ସବୁଜ ବିଳ୍ପବ ସୃଷ୍ଟି ସହ ସମାଜକୁ ବୃକ୍ଷରୋପଣର ବାର୍ତ୍ତା ବାଣ୍ଟୁଛନ୍ତି ବାଲେଶ୍ୱରର ଯୁବଶକ୍ତି ସଂଗଠନ

ବାଲେଶ୍ୱର: ସ୍ଵଚ୍ଛତା ଓ ବୃକ୍ଷରୋପଣ ଭଳି ମହତ ଉଦ୍ଦେଶ୍ୟକୁ ପାଥେୟ କରି ନିଜ କର୍ମମୟ ଜୀବନରୁ ସମୟ କାଢି ସମାଜ ସେବାରେ ଲାଗିଛନ୍ତି ବାଲେଶ୍ଵରର ଯୁବଶକ୍ତି । କେତେବେଳେ ପାର୍କ ତ କେତେବେଳେ ମଶାଣି ଆଉ କେତେବେଳେ ସର୍ବସାଧାରଣ ସ୍ଥାନରେ ଜମୁଥୁବା ଅଳିଆ ଆବର୍ଜନା ଉଠାଇବାରେ ନିଜକୁ ସାମିଲ କରିଛନ୍ତି ଏହି ଯୁବକମାନେ । ପରିବେଶରେ ଦିନକୁ ଦିନ ଜଙ୍ଗଲ ନଷ୍ଟ ସହ ବୃହତ ଶିଳ୍ପ କାରଖାନା ଓ ସହରୀକରଣ ପ୍ରଭାବରେ ବୃକ୍ଷ ଓ ଜଙ୍ଗଲ ନଷ୍ଟ ହେଉଥିବା ବେଳେ ଏହା ଏକ ବୃହତ ସଙ୍କଟ ସୃଷ୍ଟି ହୋଇଛି ।
ବାଲେଶ୍ୱରରେ ବିଶେଷକରି ସ୍ଵଳ୍ପ ବର୍ଷା ସହ ଉତ୍ତାପ ବୃଦ୍ଧି ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ଏହି ଯୁବକମାନେ ସବୁଜ ବିଳ୍ପବ ସୃଷ୍ଟି ସହ ସମାଜକୁ ବୃକ୍ଷରୋପଣର ବାର୍ତ୍ତା ବାଣ୍ଟୁଛନ୍ତି । ଏସବୁ ଯୁବକ ସମସ୍ତେ ବିଭିନ୍ନ ପ୍ରକାର କାର୍ଯ୍ୟରେ ନିୟୋଜିତ । କାହାର ଛୋଟିଆ ବୃତ୍ତି ତ କାହାର ରହିଛି ଦୋକାନ ଓ ବ୍ୟବସାୟ । ହେଲେ ସମାଜ ସେବାପାଇଁ ପ୍ରତି ରବିବାର ସକାଳୁ ସକାଳୁ ଏକାଠି ହୋଇଯାଆନ୍ତି ଏହି ଯୁବକମାନେ । ବାଲେଶ୍ଵର ଯୁବ ଶକ୍ତି ସଂଗଠନର କର୍ମକର୍ତ୍ତାମାନେ ଖୁବ ନିଃସ୍ଵାର୍ଥପର ଭାବରେ ଏକ ମନ ଓ ଏକ ପ୍ରାଣ ହୋଇ ସମାଜ ସେବାରେ ଲାଗିପଡନ୍ତି ।
ବାଲେଶ୍ଵରରେ ପୌରପାଳିକା ପକ୍ଷରୁ ଏଭଳି ବିଭିନ୍ନ ସ୍ଥାନ ଅଛି ଯାହାର ଉଦ୍ଘାଟନ ସରିଗଲେ ସମସ୍ତେ ସେହି ସ୍ଥାନର ମହତ୍ତ୍ଵ ଭୁଲି ଯାନ୍ତି । ଯାହାକି ପରବର୍ତ୍ତୀ ମୁହୂର୍ତ୍ତରେ ବ୍ୟବହାର ଅନୁପଯୋଗୀ ହୋଇପଡେ । ଆଉ ସେହିଭଳି ସ୍ଥାନକୁ ସ୍ଥାନୀୟ ଯୁବ ଶକ୍ତି ସଂଗଠନ ପକ୍ଷରୁ ସଫେଇ ସହ ଅନାବନା ଗଛ କାଟିବା ସହ ନୂତନ ବୃକ୍ଷରୋପଣ କରାଯାଇଥାଏ । ଏପର୍ଯ୍ୟନ୍ତ ଏହି ସଂଗଠନ ବାଲେଶ୍ବରର ବିଭିନ୍ନ ସ୍ଥାନରେ ହଜାର ହଜାର ସଂଖ୍ୟାରେ ବୃକ୍ଷରୋପଣ କରି ନିଜର ସ୍ୱତନ୍ତ୍ରତା ବଜାୟ ରଖିଛି ।
କେବଳ ଯେ ବୃକ୍ଷ ରୋପଣ ନୁହଁ ତାହାର ରକ୍ଷଣାବେକ୍ଷଣ ମଧ୍ୟ ହାତକୁ ନେଇଛି । ଖାଲି ସେତିକି ନୁହଁ ବାଲେଶ୍ଵର ପୌରପାଳିକା ତଥା ଆଖପାଖ ଅଞ୍ଚଳରେ ଶ୍ମଶାନ ଘାଟ ଗୁଡ଼ିକର ସଫେଇ କାର୍ଯ୍ୟକୁ ମଧ୍ୟ ହାତକୁ ନେଇଛି । ସେହିଭଳି ଅନେକ ସମୟରେ ଜନ୍ମ ଜୟନ୍ତୀ ଓ ଶ୍ରାଦ୍ଧ ଦିବସରେ ମହାପୁରୁଷ ମାନଙ୍କର ପ୍ରତିମୂର୍ତ୍ତି କଥା ସମସ୍ତେ ଭାବୁଥିବା ବେଳେ ଏହି ଯୁବ ଗୋଷ୍ଠୀ ପ୍ରତି ରବିବାରରେ ମହାପୁରୁଷମାନଙ୍କର ପ୍ରତିମୂର୍ତ୍ତି ସଫେଇ ସହ ସ୍ଥାନୀୟ ଅଞ୍ଚଳକୁ ପରିଷ୍କାର କରିବା ଭଳି ପଦକ୍ଷେପ ନେଇଛନ୍ତି ।
ଆଗାମୀ ଦିନରେ ସହର ତଥା ଆଖପାଖ ଅଞ୍ଚଳରେ ବୃକ୍ଷରୋପଣ ତଥା ଔଷଧୀୟ ବୃକ୍ଷରୋପଣ ପାଇଁ ସଂଗଠନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ବେଳେ ସହରକୁ ଆବର୍ଜନା ମୁକ୍ତ ଓ ସବୁଜମୟ କରିବା ପାଇଁ ଜନସେବାକୁ ବ୍ୟାପକ କରାଯିବ ବୋଲି ସଂଗଠନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।