ମହଙ୍ଗା ପଡିଲା ରାତି ଅଧିଆ ଚଢଉ, ଅଭିଯୁକ୍ତକୁ ଧରିବାକୁ ଯାଇ ପୋଲିସ୍ କର୍ମଚାରୀ ଅଟକ

ଚାନ୍ଦବାଲି (କେନ୍ୟୁଜ): ମହଙ୍ଗା ପଡିଲା ପୋଲିସର ରାତି ଅଧିଆ ଚଢଉ । ଅଭିଯୁକ୍ତକୁ ଧରିବାକୁ ଯାଇ ନିଜେ ଅଟକ ରହିଲେ ଚାନ୍ଦବାଲି ବାଂଶଡା ପୋଲିସ୍ କର୍ମଚାରୀ । ଜଣେ ଏଏସଆଇଙ୍କ ସମେତ ୫ ଜଣ କନେଷ୍ଟବଳଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ ।

ସୂଚନା ଅନୁସାରେ ଗକଲି ରାତିରେ ବ୍ରହ୍ମଟିକ୍ରି ଗ୍ରାମରେ ମୁରଲୀ ବିଳାସଙ୍କ ଘରେ ଆସାମି ଲୁଚିଥିବା ଖବର ପାଇଥିଲେ ବାଂଶଡା ଥାନା ଅଧିକାରୀ ଦେବରାଜ ଜେନା । ଏହା ପରେ ତାଙ୍କ ନିର୍ଦ୍ଦେଶରେ ଘଣ୍ଟେଶ୍ୱର ଫାଣ୍ଡି ଅଧିକାରୀ ସୂର୍ଯ୍ୟକାନ୍ତ ମହାନ୍ତି ଏବଂ ୧୦ ରୁ ଅଧିକ ପୋଲିସ ସେହି ଗ୍ରାମରେ ଆସି ରେଡ କରିଥିଲେ । ଉକ୍ତ ଗ୍ରାମରେ ଦୁଇ ଜଣ ମୁରଲୀ ବିଳାସ ଥିବାରୁ ପୋଲିସ ଜାଣିପାରି ନଥିଲେ। ତେବେ ପୋଲିସ ସଠିକ୍ ଘର ବଦଳରେ ଅନ୍ୟଜଣଙ୍କ ଘରେ ପଶି ରେଡ କରିଥିବା ଗାଁଲୋକେ ଅଭିଯୋଗ କରିଛନ୍ତି । ଘରେ ପଶିବା ସହ କବାଟ, ଝରକା ଭଙ୍ଗାଭଙ୍ଗି କରିଥିବା ମଧ୍ୟ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦରେ ଜଣେ ଏଏସଆଇଙ୍କ ସମେତ ୫ଜଣ କନେଷ୍ଟବଳଙ୍କୁ ୪ ଘଣ୍ଟା କାଳ ଅଟକ ରଖିଥିଲେ ଗାଁ ଲୋକେ । ପରେ ପୋଲିସ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ବୁଝାସୁଝା ହେବା ପରେ ଅଟକ ପୋଲିସ କର୍ମଚାରୀଙ୍କୁ ଛାଡିଦେଇଛନ୍ତି ।

 

You might also like