ବୁଣାକାର ହେବେ ସ୍ୱାବଲମ୍ବୀ, ମିଳିବ ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା

ପିପିଲି: ବୁଣାକାର ହେବେ ସ୍ୱାବଲମ୍ବୀ । ସମସ୍ତଙ୍କୁ ମିଳିବ ରାଜ୍ୟ ସରକାରଙ୍କ ଆର୍ଥିକ ସହାୟତା । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ସମସ୍ତେ ହେବେ ଥଇଥାନ । ଆଉ ରହିବନି ଅଭାବ ଅନଟନ । ବୁଣାକାର୍ଯ୍ୟ କରିବା କାମ ଆରମ୍ଭ ଠାରୁ ଏହାର ବିକ୍ରି ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ବୁଣାକାରଙ୍କୁ ସହାୟତାର ହାତ ବଢେଇବା ପାଇଁ ବୁଣାକାରଙ୍କ ନିକଟରେ ପହଁଚିଛନ୍ତି ରାଜ୍ୟସରକାରଙ୍କ ହସ୍ତତନ୍ତ ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ।

ପୁରୀ ଜ଼ିଲ୍ଲା ପିପିଲି ବ୍ଲକ ର ସୁହାଗପୁର ଠାରେ ହସ୍ତତନ୍ତ ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଓଡ଼ିଶା ସରକାରଙ୍କ ପକ୍ଷରୁ ବୁଣାକାର ସଚେତନତା ଓ କର୍ମଶାଳା ନିର୍ମାଣ କାର୍ଯ୍ୟାଦେଶ ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲାବେଳେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବୁଣାକାର ମାନଙ୍କ ସାମଗ୍ରିକ ବିକାଶ ପାଇଁ ଡବଲ ଇଂଜିନ ସରକାର ନେଇଥିବା ପଦକ୍ଷେପ ଉପରେ ବକ୍ତବ୍ୟ ରଖିଥିଲେ ।

ରାଜ୍ୟ ସରକାରଙ୍କ ହସ୍ତତନ୍ତ ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗର  ଯୁଗ୍ମ ସଚିବ ଦେବଜ୍ୟୋତି ନନ୍ଦୀ ବୁଣାକାରଙ୍କ ପାଇଁ ବିଭିନ୍ନ ଯୋଜନା, ସହାୟତା ଓ ଋଣ ଆଦି ସରକାରୀ ବ୍ୟବସ୍ଥା ଉପଲବ୍ଧ କରାଇବା ସହ ତାଲିମ ଓ ବ୍ୟବସାୟ କିପରି ଭଲ ହୋଇପାରିବ ସେନେଇ ବକ୍ତବ୍ୟ ମାଧ୍ୟମରେ ସଚେତନତା କରାଇଥିଲେ । ତେବେ ଜିଲ୍ଲାରେ ସମୁଦାୟ ୨ହଜାରରୁ ଅଧିକ ବୁଣାକାର ରହିଥିଲା ବେଳେ, କେବଳ ପିପିଲି ନିର୍ବାଚନ ମଣ୍ଡଳୀ ରେ ପ୍ରାୟ ୧ହଜାରରୁ ଅଧିକ ପରିବାର ରହିଛନ୍ତି ।

ସେଥିପାଇଁ ଆଜି ବିଭାଗୀୟ ମନ୍ତ୍ରୀ ଓ ସ୍ଥାନୀୟ ବିଧାୟକ ତନ୍ତ ବୁଣିବା ପାଇଁ ଏକ ଛାତ ଘର ବା କର୍ମଶାଳା ନିର୍ମାଣର କାର୍ଯ୍ୟାଦେଶ ୩୬ଗୋଟି ବୁଣାକାର ପରିବାରଙ୍କୁ ନିଜ ହାତରେ ପ୍ରଦାନ କରିଛନ୍ତି । ତେବେ ସରକାର ଆସିବାର ସ୍ୱଳ୍ପ ଦିନ ମଧ୍ୟରେ କାର୍ଯ୍ୟାଦେଶ ପାଇ ବୁଣାକାର ମାନେ ଉତ୍ସାହିତ ହେବା ସହ ଏ ସରକାରଙ୍କ କାର୍ଯ୍ୟଧାରା ଉପରେ ଦୃଢ଼ ବିଶ୍ୱାସ ଥିବା କହିଛନ୍ତି ।

ବୁଣାକାର ମାନେ ରାଜ୍ୟସରକାରଙ୍କ ଠାରୁ ବିଭିନ୍ନ ଯୋଜନା ନେଇଥିବା ବେଳେ ଅନେକ ଆବେଦନ କରିଛନ୍ତି । ବୁଣାକାରଙ୍କ ପାଇଁ ରାଜ୍ୟ ସରକାର ସହଯୋଗର ହାତ ବଢାଇବା ସହିତ ଏହିପରି ଭାବରେ ଯୋଗାଉଥିବା ବିଭିନ୍ନ ଯୋଜନା ସେମାନଙ୍କୁ  ଆଗକୁ ବଢିବାରେ ସହାୟକ ହେବ ନିଶ୍ଚିତ ।

 

You might also like