ପ୍ରବଳ ବର୍ଷାରେ ଭୁଶୁଡିଲା ଘର କାନ୍ଥ, ଗୋଟିଏ ପରିବାରର ୫ ଜଣ ଗୁରୁତର

ବିନିକା: ପ୍ରବଳ ବର୍ଷାରେ ଭୁଶୁଡିଲା ଘର କାନ୍ଥ । ଏଥିରେ ଗୋଟିଏ ପରିବାରର ୫ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଆହତଙ୍କୁ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଡାହୁକବୁଡ ଗାଁରେ ଏହି ଘଟଣା ଘଟିଛି।
ସୂଚନା ଅନୁସାରେ ଗୁରୁତରମାନେ ହେଲେ ଡାହୁକବୁଡ ଗାଁର ସୁଶୀଲ ପଧାନ ଓ ତାଙ୍କ ପତ୍ନୀଙ୍କ ସମେତ ଦୁଇ ପୁଅ ଓ ଝିଅ । ବିଳମ୍ବିତ ରାତିରେ ଶୋଇଥିବାବେଳେ ଘରର କାନ୍ଥ ଭୁଶୁଡି ପଡିଥିଲା। ସୁଶୀଲ ପଧାନଙ୍କର ଦୁଇ ବଖରା ମାଟି ଘର ଥିବା ବେଳେ ମୁଲମଜୁରୀ ଲାଗି ପରିବାର ପେଟ ପୋଷନ୍ତି। ତେବେ ସେମାନଙ୍କ ଚିତ୍କାର ଶୁଣି ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ସୂଚନା ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ତୁରନ୍ତ ସମସ୍ତଙ୍କୁ ମାଟି ତଳୁ ଉଦ୍ଧାର କରିଥିଲେ। ଏହାପରେ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କ ଚିକିତ୍ସା ଚାଲିଥିବା ବେଳେ ଅବସ୍ଥା ସ୍ଥିର ଥିବା ଜଣାଯାଇଛି।