ବର୍ଷା ହେଉଥିବାର ସୁଯୋଗ ନେଇ ଘରେ କଳାକନା ବୁଲାଇଲେ ଚୋର, ତଦନ୍ତ କରୁଛି ପୋଲିସ

ମାର୍ଶାଘାଇ : ଗତ କାଲି ରାତିରେ ତୁହାକୁ ତୁହା ବର୍ଷାର ସୁଯୋଗ ନେଇ ଦୁର୍ବୃତ୍ତ ମାନେ ବିଳମ୍ବିତ ରାତିରେ କେନ୍ଦ୍ରାପଡା କୁଦାନଗରି ଥାନା ବେହୁଳ ଗାଁର ହୃଷିକେଶ ମାହାଳିଙ୍କ ଘରେ ପଶିଥିଲେ । ମୁଖ୍ୟ ଗ୍ରିଲ କାଟି ଘର ଭିତରେ ପଶି ଘରେ ଥିବା ଗଡ୍ରେଜ ଓ ବାକ୍ସ ଖୋଲି କଳା କନା ବୁଲାଇ ଲୁଟିନେଇଛନ୍ତି ଚୋର । ନଗଦ ୩୦ ହଜାର ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଘରୁ ଚୋରୀ ହୋଇଥିବା ଜଣାପଡ଼ିଛି ।   ହୃଷିକେଶ ମାହାଳି ତାଙ୍କ ପୁଅର ଜନ୍ମ ଦିନ ଭୋଜି  କରିବା ପାଇଁ ନଗଦ ଅର୍ଥ ରାଶି ସହ ସମସ୍ତ ସୁନା ଅଳଙ୍କାର ଘରେ ରଖିଥିଲେ । କିନ୍ତୁ ଏବେ ସବୁ ଅଳଙ୍କାର ଓ ଟଙ୍କାକୁ ନେଇ ଫେରାର ହୋଇ ଯାଇଛନ୍ତି ଦୁର୍ବୁତ୍ତ ।

ହୃଷିକେଶ ବୟସାଧିକ ଯୋଗୁ ଗୋଟିଏ ଘରେ ରୁହନ୍ତି ଓ ଶାଶୂ , ବୋହୂ , ନଣନ୍ଦ ତିନିଜଣ ଗୋଟିଏ ରୁମରେ ଶୋଇଥିଲେ । ହୃଷିକେଶଙ୍କ ଦୁଇ ପୁଅ ବାହାରେ ରୁହନ୍ତି । ଘରେ ହୃଷିକେଶଙ୍କ ବ୍ୟତୀତ କୌଣସି ପୁରୁଷ ଲୋକ ନଥିଲେ । ଏହି ସମୟର ସୁଯୋଗ ନେଇ ଦୁର୍ବୁତ୍ତମାନେ ଗ୍ରିଲ ତାଡି ଘରେ ପଶିବା ପରେ ହୃଷିକେଶ ଶୋଇଥିବା ଘରର ବାହାରୁ ପଟୁ କବାଟ ଦେଇ ଚୋରି କରି ଫେରାଇ ହୋଇ ଯାଇଛନ୍ତି । ପରିବାର ଲୋକଙ୍କ କହିବା ଅନୁଯାୟୀ ଦୁଇ ତିନି ଜଣ ବ୍ୟକ୍ତିଙ୍କ ଉପରେ ସନ୍ଦେହ ହେବାରୁ ସେମାନଙ୍କ ନାମରେ କୁଦାନଗରୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପରିବାର । ଲିଖିତ ଅଭିଯୋଗ ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।  ହୃଷିକେଶଙ୍କ ଘର ଠାରୁ ୧୦୦ ମିଟର ଦୂରରେ ଦୁର୍ବୃତ୍ତମାନେ ଟ୍ରଙ୍କ ଓ ସୁନା ଅଳଙ୍କାରର ସମସ୍ତ ଖୋଳ ଗୁଡ଼ିକ ଫୋପାଡି ଦେଇ ଯାଇଛନ୍ତି ।

ପାଟ୍ରୋଲିଂ ଅଭାବ ପାଇଁ ଦିନକୁ ଦିନ ଅଞ୍ଚଳରେ ଚୋରି, ଡକାୟତି ଓ ରାହାଜାନୀ ଭଳି ବିଭିନ୍ନ ଘଟଣା ଘଟିବାରେ ଲାଗିଛି । କିନ୍ତୁ ଏନେଇ କାହାରି ବି ନିଘା ନାହିଁ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ତେବେ ଚୋରଙ୍କୁ ଶୀଘ୍ର ଧରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ତାହା ହିଁ ସାଧାରଣରେ ଦାବି ।