ପକ୍ଷୀଙ୍କ କିଚିରିମିଚିର ଶବ୍ଦରେ ଗାଁମୁଣ୍ଡ ସୃଷ୍ଟି କରିଛି ଚିଲିକାର ଭ୍ରମ, ପକ୍ଷୀଙ୍କ ସୁରକ୍ଷା ପାଇଁ ଲାଗିପଡିଛନ୍ତି ଗ୍ରାମବାସୀ
ଜଙ୍ଗଲ କ୍ଷୟ ଓ ପ୍ରଦୂଷଣ ସାଙ୍ଗକୁ ଶିକାରୀ ମାନଙ୍କ ଲୋଲୁପ ଦୃଷ୍ଟି ଜୀବଜଗତରୁ ଅନେକ ପକ୍ଷୀଙ୍କ ବଂଶ ଲୋପ ପାଇବାର ମୁଖ୍ୟ କାରଣ । ପକ୍ଷୀ ମାନଙ୍କ ପ୍ରତି ଭଲପାଇବା ଆଉ ସେମାନଙ୍କ ସୁରକ୍ଷା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ପକ୍ଷୀମାନଙ୍କ ବଂଶ ବିସ୍ତାର କରିବା ଦିଗରେ କାମ କରିବା ଲୋକଙ୍କ ସଂଖ୍ୟା ଦୁନିଆରେ ବହୁତ କମ । କିନ୍ତୁ ସେମାନଙ୍କ ପାଇଁ ଆଜି ବି କିଛି ସ୍ଥାନରେ ଭିନ୍ନ ଭିନ୍ନ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳୁଛି । ଆମେ କହୁଛୁ ବୌଦ୍ଧ ଜିଲ୍ଲା କଣ୍ଟାମାଲ ରାସବିହାରୀପୁର ଗାଁ ନିକଟରେ ଗେଣ୍ଡାଳିଆ ଓ ବାଦୁଡିମାନଙ୍କ କଥା ।
ଆଉ ଏମାନଙ୍କ ସୁରକ୍ଷା ପାଇଁ ନିଜକୁ ସମର୍ପିତ କରିଛନ୍ତି ଗ୍ରାମବାସୀ । ଗ୍ରାମବାସୀଙ୍କ ଉଦ୍ୟମ ପାଇଁ ୩୦୦ ଗେଣ୍ଡାଳିଆରୁ ଏବେ ବଂଶବୃଦ୍ଧି ହୋଇ ୫ ହଜାର ହୋଇଥିବାବେଳେ ବାଦୁଡିଙ୍କ ସଂଖ୍ୟା ବି କିଛି କମ ନୁହଁ । ଯାହାକି ଅନ୍ୟମାନଙ୍କ ମନରେ ପକ୍ଷୀମାନଙ୍କ ପ୍ରତି ଭଲପାଇବା ସୃଷ୍ଟି କରିବା ପାଇଁ ପ୍ରେରଣା ପାଲଟିଛି । ବୌଦ୍ଧ ଜିଲ୍ଲା ମନମୁଣ୍ଡା ରେଞ୍ଜ ଅଧିନସ୍ଥ ରାସବିହାରୀପୁର ଗାଁ । ଗାଁମୁଣ୍ଡ ସୃଷ୍ଟି କରିଛି ଚିଲିକାର ଭ୍ରମ । ଗୋଟିଏ କି ଦୁଇଟି ନୁହେଁ ହଜାର ହଜାର ସଂଖ୍ୟାରେ ଗେଣ୍ଡାଳିଆ ପକ୍ଷୀଙ୍କ କିଚିରିମିଚିର ଶବ୍ଦରେ ଫାଠି ପଡୁଛି ଅଞ୍ଚଳ ।
ଭିନ୍ନ ପ୍ରଜାତିର ଏହି ଗେଣ୍ଡାଳିଆ ଓ ବାଦୁଡ଼ିମାନେ ନିର୍ଭୟ ଭାବରେ ଏ ଡାଳରୁ ସେ ଡାଳକୁ ଉଡି ବୁଲୁଥିବାର ଦୃଶ୍ୟ ପଥିକଟିଏକୁ ଘଡିଏ ନ ଅଟକାଇବ ତାହା ଅସମ୍ଭବ । ବର୍ଷତମାମ ଏହି ଗଛରେ ରୁହନ୍ତି ଗେଣ୍ଡାଳିଆ ପକ୍ଷୀ । କାରଣ ତାଙ୍କ ସୁରକ୍ଷା ପାଇଁ ଲାଗିପଡିଛନ୍ତି ଗ୍ରାମବାସୀ । କିନ୍ତୁ ପୂର୍ବରୁ ଶିକାରୀ ଆଉ ଗ୍ରାମବାସୀଙ୍କ ସଚେତନତା ଅଭାବରୁ ଗେଣ୍ଡାଳିଆ ପକ୍ଷୀଙ୍କ ବଂଶ ନିପାତ ହେବାକୁ ବସିଥିଲା । ଏ ଖବର ଜାଣିବାପରେ ଗାଁ ଲୋକେ ସ୍ଥାନୀୟ ଲୋକଙ୍କୁ ନେଇ ଏକ ବୈଠକ କରିଥିଲେ ଓ ଶିକାରୀମାନଙ୍କୁ ପକ୍ଷୀ ଶିକାର କରିବାକୁ ମନା କରିଥିଲେ ।
ଗାଁ ଗାଁ ବୁଲି ଲୋକଙ୍କୁ ସଚେତନତା କରିବା ସହିତ ଗେଣ୍ଡାଳିଆଙ୍କୁ ଯଦି ଆମେ ଏଭଳି ଶିକାର କରିବା ତାହେଲେ ଆଉ ଗେଣ୍ଡାଳିଆ ପକ୍ଷୀମାନଙ୍କୁ ଦେଖିବାକୁ ପାଇବା ନାହିଁ । ତେଣୁ ଗେଣ୍ଡାଳିଆଙ୍କ ସୁରକ୍ଷା ପାଇଁ ଶପଥ ନେବା ଭଳି କାର୍ଯ୍ୟକ୍ରମ କରି ଲୋକଙ୍କ ମନରେ ଭରିଥିଲେ ପକ୍ଷୀ ପ୍ରିତି । ଏହି ଗ୍ରାମବାସୀ ଗେଣ୍ଡାଳିଆଙ୍କ ବ୍ୟତୀତ ନିକଟସ୍ଥ ରାସବିହାରୀପୁର ଗାଁ ମୁଣ୍ଡରେ ରହୁଥିବା ବାଦୁଡିଙ୍କ ସୁରକ୍ଷା ପାଇଁ ମଧ୍ୟ କାମ କରୁଛନ୍ତି । ଫଳରେ ବାଦୁଡିଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ।
ଗେଣ୍ଡାଳିଆ ଓ ବାଦୁଡ଼ି ପକ୍ଷୀ ଦେଖିବାକୁ ଆଖପାଖ ଅଞ୍ଚଳରୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ବର୍ଷା ଦିନ ପୂର୍ବରୁ ଏଠାକୁ ଶହ ଶହ ପକ୍ଷୀ ଆସିଥାନ୍ତି ଆଉ ଏମାନେ ଅଣ୍ଡା ଦେଇ ଛୁଆ ଜନ୍ମ କଲା ପରେ ପୁଣି ଶୀତଦିନେ ନିଜ ଦେଶକୁ ଫେରି ଯାଆନ୍ତି । ହେଲେ ଏଠାରେ ଆବଶ୍ୟକ ସଂଖ୍ୟକ ଗଛ ନ ଥିବାରୁ ପକ୍ଷୀମାନଙ୍କର ରହିବାରେ ଅସୁବିଧା ହୋଇଥାଏ । ସେହିପରି ପକ୍ଷୀ ମାନଙ୍କର ସୁରକ୍ଷା ପାଇଁ ବନ ବିଭାଗ ଆବଶ୍ୟକ ସଂଖ୍ୟକ ବୃକ୍ଷରୋପଣ ସାଙ୍ଗକୁ ଏକ ଜଗୁଆଳି ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।
ଗାଁ ଲୋକଙ୍କ ମନରେ ପକ୍ଷୀମାନଙ୍କ ପ୍ରତି ସୃଷ୍ଟି ହୋଇଥିବା ଭଲପାଇବା ହିଁ ଗେଣ୍ଡାଳିଆ ଓ ବାଦୁଡିଙ୍କ ବଂଶ ବିସ୍ତାର ହେବାର ମୁଖ୍ୟ ମାଧ୍ୟମ ବୋଲି କହିଛନ୍ତି । ଜଙ୍ଗଲ କ୍ଷୟ ଓ ପରିବେଶ ପ୍ରଦୂଷଣ ଯୋଗୁଁ ଜୀବଜଗତରୁ ଅନେକ ପକ୍ଷୀଙ୍କ ବଂଶ ଲୋପ ପାଇବାକୁ ବସିଲାଣି । ସମସ୍ତଙ୍କ ମନରେ ଯଦି ପକ୍ଷୀମାନଙ୍କ ପ୍ରତି ଭଲପାଇବା ଓ ସେମାନଙ୍କ ସୁରକ୍ଷା ପାଇଁ ତପ୍ତର ହେବ ତାହେଲେ ଏଭଳି ପକ୍ଷୀମାନଙ୍କୁ ପିଲାଙ୍କ ପାଠପଢା ବହିରେ ନୁହେଁ ନିଜ ଆଖିରେ ଦେଖିପାରିବା ।