ଘର ଭିତରେ ଲହଡ଼ି ଭାଙ୍ଗୁଛି ପାଣି, ହନ୍ତସନ୍ତ ହେଉଛନ୍ତି ପରିବାର ଲୋକେ

ନୀଳଗିରି: ଘର ଭିତରେ ଲହଡ଼ି ଭାଙ୍ଗୁଛି ପାଣି । ଭାସୁଛି ଘରର ଆସବାବପତ୍ର । ପାଦେ ପାଦେ ପାଣି ଭିତରେ ଚଳପ୍ରଚଳ ହେଉଛନ୍ତି ଘରଲୋକେ । ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ହୋଇଛି ନୀଳଗିରି ଏନଏସିରେ ଥିବା ଜ୍ୟୋସ୍ନା ବିଶ୍ବାଳଙ୍କ ଘର । ଏମିତିକି ରୋଷେଇ ଘର, ଠାକୁର ଘର ଓ ଶୋଇବା ଘରେ ପାଣି ପଶିରହିଥିବାରୁ ସେମାନେ ବାଧ୍ୟ ହୋଇ ଠିଆ ହୋଇ ଖାଦ୍ୟ ଖାଇବା ସହ ସବୁ କାମ ଖଟ ଉପରେ କରୁଛନ୍ତି । ଏଭଳି ପାଣିରେ ଓଦା ହୋଇ ରୋଷେଇ ମଧ୍ୟ କରୁଛନ୍ତି ।

ଘରେ ୩ ଦିନ ହେବ ପାଦେ ପାଦେ ପାଣି ଚାଲିଥିବା ବେଳେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜ୍ୟୋସ୍ନା ଓ ତାଙ୍କ ଚାରି ପ୍ରାଣୀ କୁଟୁମ୍ବ । ଅନ୍ୟପଟେ ୩ ଦିନ ଧରି ପାଣି ଜମିବା କାରଣରୁ ଘରର କାନ୍ଥ ମଧ୍ୟ ଭୁଷୁଡି ପଡିଛି । ତେବେ ଜ୍ୟୋସ୍ନା ରାତିରେ ଶୋଇଥିବା ସମୟରେ ଘରର କାନ୍ଥ ଭୁଶୁଡିପଡିଥିଲା ଯାହାଫଳରେ ପିଲାଛୁଆ ଧରି ରାତି ଅଧରେ ହନ୍ତସନ୍ତ ହେଉଛନ୍ତି ମହିଳା ଜଣକ । ଅତ୍ୟଧିକ ବର୍ଷା ଯୋଗୁଁ ରାସ୍ତା ପାଣି ଉଛୁଳି ଘରେ ପଶୁଛି ବୋଲି କହିଛନ୍ତି ଜ୍ୟୋସ୍ନା । କଥାରେ ଅଛି ଜଳ ବିନା ସୃଷ୍ଟି ନାଶ ଓ ଜଳ ବହୁଳେ ସୃଷ୍ଟି ନାଶ ।

କିନ୍ତୁ ବର୍ତ୍ତମାନ ସମୟରେ ଜଳ ବିହୁନେ ପରିବର୍ତ୍ତେ ଜଳ ବହୁଳେ ସୃଷ୍ଟି ଥରହର ହେବାର ଦୃଶ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଜ୍ୟୋସ୍ନାଙ୍କ ଘରର ଏଭଳି କରୁଣ ଚିତ୍ର ଆଖିରୁ ଲୁହ ଝରାଇ ଦେଲା ଭଳି ହୋଇଛି । ତେବେ ଜ୍ୟୋସ୍ନା ରହୁଥିବା ଘରର ଅବସ୍ଥା କ’ଣ ତାହା ତ ଆପଣମାନେ ଦେଖିପାରୁଥିବେ । ଯଦି ଆଗକୁ ଏଭଳି ବର୍ଷା ଲାଗି ରହେ ତେବେ ଏହି ପରିବାର ଲୋକଙ୍କ ଅବସ୍ଥା ଅଧିକ ସଙ୍ଗୀନ ହୋଇପାରେ । ତେବେ ପ୍ରଶାସନ ତରଫରୁ ଏହାର କୌଣସି ସ୍ଥାୟୀ ପ୍ରତିକାର ପାଇଁ ଜ୍ୟୋସ୍ନା ଏବଂ ତାଙ୍କ ପରିବାର ଲୋକେ ଅନୁରୋଧ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like