ଔଷଧ ଆଣିବାକୁ ଯାଇ ଯୁବକ ନିଖୋଜ, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

ବିଲ ମୁଣ୍ଡରେ ବସି ବାହୁନି ବାହୁନି କାନ୍ଦୁଛନ୍ତି ସ୍ତ୍ରୀ । ଥମିବାର ନା ଧରୁନାହାନ୍ତି । ଏ ଦୃଶ୍ୟ ଦେଖିଲେ ଆମ ଛାତି ବି ଥରି ଉଠୁଛି । ପରିବାର ସଦସ୍ୟଙ୍କ ଆଖିରେ ବି ଲୁହ । ସତେ ଯେମିତି ମୁଣ୍ଡ ଉପରେ ପାହାଡ଼ ଖସିପଡିଛି । କେମିତି ବା ଧୈର୍ଯ୍ୟ ଧରିବେ ୫ ଦିନ ହେବ ସ୍ୱାମୀଙ୍କର ଖୋଜ ଖବର ମିଳୁନି । ଦେହ ଖରାପ ଥିବାରୁ ଔଷଧ କିଣିବାକୁ ଯାଇଥିଲେ । ଅପେକ୍ଷାରେ ଥିଲେ ପୁଅ ଝିଅ ଓ ସ୍ତ୍ରୀ । ସ୍ୱାମୀଙ୍କ ଆସିବା ଡେରି ହେବାରୁ ତାଙ୍କୁ ଖୋଜିବାକୁ ବାହାରିଥିଲେ ମା ପୁଅ । କିନ୍ତୁ ରାତି ହୋଇଯିବାରୁ ସ୍ୱାମୀଙ୍କୁ ନ ପାଇ ଘରକୁ ଫେରିଆସିଥିଲେ ।

ରାତିରେ ନପାଇବାରୁ ସକାଳୁ ପୁଣି ସ୍ୱାମୀଙ୍କୁ ଖୋଜିବା ପାଇଁ ବାହାରିପଡ଼ିଥିଲେ । କିନ୍ତୁ ରାସ୍ତାରେ ଯାହା ଦେଖିଲେ ତା’ପରେ ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା । କାରଣ ରାସ୍ତା ପାର୍ଶ୍ୱ ଏକ ବିଲରେ ଦେଖିବାକୁ ପାଇଥିଲେ ମଦ ବୋତଲ ଓ ରକ୍ତଛିଟା । ଗତ ମାସ ୩୦ ତାରିଖ ଅପରାହ୍ନ ୪ ଟାରୁ ୫ ଟା ସମୟରେ ଚରଣ ଔଷଧ ପାଇଁ ଆଡକଟା ବଜାର ନିକଟକୁ ଆସିଥିଲେ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସେଠାରେ ଚରଣ ମାନସ ଡାକୁଆ ଓ ପିଣ୍ଟୁ ବେହେରାଙ୍କ ସହିତ ବସି ମଦ ପିଇଥିଲେ ।

ପୂର୍ବରୁ ମାନସ ଓ ପିଣ୍ଟୁଙ୍କ ପରିବାର ସହିତ ଚରଣଙ୍କର ଜମିଜମା ବିବାଦ ରହିଥିଲା । ଅନ୍ୟପଟେ ଯେଉଁ ବିଲରେ ବସି ସବୁ ମଦ ପିଉଥିଲେ ସେଠାରେ ରକ୍ତ ଛିଟା ଏବଂ ଘୋଷଡା ଦାଗ ମଧ୍ୟ ରହିଛି । ଆଉ ତା’ ପରଠାରୁ ଚରଣଙ୍କ ଖୋଜ ଖବର ମିଳିନଥିଲା । ଅନେକ ଖୋଜା ଖୋଜି ପରେ ବି ଚରଣଙ୍କୁ ପାଇନଥିଲେ ପରିବାର ଲୋକେ । ଯାହାପରେ ଗଣିଆ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏନେଇ ପୋଲିସ ଏକ ହତ୍ୟା ଓ ଅପହରଣ ମାମଲା ରୁଜୁ କରିଛି ।

ଏଭଳି ଏକ ସମ୍ବେଦନଶୀଳ ଘଟଣା ଗଣିଆ ଥାନା ଜଗନ୍ନାଥପ୍ରସାଦ ପଞ୍ଚାୟତ ଉପର ହଦପସି ଗାଁରେ ଦେଖିବାକୁ ମିଳିଛି । ଅନ୍ୟପଟେ ଅଭିଯୋଗ ଆଧାରରେ ପୋଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ମାଧ୍ୟ୍ୟମରେ ତଦନ୍ତ କରିଛି । ରକ୍ତ ଛିଟା ନମୁନାକୁ ଡିଏନଏ ଟେଷ୍ଟ ପାଇଁ ଲ୍ୟାବକୁ ମଧ୍ୟ ପଠାଯାଇଛି । ଅନ୍ୟପଟେ ପିଣ୍ଟୁ ଓ ମାନସକୁ ବି ପୋଲିସ ଖୋଜୁଛି । ତେବେ ଗାଁରେ ଅଷ୍ଟପହରୀ ଚାଲିଥିବାର ସୁଯୋଗ ନେଇ ଚରଣ ବେହେରାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ତେବେ ଚରଣ ବେହେରାଙ୍କୁ ହତ୍ୟା କରାଯାଇଛି ନା ଅପହରଣ । ତାହା ଏବେ ସନ୍ଦେହ ଘେରରେ । ଗତ ମାସ ୩୦ ତାରିଖରୁ ଔଷଧ କିଣିବାକୁ ଆସି ଚରଣ ଆଉ ଘରକୁ ଫେରିନାଁହାନ୍ତି । ରାସ୍ତା କଡ଼ ବିଲରେ ରକ୍ତ ପଡ଼ିଥିବା ଦେଖି ପରିବାର ଲୋକ ହତ୍ୟା ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଛି । ତେବେ ତଦନ୍ତ ପରେ ହିଁ ଜଣାପଡିବ ପ୍ରକୃତରେ ସତାସତ୍ୟ କ’ଣ ।

You might also like