ସ୍କୁଲରେ ଅଘଟଣ, ପାଣି ଟାଙ୍କି କାନ୍ଥ ଭୁଶୁଡ଼ି ଛାତ୍ର ମୃତ
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସାରଗାଁ ପଦ୍ମପୁରସ୍ଥିତ ଘରୋଇ ଇଂରାଜୀ ମିଡିୟମ୍ ସ୍କୁଲରେ ଘଟିଛି ଅଭାବନୀୟ ଘଟଣା । ସ୍କୁଲ ପାଣି ଟାଙ୍କି କାନ୍ଥ ଭୁଶୁଡ଼ି ଜଣେ ଛାତ୍ରର ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣକ ଖୋର୍ଦ୍ଧା ଜିଲ୍ଲା ବାରଂଗ ଅଞ୍ଚଳର ବାଗରାଇ ଟୁଡୁଙ୍କ ୧୦ବର୍ଷର ପୁଅ ନାରାୟଣ ଟୁଡୁ । ଗତ ୧୦ ଦିନ ତଳେ ନାରାୟଣ ସ୍କୁଲରେ ନାଁ ଲେଖାଇଥିଲେ ।
ସୂଚନା ଅନୁଯାୟୀ, ନାରାୟଣ ସ୍କୁଲ ହଷ୍ଟେଲରେ ରୁହନ୍ତି । ଆଜି ସକାଳେ ଜଳିଖିଆ ଖାଇ ସାରି ହାତ ଧୋଇବାକୁ ପାଣି ଟାଙ୍କି ନିକଟରେ ଥିବା ଟ୍ୟାପ ପାଖକୁ ଯାଇଥିଲେ । ଏହି ସମୟରେ ପାଣି ଟାଙ୍କିର କାନ୍ଥ ତାଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା । ତା’ ତଳେ ଚାପି ହୋଇଯାଇଥିଲେ ଛାତ୍ର ଜଣଙ୍କ। ପରେ ତାଙ୍କୁ ଉଦ୍ଧାର କରି ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଘଟଣାର ଛାନ୍ଭିନ୍ କରୁଛି ।
ଅନ୍ୟପଟେ ନାରାୟଣଙ୍କ ପରିବାରକୁ ଖବର ଦିଆଯାଇଛି । ଖବର ଲେଖା ହେବା ପର୍ଯ୍ୟନ୍ତ ସେମାନେ ଭୁବନେଶ୍ୱରରୁ ପହଞ୍ଚି ନ ଥିବା ଜଣାପଡ଼ିଛି । ଚାନ୍ଦିପୁର ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ନାରାୟଣଙ୍କ ମୃତ୍ୟୁକୁ ନେଇ ସ୍କୁଲ କର୍ତ୍ତୃପକ୍ଷ ରବୀନ୍ଦ୍ର ବାରିକଙ୍କୁ ପଚାରିବାରୁ ପିଲା ହାତ ଧୋଉଥିବା ବେଳେ ପାଣିଟାଙ୍କି ଉପରୁ ତଳକୁ ଭୁଶୁଡ଼ି ପଡ଼ିଲା । ଫଳରେ ପିଲାଟି ଉପରେ ଟାଙ୍କି ପଡ଼ିବାରୁ ତାର ମୃତ୍ୟୁ ହେଲା ବୋଲି କହିଛନ୍ତି ।