ଭଦ୍ରକ: ଲୋକମାନେ ନିଜ ଟଙ୍କା ପଇସାକୁ ସୁରକ୍ଷିତ ରଖିବା ପାଇଁ ଏହାକୁ ବ୍ୟାଙ୍କରେ ରଖନ୍ତି । କିନ୍ତୁ ଥରେ ଭାବନ୍ତୁ ତ ଯଦି ବ୍ୟାଙ୍କରୁ ବି ଲୁଟ ହୁଏ ତେବେ ସାଧାରଣ ଲୋକେ କ’ଣ ବା କରିବେ! ଆଜିକାଲି ଯୁଗରେ ବ୍ୟାଙ୍କ ବି ସୁରକ୍ଷିତ ନୁହେଁ । କାରଣ ଚାରିଆଡେ ମାତିଛନ୍ତି ଲୁଟେରା । ଯେଉଁଠି ଟିକେ ସୁଯୋଗ ପାଉଛନ୍ତି କଳାକନା ବୁଲାଉଛନ୍ତି । କେଉଁଠି ଘର ଝରକା ତାଡି ଲୁଟୁଛନ୍ତି ତ କେଉଁଠି ବେକରେ ଛୁରୀ ଲଗାଇ ପର୍ସ, ଚେନ୍ ଝାମ୍ପି ନେଉଛନ୍ତି । କେତେବେଳେ ମନ୍ଦିରରୁ ଲୁଟୁଛନ୍ତି ତ କେତେବେଳେ ବ୍ୟାଙ୍କରୁ ଲୁଟୁଛନ୍ତି ।
ପୋଲିସ୍ ଯେତେ କଡା ପଦକ୍ଷପ ଗ୍ରହଣ କଲେ ବି ଲୁଟେରା ନିଜ କାରନାମା କରିବାରେ ପଛଘୁଞ୍ଚା ଦେଉନାହାନ୍ତି । ଓଲଟି ପୋଲିସ୍ କୁ ଚାଲେଞ୍ଜ କରି ଦିନ ଦ୍ୱିପ୍ରହରରେ ହେଉ କି ରାତି ଅଧରେ ଚୋରି କରି ଚମ୍ପଟ ମାରୁଛନ୍ତି । ଏବେ ତ ବ୍ୟାଙ୍କକୁ ବି ଛାଡ଼ୁନାହାନ୍ତି ଏହି ଲୁଟେରା । ତେବେ ଆମେ ସବୁ କହିବାର କାରଣ ହେଉଛି ଗତକାଲି ଏକ ଘରୋଇ ବ୍ୟାଙ୍କରୁ ହୋଇଛି ଲୁଟ । ତେବେ ଏହି ଘଟଣାର ସମସ୍ତ ଦୃଶ୍ୟ ସିସି ଟିଭିରେ କଏଦ୍ ହୋଇଛି । ରାତି ଅଧରେ ଘରୋଇ ବ୍ୟାଙ୍କର ତାଲା ଭାଙ୍ଗି ହୋଇଛି ଚୋରି ।
ତେବେ ଏଭଳି ଏକ ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ପୀରହାଟ ଥାନା ସିନ୍ଦୋଳ ପଞ୍ଚାୟତ ରାଜୀବଗାନ୍ଧି ସେବା କେନ୍ଦ୍ରରେ ଅବସ୍ଥାପିତ ଏକ ଘରୋଇ ଫାଇନାନ୍ସ ବ୍ୟାଙ୍କରେ ଘଟିଛି । ଗତକାଲି ସନ୍ଧ୍ୟାରେ ବ୍ୟାଙ୍କରେ ତାଲା ବନ୍ଦ କରି ଯାଇଥିଲେ । କିନ୍ତୁ ସକାଳେ ଆସି ଦେଖନ୍ତି ତ ବ୍ୟାଙ୍କର ମୁଖ୍ୟ ଫାଟକ ସହ ଗୃହର ତାଲା ଏବଂ ଆଇରନ୍ ଚେଷ୍ଟ ଆଦି ଭଙ୍ଗାଯାଇଛି । ବ୍ୟାଙ୍କରେ ଥିଲା ଆଲମିରା ଓ ଟେବୁଲ ସବୁକିଛି ଭଙ୍ଗାଯାଇଛି । ତେବେ ଏହି ଲୁଟାରେ ଗୋଟିଏ ଲାପଟପ ସମେତ ଆଇରନ ଚେଷ୍ଟରେ ଥିବା ନଗଦ୍ ଟଙ୍କା ଲୁଟ ହୋଇଛି ।
ଏଥିସହ ଉକ୍ତ ପରିସରରେ ଥିବା ଜନସେବା କେନ୍ଦ୍ରର ତାଲା ଭଙ୍ଗଯାଇ ଟେବୁଲ ଡ୍ରୟରରେ ଥିବା ପ୍ରାୟ ୫ ହଜାର ଟଙ୍କା ଚୋରୀ ହୋଇଥିବାର ମଧ୍ୟ ଅଭିଯୋଗ ହୋଇଛି । ତେବେ ଏନେଇ ଥାନାରେ ଏତଲା ଦେବାପରେ ପୋଲିସ ଏହାର ଖୋଳତାଡ ଆରମ୍ଭ କରିଛି । ମଧ୍ୟାହ୍ନରେ ସାଇଣ୍ଟିଫିକ ଟିମ୍ ମଧ୍ୟ ତଦନ୍ତ କରି ଫେରିଛି । ଚୋରୀର ସଠିକ ତଦନ୍ତ କରାଯାଇ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବା ଲାଗି ବ୍ୟାଙ୍କ ଶାଖା ପରିଚାଳକ ଅଜୟ ପରିଡା ଦାବି କରିଛନ୍ତି ।
ଲୁଟେରାମାନେ ଲୁଟିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣାଉଛନ୍ତି । ଏମାନଙ୍କର ନା ଅଛି ଆଇନ୍ କୁ ଭୟ ନା ଅଛି ପୋଲିସର ଭୟ । ଘର, ଦୋକାନ ବଜାର, ମନ୍ଦିରରେ ଲୁଟ ଖବର ତ ଆପଣମାନେ ଶୁଣିଥିବେ । କିନ୍ତୁ ଏବେ ଏହି ଲୁଟେରା ମାନେ ସିଧା ବ୍ୟାଙ୍କକୁ ଟାର୍ଗେଟ କରୁଛନ୍ତି । ଆଉ ସୁଯୋଗ ପାଇଲେ ସବୁକିଛି ଲୁଟିନେଉଛନ୍ତି । ତେବେ ବର୍ତ୍ତମାନ ବ୍ୟାଙ୍କରେ ଏଭଳି ଲୁଟ ଘଟଣା ଶୁଣିବା ପରେ ସ୍ଥାନୀୟ ବାସିନ୍ଦା ଖୁବ ଭୟଭୀତ ଅବସ୍ଥାରେ ଅଛନ୍ତି ।