିଜ ଜୀବନକୁ ବାଜି ଲଗାଇ ଦୈନନ୍ଦିନ ୩୦୦୦ରୁ ଉର୍ଧ୍ଵ ଲୋକେ ଯାତାୟାତ କରିଥାନ୍ତି । ମାତ୍ର ଏହି ରାସ୍ତାର ଉନ୍ନତି ପାଇଁ କାହାରି ଦୃଷ୍ଟି ପଡେ ନାହିଁ । ଏହି ଖାଲ ଖମା କାଦୁଅ ପଚ ପଚ ରାସ୍ତାରେ ଚାଲିକି ଯିବା ବି ଅତ୍ୟନ୍ତ କଷ୍ଟସାଧ୍ୟ । ଏପରିକି ପ୍ରସୂତି ପାଇଁ ମହିଳାଙ୍କୁ ଚାଲି ଚାଲି ଡାକ୍ତରଖାନା ଯିବାକୁ ପଡୁଛି ।

ଜରୁରୀ କାଳୀନ ସେବା ପାଇଁ ଗାଁକୁ ଆମ୍ବୁଲାନ୍ସ ଓ ଦମକଳ ଗାଡ଼ି ଯାଇପାରୁନାହିଁ । ସ୍କୁଲ ପିଲାମାନେ ବିଦ୍ୟାଳୟକୁ ଯିବା ଏବେ ସମ୍ଭବ ହେଉନାହିଁ ଯାହାଫଳରେ ଗ୍ରାମବାସୀମାନେ ରାସ୍ତାରେ ଧାନ ତଳି ରୋଇ ପ୍ରତିବାଦ କରୁଛନ୍ତି । ଗତବର୍ଷ ପ୍ରଧାନମନ୍ତ୍ରୀ ରାଜ୍ୟ ସଡକ ଯୋଜନାରେ ପ୍ରାୟ ୩ କୋଟିରୁ ଉର୍ଦ୍ଦ ଟଙ୍କା ବ୍ୟୟ ମଞ୍ଜୁରୀ ହୋଇ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇ ଥିଲେ ସୁଦ୍ଧା ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମନମୁଖୀ ଯୋଗୁ ରାସ୍ତା ଆହୁରି ବିପଦ ସଙ୍କୁଳ ହୋଇପଡ଼ିଛି ।

ଏହାରି ଭିତରେ ଏକ ବର୍ଷରୁ ଉର୍ଦ୍ଧ ବିତିଗଲାଣି କିନ୍ତୁ ରାସ୍ତା ନିର୍ମାଣ ବଦଳରେ ଏହା ଆହୁରି ବିପଦସଙ୍କୁଳ ହୋଇଯାଇଛି । ତ୍ରିଲୋଚନପୁର ଓ ମୂତରିଫା ୨ଟି ପଞ୍ଚାୟତର ଅଠାମାଣିଆ ରାସ୍ତାର ଏଭଳି ଅବସ୍ଥା ଯୋଗୁ ଅତିଷ୍ଠ ହୋଇ ପଡିଲେଣି ଗ୍ରାମବାସୀ । ବାରମ୍ବାର ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀ ସ୍ଥାନୀୟ ପ୍ରଶାସନ ଓ ଲୋକ ପ୍ରତନିଧିଙ୍କୁ ଜଣାଇଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ତେବେ ତୁରନ୍ତ ଯଦି ରାସ୍ତା ନିର୍ମାଣ ନ ହୁଏ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ଗ୍ରାମାଞ୍ଚଳର ବିକାଶ ଓ ଜନସାଧାରଣଙ୍କ ଉନ୍ନତି ପାଇଁ ସରକାର ସବୁବେଳେ ଡିଣ୍ଡିମ ପିଟୁଥିବା ବେଳେ ପ୍ରକୃତରେ ବିକାଶ କେତେ ଦୂର ହେଉଛି ତାହାକୁ ନେଇ ଉଠିଛି ପ୍ରଶ୍ନ । ଗ୍ରାମାଞ୍ଚଳ ବିକାଶର ମୁଖ୍ୟ ହେଉଛି ଗମନାଗମନ । ଯଦି ଗମନାଗମନ ସୁବିଧା ନ ରହିବ ତାହେଲେ ଅଞ୍ଚଳର ବିକାଶ କଦାପି ହୋଇପାରିବ ନାହିଁ । ତେବେ ଏହି ଗାଁର ସ୍ଥିତି କେବେ ସୁଧୁରିବ ତାହା ଦେଖିବା ବାକି ରହିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like