ଗୁରୁ ପଦ୍ମସମ୍ଭବଙ୍କ ବୌଦ୍ଧ ମନ୍ତ୍ର ଗାନ ଓ ପ୍ରାର୍ଥନାରେ ଗୁଞ୍ଜରିତ ହେଉଛି ସମଗ୍ର ପରିବେଶ, ଛୁଟୁଛି ପର୍ଯ୍ୟଟକଙ୍କ ସୁଅ

ପ୍ରସିଦ୍ଧ ବୌଦ୍ଧ ବିହାର ଉଦୟଗିରି ଠାରେ ଚାଲିଛି ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ । ଗୁରୁ ପଦ୍ମସମ୍ଭବଙ୍କ ବୌଦ୍ଧ ମନ୍ତ୍ର ଗାନ ଓ ପ୍ରାର୍ଥନାରେ ଗୁଞ୍ଜରିତ ହୋଇ ଉଠୁଛି ସମଗ୍ର ପରିବେଶ । ସମାରୋହରେ ବିଭିନ୍ନ ଦେଶ ବିଦେଶରୁ ଆସିଥିବା ବୌଦ୍ଧ ଭିକ୍ଷୁ ଓ ପ୍ରତିନିଧି ମଣ୍ଡଳୀ ପବିତ୍ର ଧର୍ମଗ୍ରନ୍ଥ ପାଠ କରୁଛନ୍ତି । ଉଦୟଗିରିର ମାଧବପୁର ବୌଦ୍ଧ ବିହାର ଅଗଣାରେ ବିନୟ ପିଟକ ଗ୍ରନ୍ଥର ଅଧ୍ୟାୟ ପାଠ କରାଯାଉଛି ।

ସେହିପରି ମହାସ୍ତୁପର ପଛ ପାର୍ଶ୍ଵରେ ଅହୋରାତ୍ର ଶତାଧିକ ଦୀପ ପ୍ରଜ୍ବଳିତ କରି ରଖାଯାଇଛି । ମହାବିହାରକୁ ଯାଇଥିବା ରାସ୍ତାରେ ଅସ୍ଥାୟୀ ତମ୍ବୁ ଶିବିର କରାଯାଇଛି । ସାରାରାତି ସେଠାରେ ପ୍ରାର୍ଥନା ସହିତ ବୌଦ୍ଧ ଭିକ୍ଷୁ ମାନେ ମନ୍ତ୍ର ଉଚ୍ଚାରଣ କରୁଛନ୍ତି । ଏପଟେ ବୌଦ୍ଧ ସମ୍ମିଳନୀ ପାଇଁ ପର୍ଯ୍ୟଟକ ଓ ବୌଦ୍ଧ ପ୍ରେମୀଙ୍କ ସମାଗମ ହେଉଥିବା ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ମାନେ ଉଦୟଗିରି ବୌଦ୍ଧ ବିହାର, ପ୍ରାର୍ଥନା ସଭା ପରିସର, ମାହାତ୍ମ୍ୟ ପରିଦର୍ଶନ କରୁଛନ୍ତି ।

ହୀରକ ତ୍ରିଭୁଜର କେନ୍ଦ୍ରସ୍ଥଳ ଉଦୟଗିରି ଠାରୁ ପୂଜ୍ୟ ଲାମା ଓ ବୌଦ୍ଧ ସନ୍ୟାସୀମାନେ ରତ୍ନଗିରି ଓ ଲଳିତଗିରି ବୌଦ୍ଧ ବିହାର ଓ ମହାସ୍ତୁପ ପରିଦର୍ଶନ କରି ମହାବିହାର ଅଗଣାରେ ମନ୍ତ୍ର ପାଠ କରିଛନ୍ତି । ଏପଟେ ଉଦୟଗିରି ବୁଦ୍ଧ ମହୋତ୍ସବ ସମିତି ପକ୍ଷରୁ ଦ୍ଵିତୀୟ ବୁଦ୍ଧ ଗୁରୁ ପଦ୍ମସମ୍ଭବ, ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ଏବଂ ହୀରକ ତ୍ରିଭୁଜର ବିକାଶ ସମ୍ପର୍କରେ ପ୍ରତ୍ୟହ ଆଲୋଚନା ଚକ୍ର ଅନୁଷ୍ଠିତ ହେଉଛି । ଯେଉଁଥିରେ ଧର୍ମ ଗୁରୁ, ବୌଦ୍ଧ ଗବେଷକ, ଐତିହାସିକ ଓ ବୁଦ୍ଧିଜୀବୀ ଯୋଗଦେଇ ମତ ବିନିମୟ କରୁଛନ୍ତି ।

ଅନ୍ତର୍ଜାତୀୟ ଲାଇଟ ଅଫ ବୁଦ୍ଧ ଧର୍ମ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀର ବିଭିନ୍ନ ଦିବସରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ରାଜନେତା ଭ୍ରମଣରେ ଆସି ଉଦୟଗିରିଠାରେ ପଦ୍ମସମ୍ଭବଙ୍କ ମହାପ୍ରୟାଣର ପ୍ରାମାଣିକ ତଥ୍ୟ ମିଳିବା ପରେ ଐତିହାସିକ ଓ ଗବେଷକମାନେ ଏ ଦିଗରେ ଅଧିକ ତଥ୍ୟ ଲୋକଲୋଚନକୁ ଆଣିବାକୁ ଗୁରୁତ୍ୱାରୋପ କରୁଛନ୍ତି । ପ୍ରଥମ ଥର ପାଇଁ ଓଡ଼ିଶାର ଉଦୟଗିରି ଠାରେ ଅନୁଷ୍ଠିତ ଏହି ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀରେ ୧୭ଟି ରାଷ୍ଟ୍ରରୁ ପାଖାପାଖି ୧୫ଶହ ବୌଦ୍ଧ ସନ୍ୟାସୀ ଯୋଗଦେଇଥିବା ବେଳେ ସେମାନଙ୍କୁ ଆତିଥ୍ୟ ଦେବା ସହ ରହଣୀ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।

You might also like